ବଙ୍ଗଳା ଭାଷାଭାଷୀ ସମସ୍ୟା
ରାଜ୍ୟରେ ବର୍ତ୍ତମାନ ଦିନକୁ ଦିନ ଅବୈଧ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଜୋରଦାର୍ ହୋଇଛି । ଇତିମଧ୍ୟରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ୩ ହାଜରରୁ ଅଧିକ ବାଂଲାଦେଶୀଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଥିବା ଜଣାପଡ଼ିଲାଣି । ଏହି ବାଂଲାଦେଶୀମାନେ ପ୍ରକୃତରେ ଭାରତର ନାଗରିକ କି ନୁହେଁ, ତାହା ଚିହ୍ନଟ କରିବା ଓଡ଼ିଶା ପୁଲିସ୍ ପାଇଁ ଏକ ବଡ଼ ସମସ୍ୟା ହୋଇଛି । ଏଣେ ପଶ୍ଚିମବଙ୍ଗ ସରକାର ପଶ୍ଚିମବଙ୍ଗର ନାଗରିକମାନଙ୍କୁ ଅବୈଧ ଭାବରେ ଅଟକ ରଖାଯାଇଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏ କ୍ଷେତ୍ରରେ ଗୋଟିଏ ବଡ଼ ସମସ୍ୟା ହେଲା ଅଟକ ରହିଥିବା ୩ ହଜାର ବଙ୍ଗଳା ଭାଷାଭାଷୀଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ଆଧାର, ଭୋଟର କାର୍ଡ୍ ଏବଂ ରାସନ୍ କାର୍ଡ୍ ରହିଛି । ଏହି ତିନିଟି ଦଲିଲ୍କୁ ଭାରତ ସରକାର ବିଭିନ୍ନ ସମୟରେ ନାଗରିକତାର ପ୍ରମାଣପତ୍ର ବୋଲି ଗ୍ରହଣ କରୁଛନ୍ତି ଏବଂ ଏହାର ଆଧାରରେ ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲିବା, ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଚୟନ କରିବା ଭଳି ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି । ତେଣୁ ଏହାକୁ ଭିତ୍ତି କରି ଅଟକ ଥିବା ବ୍ୟକ୍ତିମାନେ ନିଜକୁ ଭାରତୀୟ ନାଗରିକ ବୋଲି ଦାବି କରୁଛନ୍ତି । ତେବେ ଓଡ଼ିଶାରେ ଅଟକ ଥିବା ଏହି ବ୍ୟକ୍ତିମାନଙ୍କୁ ବଙ୍ଗଳାଦେଶର ପ୍ରକୃତ ନାଗରିକ ବୋଲି ଦାବି କରି ଟିଏମ୍ସି ସାଂସଦ ମହୁଆ ମୈତ୍ର ଓଡ଼ିଶା ସରକାରଙ୍କୁ ତୁରନ୍ତ ବଙ୍ଗଭାଷୀମାନଙ୍କୁ ଛାଡ଼ି ଦେବା ପାଇଁ ଧମକ ଦେଇଥିଲେ । ଯଦି ପ୍ରକୃତରେ ବଙ୍ଗଳାର ନାଗରିକମାନଙ୍କୁ ଓଡ଼ିଶା ସରକାର ଅଟକାଇଥାନ୍ତି ତେବେ ନିଶ୍ଚିତ ଭାବରେ ଏହା ଏକ ଗୁରୁତର କଥା । ବାସ୍ତବ କଥା ହେଉଛି ଯେଉଁମାନଙ୍କୁ ଆଜି ଓଡ଼ିଶାରେ ଅଟକ ରଖାଯାଇଛି ନିଶ୍ଚିତ ରୂପେ ସେମାନଙ୍କ ଉପରେ କିଛି ନା କିଛି ସନେ୍ଦହ ରହିଛି ।
ବିଭିନ୍ନ ସମୟରେ ଦେଖାଯାଉଛି ଯେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ କୌଣସି ନା କୌଣସି ଉପାୟରେ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ହାତ କରି ପ୍ରଥମେ ଆଧାର କାର୍ଡ୍ ହାତେଇ ନେଉଛନ୍ତି । ଆଧାର କାର୍ଡ୍କୁ ଭାରତ ସରକାର ନାଗରିକତାର ପ୍ରମାଣପତ୍ର ବୋଲି କହୁନଥିବାରୁ ଆଧାର କାର୍ଡ୍ଟିଏ ପ୍ରସ୍ତୁତ କରିବା କ୍ଷେତ୍ରରେ କୌଣସି ଜଣେ ବ୍ୟକ୍ତିଙ୍କର ଭାରତବାସୀ ଭାବରେ ପ୍ରମାଣ ଖୋଜା ଯାଉନାହିଁ । ତେଣୁ ଅନୁପ୍ରବେଶକାରୀ ଯେ କୌଣସି ବ୍ୟକ୍ତି ଆଧାର କାର୍ଡ୍ଟିଏ ପାଇବା କଷ୍ଟକର ହେଉନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଏହି ଆଧାରରେ ଆଧାର କାର୍ଡ୍ ପ୍ରସ୍ତୁତ କରି ପାରିଛନ୍ତି ଏବଂ ସେମାନଙ୍କର ଆଧାର କାର୍ଡ୍କୁ ନେଇ ବିଭିନ୍ନ ସମୟରେ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ବର୍ତ୍ତମାନ ସଦ୍ୟତମ ଘଟଣାରେ କଲିକତା ହାଇକୋର୍ଟ୍ ଅବୈଧ ବଙ୍ଗଳାଦେଶୀ ନାମରେ ପଶ୍ଚିମବଙ୍ଗର ଲୋକମାନଙ୍କୁ ହଇରାଣ ହରକତ୍ କରାଯାଉଥିବାର ଏକ ଅଭିଯୋଗକୁ ନେଇ ଓଡ଼ିଶା ସରକାର ସହ ଯୋଗାଯୋଗ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏ ପ୍ରକାରର ଏକ ନିଦେ୍ର୍ଦଶ ପାଇବା ପରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାରେ ଅଟକ ଥିବା ପ୍ରାୟ ୩ ହଜାରରୁ ଅଧିକ ବଙ୍ଗ ଭାଷାଭାଷୀଙ୍କ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇ ଗଲେଣି । ଅନ୍ୟପକ୍ଷରେ ଓଡ଼ିଶାରେ ଅଟକ ଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ନାଗରିକ ନୁହଁନ୍ତି ବୋଲି ଓଡ଼ିଶା ପୁଲିସ୍ ପ୍ରମାଣ କରିବାରେ ସେତେଟା ସଫଳତା ପାଇପାରୁନାହିଁ ।
ସବୁଠାରୁ ବଡ଼ ସମସ୍ୟା ହେଲା ମୂଳ ଦଲିଲ୍ ଭାବରେ ଆଧାର କାର୍ଡ୍ର ବୈଧତାକୁ ନେଇ ଯାଞ୍ଚ୍ କରିବା ଓଡ଼ିଶା ପୁଲିସ୍ ପକ୍ଷରେ ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ । କାରଣ ୩ ହଜାର ଲୋକଙ୍କର ଆଧାର କାର୍ଡ୍ ଯାଞ୍ଚ୍ କରିବା ଏବଂ ତାହା ପୁଣି ରାଜ୍ୟ ବାହାରେ ଏତେ ସହଜ ନୁହେଁ । ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ସରକାର ଯଦି ସହଯୋଗ ନକରିବେ ତେବେ ନିଶ୍ଚିତ ରୂପେ ଓଡ଼ିଶା ସରକାରଙ୍କ ପାଇଁ ଏକ ବିଫଳ ଉଦ୍ୟମ ଭାବରେ ପ୍ରମାଣିତ ହୋଇଯିବ । ଏ ପ୍ରସଙ୍ଗ ବର୍ତ୍ତମାନ ଓଡ଼ିଶା ପୁଲିସ୍ ପାଇଁ ସମସ୍ୟା ନହେଉ ।