ବର୍ଷାଦିନିଆ ରାସ୍ତା


ପ୍ରତିବର୍ଷ ମୌସୁମି ପ୍ରବାହ ଆରମ୍ଭ ହେଲେ ରାସ୍ତା ସମ୍ପର୍କିତ ସମସ୍ୟା ରାଜ୍ୟ ସାରା ସବୁଆଡ଼େ ବଢୁଥବା ଦେଖିବାକୁ ମିଳେ । ଖାଲଖମାରେ ଭର୍ତ୍ତି ରାସ୍ତା ରାଜଧାନୀରେ ବି କିଛି କମ୍ ନାହିଁ । ସାଧାରଣତଃ ଏ ପ୍ରକାରର ସମସ୍ୟାକୁ ବିଭିନ୍ନ ରାସ୍ତାର କର୍ତ୍ତୃପକ୍ଷ ଅଣଦେଖା କରନ୍ତି । ପୁରା ବର୍ଷା ଋତୁ ଚାରିମାସ ପର୍ଯ୍ୟନ୍ତ ରାସ୍ତାଘାଟ ଏହିଭଳି ଖାଲଢ଼ିପ ହୋଇ ପାଣି ଜମି ରହୁଛି । ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହି ଯାନବାହାନ ପାଇଁ ଯେଭଳି ଅସୁବିଧା ସୃଷ୍ଟି କରୁଛି, ଲୋକଙ୍କ ଚଳାଚଳରେ ମଧ୍ୟ ସେହିଭଳି ଅସୁବିଧା ସୃଷ୍ଟି କରୁଛି । 
ବିଭିନ୍ନ ସମୟରେ ଦେଖାଯାଉଛି ଯେ ଜାତୀୟ ରାଜପଥଗୁଡ଼ିକରେ ମଧ୍ୟ ବର୍ଷାଦିନରେ ବଡ଼ ବଡ଼ ସବୁ ଗାତ ହୋଇଯାଉଛି । ଆଉ କେତେକ ସ୍ଥାନରେ ମାଟି ବାହାରିବା ପର୍ଯ୍ୟନ୍ତ ଗାତ ହୋଇ ରାସ୍ତା କାଦୁଅ ପଚ୍ପଚ୍ ହୋଇଯାଉଛି । ଏହା ଫଳରେ ରାସ୍ତା ସୁଖିଗଲା ପରେ କାଦୁଅ ସବୁ ଶୁଖି ଧୂଳିରେ ପରିଣତ ହୋଇ ଗାଡ଼ି ଚଳାଚଳ ସମୟରେ ବାୟୁମଣ୍ଡଳ ଭୀଷଣ ଭାବରେ ଦୂଷିତ ହେଉଛି । ରାସ୍ତା ଉପରକୁ କାଦୁଅ ଉଠି ଆସିଲେ ସେସବୁର ପ୍ରତିକାର ପାଇଁ କେହି ନଥିବା ଭଳି ମନେ ହୁଏ । ବିଶେଷ କରି ଓଜନଦାର୍ ଯାନ ଚଳପ୍ରଚଳ ହେଉଥିବା ରାସ୍ତାଗୁଡ଼ିକରେ ଏହି ଧୂଳି ସମସ୍ୟା ଏବଂ କାଦୁଅ ସମସ୍ୟା ସବୁଠାରୁ ଅଧିକ । ଏଭଳି ଧୂଳି ଓ କାଦୁଅରେ ଦୁଇଚକିଆ ଯାନଗୁଡ଼ିକ ସବୁଠାରୁ ଅଧିକ ଖରାପ ହୁଏ । ଏସବୁ ଯାନକୁ ବାରମ୍ବାର ମରାମତି କରିବାକୁ ପଡ଼େ । ଗୋଟିଏ ପକ୍ଷରେ ରାସ୍ତା ଖରାପ ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟୋଲ୍ ଗେଟ୍ରେ ଟିକେଟ୍ ଆଦାୟ କରିବା ଯଥାର୍ଥ ନୁହେଁ ବୋଲି ଏଇ ଅଳ୍ପଦିନ ତଳେ ସୁପି୍ରମକୋର୍ଟ୍ ମତ ଦେଇଛନ୍ତି । ଜାତୀୟ ରାଜପଥଗୁଡ଼ିକରେ ପ୍ରତି ୬୫ କିଲୋମିଟର୍ରେ ଗୋଟିଏ ଗୋଟିଏ ଟୋଲ୍ ଗେଟ୍ ସ୍ଥାପନା କରାଯାଇଛି । ଯାନବାହାନ ମାଲିକମାନଙ୍କର କହିବା କଥା ହେଲା ଗାଡ଼ି କିଣିବା ସମୟରେ ରେଜିଷ୍ଟ୍ରେସନ୍ ଫି ଏବଂ ରୋଡ୍ ଟ୍ୟାକ୍ସ ଦିଆଯାଉଛି । ଥରେ ରୋଡ୍ ଟ୍ୟାକ୍ସ ନିଆଯିବା ପରେ ପୁଣି ଟୋଲ୍ ଟ୍ୟାକ୍ସ କାହିଁକି ନିଆଯାଉଛି? ରୋଡ୍ ଟ୍ୟାକ୍ସ ଏବଂ ଟୋଲ୍ ଟ୍ୟାକ୍ସ ନାମରେ ଗାଡ଼ି ମାଲିକମାନଙ୍କୁ ଶୋଷଣ କରାଯାଉଥିବାର ଏକ ଅଭିଯୋଗ ମଝିରେ ମଝିରେ ଉଠୁଛି । ରାସ୍ତା ଭାଙ୍ଗି ନଷ୍ଟ ହେଲେ ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି ଯଦି କରାଯାଇପାରନ୍ତା, ତାହା ହେଲେ ହୁଏତ ଖର୍ଚ୍ଚ କମ୍ ହୁଅନ୍ତ । ମାତ୍ର ରାସ୍ତା ଥରେ ଭାଙ୍ଗିଲେ, ଗାତ ହୋଇଗଲେ ମାସ ମାସ ଧରି ସେହିପରି ଛାଡ଼ି ଦେଇ ପରେ ମରାମତି କରିଲେ ତାହାର ଖର୍ଚ୍ଚ ନୂଆ ରାସ୍ତା ତିଆରି ଖର୍ଚ୍ଚ ସହିତ ସମାନ ହୋଇଯାଉଛି । ଯେଉଁ ମରାମତି ଅଳ୍ପ ଖର୍ଚ୍ଚରେ ହୋଇପାରିବ ତାକୁ ତୁରନ୍ତ କରାଗଲେ ଲୋକେ ଉପକୃତ ହେବା ସହିତ ସରକାରଙ୍କର ମଧ୍ୟ ଅଳ୍ପ ଖର୍ଚ୍ଚରେ କାମ ହୋଇଯାଇପାରିବ । ହେଲେ ତୁରନ୍ତ ମରାମତି ନକରି ପୁରା ବର୍ଷା ଋତୁଟିକୁ ରାସ୍ତା ଭାଙ୍ଗିବା ପାଇଁ ଛାଡ଼ି ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି । ଯେଉଁଠି ଅଳ୍ପ ମରାମତିରେ କାମ ହୋଇପାରିବ ସେଠାରେ ବଡ଼ ମରାମତି ପର୍ଯ୍ୟନ୍ତ ଅପେକ୍ଷା କରିବା ପଛରେ କିଛି ରହସ୍ୟ ଥିବା ଭଳି ମନେ ହୁଏ । ରାସ୍ତାର ଛୋଟବଡ଼ ମରାମତିକୁ ତୁରନ୍ତ କରି ଦେଲେ ଦୁର୍ଘଟଣା ମଧ୍ୟ କମିଯିବ । କାରଣ ରାସ୍ତା ଖରାପ ଥିବା ସ୍ଥାନରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ହଠାତ୍ ବ୍ରେକ୍ ମାରୁଛନ୍ତି ଏବଂ ପଛ ଗାଡ଼ି ଧକ୍କା କରୁଛି । ଏ ପ୍ରକାରର ଦୁର୍ଘଟଣା ସହରାଞ୍ଚଳ ନିକଟରେ ପ୍ରାୟତଃ ନିତିଦିନିଆରେ ପରିଣତ ହୋଇଗଲାଣି । ଏକ ନିର୍ଦ୍ଦିଷ୍ଟ ବେଗରେ ଗାଡ଼ି ଚଳାଚଳ ପାଇଁ ସୁବିଧାରେ ଏବଂ କମ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରାସ୍ତା ଚଉଡ଼ା ଏବଂ ବିଶ୍ୱସ୍ତରୀୟ ହେଉଛି । ମାତ୍ର ମରାମତି ଅଭାବରୁ ସବୁ ଉଦେ୍ଦଶ୍ୟ ପଣ୍ଡ ହୋଇଯାଉଛି ।