ପୁଲିସ ଅଧିକାରୀଙ୍କ ପତ୍ନୀଙ୍କ ସୁନା ଚୋରି; ସହାୟୀକା ଗିରଫ
ଭୁବନେଶ୍ୱର,୨୦ ।୯ : ଜଣେ ଅବସର ପ୍ରାପ୍ତ ପୁଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ସୁନା ଚୋରି କରି ବନ୍ଧାହେଲେ ଘରେ କାମ କରୁଥିବା ସହାୟୀକା । ତାଙ୍କ ଠାରୁ ଚୋରି ସୁନା ଜବତ କରାଯାଇ ପରେ ମାମଲା ରୁଜୁକରି କୋର୍ଟ ଚାଲଣ କରିଛି ଖାରବେଳନଗର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲାର ସୁଭଦ୍ରା ନାୟକ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣେ ଅବସର ପ୍ରାପ୍ତ ପୁଲିସ ଅଧିକାରୀଙ୍କ ପତ୍ନୀ ହୋଇଥିବା ବେଳେ ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍-୩ ଅଞ୍ଚଳରେ ରୁହନ୍ତି । ମହିଳା ଅଭିଯୁକ୍ତ ମଧ୍ୟ ୟୁନିଟ୍-୩ ଅଞ୍ଚଳରେ ଥିବା ଖଣ୍ଡିଆପାର୍କ ବସ୍ତିରେ ଥିବା ତାରିଣୀ ମନ୍ଦିର ନିକଟରେ ରହୁଥିବା ବେଳେ, ଅଭିଯୋଗକାରିଣୀଙ୍କ ଘରେ ଗତ ୫ ମାସ ହେବ ଘରୋଇ ସହାୟୀକା ଭାବେ କାମ କରିଆସୁଥିଲେ । ଗତ ୧୨ ତାରିଖ ମଧ୍ୟାହ୍ନରେ ସେ ଅଭିଯୋଗକାରୀଣୀଙ୍କ ଘରକୁ ଯାଇଥିବା ବେଳେ, ଅଭିଯୋଗକାରିଣୀ ଜଣଙ୍କ ଗାଡେଧାଇବା ଘରେ ଥିବାର ସୁଯୋଗ ନେଇ ସେ ତାଙ୍କ ବେଡ଼ରୁମରେ ପଶି ୨ଟି ସୁନା ଚୁଡ଼ି, ଏକ ସୁନା ଚେନ୍, ଏକ ହଳ ସୁନା କାନଫୁଲ ଓ ୪ଟି ସୁନା ଲକେଟ୍କୁ ଚୋରି କରି ନେଇଯାଇଥିଲେ । ପରେ ସେ ସହିଦନଗର ସ୍ଥିତ ଏକ ଜୁଏଲାରୀ ଦୋକାନକୁ ଯାଇ ଉକ୍ତ ସୁନା ଗୁଡ଼ିକୁ ବଦଳ କରି ତା ବଦଳରେ ଅନ୍ୟ ସୁନା ଆଣିଥିଲେ । ପରେ ସେହି ସୁନା ଗୁଡ଼ିକୁ ତାଙ୍କ ମାମୁ ଘର ଗ୍ରାମ କଣ୍ଟିଲୋରେ ଲୁଚାଇ ରଖିଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଘରୋଇ ସହାୟୀକାଙ୍କୁ ଗିରଫ କରି ତାଙ୍କ ଠାରୁ ଚୋରି ସୁନା ସବୁକୁ ଜବତ କରାଯାଇଛି ।