ସ୍ୱାବଲମ୍ବନ ଓ ସ୍ୱାଭିମାନର ଜୟଗାନ
ବିକ୍ରମ କେଶରୀ ବିଶ୍ୱାଳ :
ଆମ ଭାରତ ଆଜି ସାର୍ବଭୌମତ୍ୱ ଓ ସ୍ୱାଭିମାନ କ୍ଷେତ୍ରରେ ବିଶ୍ୱଗୁରୁର ମର୍ଯ୍ୟାଦା ପାଇଛି ।ଭାରତ ଆଜି ୧୯୬୦ କାଳଖଣ୍ଡରେ ସୀମାବଦ୍ଧ ହୋଇନାହିଁ । ସମଗ୍ର ବିଶ୍ୱରେ ତୃତୀୟ ମହାଶକ୍ତି ରୂପେ ବିଶ୍ୱ ଅତିକ୍ରମଣ କରିବାର କ୍ଷମତା ଏକ ମୁକ୍ତ ବିହଙ୍ଗ ରୂପେ ରଖିପାରିଛି । ନିକଟରେ ଆମେରିକାର ତଥାକଥିତ ଟାରିଫ ଚଡ଼କ କିଛି ବର୍ଗରେ ଭୟ ସୃଷ୍ଟି କରିଥିବାବେଳେ ଭାରତ ଆଜି ଏକ ବିକଶିତ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି । ତେଣୁ ଭାରତ କୌଣସି ପ୍ରକାର ବ୍ଲାକମେଲିଂ ବା ଧମକକୁ ଖାତିର କରୁନାହିଁ । ଭାରତର ସ୍ୱାଧୀନତା ଦିବସ ଅବସରରେ ସ୍ୱଦେଶୀ ସାମଗ୍ରୀକୁ ଆଦରି ପରାଧୀନ ସାମଗ୍ରିର ବର୍ଜନ ପାଇଁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ୱାନ ଦେଇଛନ୍ତି ତାହା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ ।
୧୯୫୦ ଦଶକରେ ଗୋଷ୍ଠୀ ନିରପେକ୍ଷ ଭୂମିକା ତୁଲାଇଥିବା ଭାରତ ଏବେ ଦକ୍ଷିଣ ବିଶ୍ୱର ନେତୃତ୍ୱ ନେଉଛି, ଜି-୨୦ର ଅଧ୍ୟକ୍ଷତା କରିଛି ଏବଂ ଆଗାମୀ ଦିନରେ ଅଲିମ୍ପିକ ଓ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ଲାଗି ରୂପରେଖ ପ୍ରସ୍ତୁତ କରୁଛି । ସ୍ୱାଧୀନ ସ୍ୱୟଂକ୍ରିୟ ନୀତି ନିର୍ଦ୍ଧାରକ ଭାରତ ଆଉ ଏବେ କାହା ଅନୁମତି ଭିକ୍ଷା କରିବା ସ୍ଥିତିରେ ନାହିଁ । ବିଶ୍ୱର ପରିବର୍ତ୍ତିତ ବହୁଧ୍ରୁବୀୟ ଭୂରାଜନୈତିକ ସମୀକରଣରେ ଭାରତର ଅଭୁ୍ୟଦୟ ଅନ୍ୟ ମାନଙ୍କ ପାଇଁ ଈର୍ଷଣୀୟ ହୋଇଛି ଅଥଚ ଭାରତର ସାର୍ବଭୌମତା, ଅଖଣ୍ଡତା ଓ ଏକତା ତା'ର ଶକ୍ତିରେ ରୂପାନ୍ତରିତ ହୋଇଛି । ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି । ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ, ଯାହାର ସିଂହାଭାଗ ଯୁବଶକ୍ତି । ଏହି ଜନସଂଖ୍ୟକ ବିସ୍ଫୋରଣ ବିଶ୍ୱ ବୈଷୟିକ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି । ଆମେରିକାର ବୃହତ ଆଇଟି ହବ୍ ସିଲିକନ ଭ୍ୟାଲି ଭାରତୀୟ ମେଧା ଭରସାରେ ଚାଲିଛି । ମାଇକ୍ରୋସଫ୍ଟ, ଗୁଗୁଲ, ଆଡୋବର ମୁଖ୍ୟ ଭାରତୀୟ ବଂଶୋଦ୍ଭବ । ଭାରତରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଯଥାକ୍ରମେ ୧୦୦ କୋଟି ଓ ୯୦ କୋଟି । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଅନଲାଇନ ଆର୍ଥିକ ଦେଣନେଣ ମାଧ୍ୟମ ୟୁପିଆଇ ଆମେରିକାର ଭିଜା ଓ ମାଷ୍ଟର କାର୍ଡ଼କୁ ଟକ୍କର ଦେଉଛି । ଏହି ସଫଳତା ସ୍ୱାଧୀନତା ପରବର୍ତ୍ତୀ ଦୀର୍ଘକାଳୀନ ନିରନ୍ତର ଯୋଜନାବଦ୍ଧ ପ୍ରୟାସର ପ୍ରତିଫଳନ । ଭାରତ ବର୍ତ୍ତମାନ ସେମିକଣ୍ଡକ୍ଟର, ଏଆଇ, କ୍ୱାଣ୍ଟମ କମ୍ପୁ୍ୟଟିଂ, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ସବୁଜ ଶକ୍ତି ନିଜସ୍ୱ ଜ୍ଞାନକୌଶଳରେ ବିକଶିତ କରି ବିଶ୍ୱର ନିଜକୁ ପ୍ରତିଯୋଗୀକ୍ଷମ ହୋଇପାରିଛି । ମେକ ଇନ ଇଣ୍ଡିଆ କେବଳ ଏକ ସ୍ଲୋଗାନ ହୋଇ ରହିନାହିଁ, ଗୁଗୁଲ, ଆପଲ, ଟେସଲା ଭଳି କମ୍ପାନୀଙ୍କୁ ଭାରତରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଆକୃଷ୍ଟ କରିଛି । ନିର୍ମାଣ ଓ ଯୋଗାଣରେ ଭାରତ ଏବେ ଚୀନର ବିକଳ୍ପ ଭାବେ ଉଭା ହୋଇଛି । ଭାରତ ବଶମ୍ବଦ ହେବା ପରିବର୍ତ୍ତେ ପ୍ରତିସ୍ପର୍ଦ୍ଧାର ଆସ୍ଫର୍ଦ୍ଧା ରଖୁଛି ଏବଂ ନିଜକୁ ବିଶ୍ୱର ମହାଶକ୍ତି ରୂପେ ଉପସ୍ଥାପିତ କରିପାରିଛି । ଭାରତର ବିଶାଳ ଉପଭୋକ୍ତ ବଜାର ଏହାର ଶକ୍ତି, ଯାହା ଆମେରିକୀୟ ଶିଳ୍ପପତି ଏପରିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଟାଣି ଆଣିପାରୁଛି । ଭାରତୀୟ ମୁଦ୍ରା ଟଙ୍କାର ବିଶ୍ୱାୟନ ଆରମ୍ଭ ହୋଇସାରିଛି, ଯାହା ଡଲାର ଆଧିପତ୍ୟକୁ ସଂକୁଚିତ କରିବାର ଅପାର ସମ୍ଭାବନା ସୃଷ୍ଟି ହୋଇ ଆମେରିକାକୁ ଭୟଭୀତ କରିଛି । ଭାରତର ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥା, ଭାରତର ଅଖଣ୍ଡ ସାର୍ବଭୌମତ୍ୱ ହେଉଛି ଏହାର ଏକତାର ଶକ୍ତି । ପ୍ରତିଟି ଭାରତୀୟ ଆଜି ବିବିଧ ସଂସ୍କୃତି, ବହୁବାଦ, ବହୁମତ, ବହୁପନ୍ଥ ବ୍ୟତିରକେ ନିଜକୁ ଗର୍ବିତ ଓ ଗୌରବାନ୍ୱିତ ମନେ କରନ୍ତି । ଭାରତ ସନାତନ ସଂସ୍କୃତିର ସେହି ମହାନ ବାଣୀ "ବସୁଧୈବକ କୁଟୁମ୍ବକମ୍'ର ଉଦଘୋଷକ । ତେଣୁ ଭାରତ ଆଜି ସ୍ୱାବଲମ୍ବନର ସନେ୍ଦଶକୁ ଗ୍ରହଣ କରି ଯୁଦ୍ଧ ପ୍ରପୀଡ଼ିତ ବିଶ୍ୱରେ ଭ୍ରାତୃତ୍ୱର ବାର୍ତ୍ତାବହ ଚେତନାର ପ୍ରତୀକ ।
ମୋ : ୯୯୩୮୫୩୬୦୭୬