ବକେୟା ଟଙ୍କା ମାଗିବାରୁ ଦୋକାନୀଙ୍କୁ ଖଣ୍ଡା ଚୋଟ

ବକେୟା ଟଙ୍କା ମାଗିବାରୁ ଦୋକାନୀଙ୍କୁ ଖଣ୍ଡା ଚୋଟ


ଭୁବନେଶ୍ୱର, ୧୪ା୧୧ : ତେଜରାତି ଦୋକାନରୁ ବକେୟା ନେଇଥିବା ସାମଗ୍ରୀର ଟଙ୍କା ମାଗିବାରୁ ଦୋକାନୀଙ୍କୁ ଖଣ୍ଡାରେ ହାଣିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ପଳାଶୁଣି ପ୍ରାଚିବିହାରର ରାକେଶ ରଞ୍ଜନ ମହାନ୍ତି । ତାଠାରୁ ଏକ ଖଣ୍ଡା ମଧ୍ୟ ଜବତ କରାଯାଇଛି । ପୂର୍ବରୁ ତା ନାମରେ ମଞ୍ଚେଶ୍ୱର ଥାନାରେ ୭ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଫଳରେ ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ମଞ୍ଚେଶ୍ୱର ପ୍ରାଚିବିହାରରେ ଏକ ତେଜରାତି ଦୋକାନ ରହିଛି । ସେହି ଦୋକାନରୁ ଅଭିଯୁକ୍ତ ବକେୟାରେ କିଛି ସାମଗ୍ରୀ ବକେୟାରେ ନେଇଥିଲା ଓ ନିର୍ଦ୍ଧାରିତ ସମୟରେ ଟଙ୍କା ଦେବା ପାଇଁ କହିଥିଲା କିନ୍ତୁ ଟଙ୍କା ସମୟରେ ଦେଉନଥିଲା । ଫଳରେ ଦୋକାନୀ ଅଭିଯୁକ୍ତକୁ ବାରମ୍ବାର ଟଙ୍କା ମାଗିବା ସତ୍ୱେ କୌଣସି ଟଙ୍କା ଦେଉନଥିଲା ଓ ପ୍ରତିବଦଳରେ ଗତ ୧୩ ତାରିଖ ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ଓ ତାର କିଛି ସହଯୋଗୀଙ୍କ ସହ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଦୋକାନୀଙ୍କୁ ଗାଳିଗୁଲଜ କରିବା ସହି ହତ୍ୟା ଧମକ ଦେଇ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ସମୟରେ ଦୋକାନୀ ପାଟି କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିବା ଦେଖି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ଖଣ୍ଡା ଜବତ କରିଛି ।