ସତ୍ୟର ଉପଲବ୍ଧି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନର ଏକ ସତ୍ୟର ଉପଲବ୍ଧି ବାବଦରେ କିଛିକଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସୁଖ ଅଛି, ଦୁଃଖ ଅଛି । ସୁଖରେ ଆତ୍ମହରା ଏବଂ ଦୁଃଖରେ ମ୍ରିୟମାଣ ହେବା ଏକ ଲୌକିକ ଘଟଣା । ମଣିଷ ମାତ୍ରକେ ଏହିଭଳି ହିିଁ କରନ୍ତି । କିନ୍ତୁ ମଣିଷ ଭିତରେ ଯିଏ ଅଧିକ ଚିନ୍ତାଶୀଳ, ସିଏ ଏ ପ୍ରକାରର ବିଶ୍ୱାସ ରଖେ ନାହିଁ । ମଣିଷ ଭିତରୁ ଯିଏ ପ୍ରକୃତ ଚିନ୍ତାଶୀଳ, ସେ ଜାଣେ ଯେ ଏ ପୃଥିବୀ ପରିବର୍ତ୍ତନଶୀଳ, ଶରୀର ନଶ୍ୱର ଏବଂ ନଶ୍ୱର ଶରୀରରେ ସୁଖକୁ ଧରି ରଖିବାର ଚେଷ୍ଟା ଏକ ନିଷ୍ଫଳ ଚେଷ୍ଟା । ତେଣୁ ବିଶ୍ୱବ୍ରହ୍ମାଣ୍ଡର ସତ୍ୟକୁ ଟିକେ ଅନୁଭବ କରି କେବଳ ସୁଖ ପଛରେ ନ ଗୋଡେଇ ଏ ପରିବର୍ତ୍ତନର ନିୟନ୍ତା ଈଶ୍ୱରଙ୍କୁ ଧରି ରଖିବାକୁ ଚେଷ୍ଟା କରେ । ଈଶ୍ୱର କୌଣସି ପାର୍ଥିବ ପଦାର୍ଥ ନୁହଁନ୍ତି । ଈଶ୍ୱର ଏକ ବୌଦ୍ଧିକ ଚେତନା । ଚେତନା ଜଗତରେ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ବୁଦ୍ଧିମାନ ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ।
ଏହି ଲକ୍ଷ୍ୟରୁ ବିଚୁ୍ୟତ ହେଉଥିବା ବ୍ୟକ୍ତି ନିଜ ଜୀବନର କୌଣସି ସ୍ଥିର ଲକ୍ଷ୍ୟ ରଖିପାରେ ନାହିଁ କିମ୍ବା କୌଣସି ସ୍ଥିର ଲକ୍ଷ୍ୟ ହାସଲ କରିପାରେ ନାହିଁ । ପରିବର୍ତ୍ତନର ଚିରନ୍ତନ ସତ୍ୟକୁ ଉପଲବ୍ଧି କରିପାରୁଥିବା ବ୍ୟକ୍ତି ପରିବର୍ତ୍ତନର ଧାରାରେ ନିଜକୁ ମିଶାଇଦିଏ । ତା' ନିକଟରେ ଦୁଃଖ, ଶୋକ, ହସ, କାନ୍ଦ, ଶୁଭ, ଅଶୁଭ ଆଦିର କୌଣସ ପାର୍ଥକ୍ୟ ରହେ ନାହିଁ । ମାନେ ନିର୍ବିକାର ହେଇଯିବା । ଇନ୍ଦ୍ରିୟଗ୍ରାହ୍ୟ ଚେତନା ଅପେକ୍ଷା ଇନ୍ଦ୍ରିୟକୁ ଅତିକ୍ରମ କରି ଅତିନ୍ଦ୍ରିୟ ଜଗତରେ ସେହି ବ୍ୟକ୍ତି ଜୀବନର ଆନନ୍ଦକୁ ଉପଲବ୍ଧି କରେ । ଏଭଳି ଏକ ଅବସ୍ଥାକୁ ଶାରିରୀକ ଭାବେ ଆସିବା ସମ୍ଭବ ନୁହେଁ, ଏହା ହେଉଛି ଏକ ମାନସିକ ସ୍ଥିତି । ମାନସିକ ସ୍ଥିତିରେ ପରିବର୍ତ୍ତନ ହେଲେ ଜୀବନର ପରିବର୍ତ୍ତନ ସମ୍ଭବ । ସୁଖକୁ ଅପରିବର୍ତ୍ତନୀୟ ଭାବେ ଜାବୁଡି ଧରିବାକୁ ଚେଷ୍ଟା କଲେ କେବଳ ଦୁଃଖ ହିଁ ଦୁଃଖ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।