ଗଣମାଧ୍ୟମର ଉତ୍ତରଦାୟିତା ଓ ସ୍ୱାଧୀନତା

ଅର୍ଥ ଉପାର୍ଜନ କରିବା ଲୋଭ ଆଜି ଗଣମାଧ୍ୟମକୁ କବଳିତ କରୁଛି । ଗଣତନ୍ତ୍ରର ମାଲିକ ଓ ସାମ୍ବାଦିକମାନଙ୍କ ପାଇଁ ଏହା ଏକ ବ୍ୟବସାୟିକ ପେଶା ହୋଇପଡିଛି । ବିଜ୍ଞାପନ ପାଇବା ଆଶାରେ ଓ ରୋଜଗାର ନିଶାରେ ଅପସଂସ୍କୃତିକୁ ଆମେ ଡାକି ଆଣୁଛେ । ବିଜ୍ଞାପନର ଅଶ୍ଳୀଳ ବାର୍ତ୍ତାରେ, ମନୋରଞ୍ଜନର କଦାକାର ରୂପରେ ଖବରକାଗଜର ପୃଷ୍ଠା ବଢିବାରେ ଲାଗିଛି । ଏହାର କୁପ୍ରଭାବ ଯୁବସମାଜ ଉପରେ ପଡୁଛି । ଏପରିକି ବ୍ଲାକମେଲ୍‌ କରି ଅର୍ଥ ଉପାର୍ଜନ କରିବା ନିଶା ଗଣମାଧ୍ୟମକୁ ଗ୍ରାସିଛି । ଫଳରେ ଏହା କେତେବେଳେ ଜଣକୁ ‘ଜିରୋ’ ରୁ ‘ହିରୋ’ କରିଦେଉଛି ତ ଆଉ କେତେବେଳେ ଜଣକୁ ‘ହିରୋ’ ରୁ ‘ଜିରୋ’ କରିଦେଉଛି । ନିରପେକ୍ଷ ସମ୍ବାଦ ପରିବେଷଣ ଦିନକୁ ଦିନ କମିବାରେ ଲାଗିଛି ।
ଆଜି ହେଉଛି ଜାତୀୟ ପ୍ରେସ୍‌ ଦିବସ । ଜାତୀୟ ପ୍ରେସ୍‌ ବା ଗଣମାଧ୍ୟମ ପାଇଁ ଏକ ସ୍ମରଣୀୟ ଦିନ । ୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ ଭାରତୀୟ ପ୍ରେସ୍‌  କମିିଶନ ଗଠନ କରାଯାଇଥିଲା ଓ ସେହିବର୍ଷ ନଭେମ୍ବର ୧୬ ତାରିଖରେ ଏହା ବିଧିବଦ୍ଧଭାବେ କାର୍ଯ୍ୟକାରୀ ହୋଇଥିଲା । ଉଦ୍ଦେଶ୍ୟଥିଲା  ଗଣତନ୍ତ୍ରର ସଜାଗ ପ୍ରହରୀଭାବେ କାର୍ଯ୍ୟକରିବା ସହ କୌଣସି ବାହ୍ୟ ପ୍ରବାହରେ ପ୍ରଭାବିତ ନ ହୋଇ ଗଣମାଧ୍ୟମ ନିଜର ଉତ୍ତରଦାୟିତ୍ୱକୁ ନିର୍ବାହ କରିବା ସହ ବ୍ୟକ୍ତିର ବାକ୍‌ ସ୍ୱାଧୀନତାକୁ ସୁରକ୍ଷାଦେବା । ଯଦିଓ ସାରା ବିଶ୍ୱରେ ଅନେକ ପ୍ରେସ୍‌ କାଉନସିଲ ରହିଛି ତଥାପି ଭାରତୀୟ ପ୍ରେସ୍‌ କାଉନସିଲ ତାର ସ୍ୱତନ୍ତ୍ର ସ୍ଥାନ ରଖିବାରେ ସମର୍ଥ ହୋଇଅଛି । ତେଣୁ ଜାତୀୟ ପ୍ରେସ୍‌ ଦିବସ ଅନେକ ଦୃଷ୍ଟିରୁ ଗୁରୁତ୍ୱ ରଖେ । ସେଥିପାଇଁ  ପ୍ରତିବର୍ଷ ବଭିନ୍ନ ଆଲୋଚନା ଚକ୍ର କରାଯାଇ  ଗଣମାଧ୍ୟମର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ସଚେତନତା ସୃଷ୍ଟି କରାଯାଉଅଛି । ଚଳିତବର୍ଷର ବିଷୟବସ୍ତୁ ରହିଛି ଡିଜିଟାଲ ଦୁନିଆରେ ଗଣମାଧ୍ୟମର ଆବଶ୍ୟକତା ଓ ବିଶ୍ୱସନୀୟତା । 
 ଗଣତନ୍ତ୍ର ଶାସନର ସଫଳତା ଚାରୋଟି ସ୍ତମ୍ଭ ଉପରେ ନିର୍ଭର କରେ । ସେମାନେ ହେଲେ - ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ । ପ୍ରଥମସ୍ତମ୍ଭଟି ରାଷ୍ଟ୍ର ପାଇଁ ନୀତି ନିର୍ଦ୍ଧାରଣ କରିବେ, ଦ୍ୱିତୀୟସ୍ତମ୍ଭ ନୀତିକୁ କାର୍ଯ୍ୟକାରୀ କରିବେ, ତୃତୀୟସ୍ତମ୍ଭଟି ନ୍ୟାୟ ବ୍ୟବସ୍ଥା ପାଇଁ ଦାୟୀ ରହିବେ ଓ ଚତୁର୍ଥସ୍ତମ୍ଭ ସତର୍କ ପ୍ରହରୀ ଭାବେ କାର୍ଯ୍ୟ କରିବେ । ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସବୁଠାରୁ ବେଶୀ । ଏକବିଂଶତମ ଯୁଗରେ ସମ୍ବାଦ ଓ ସାମ୍ବାଦିକତାର ଯଥେଷ୍ଟ ଗୁରୁତ୍ୱ ରହିଛି । ଇଣ୍ଟରନେଟ୍‌ ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁଳ ପ୍ରସାର-ପ୍ରଚାର ଗଣତନ୍ତ୍ରର ସୁରକ୍ଷାକୁ ଆହୁରି ଶକ୍ତ ଓ ଦୃଢ କରିପାରିଛି । ଏସବୁ ସତ୍ତେ୍ୱ ପ୍ରିଣ୍ଟିଂ ମିଡିଆ ତାର ସ୍ଥାନ ବଜାୟ ରଖିଛି । ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଆଉ କୌଣସି କଥା ଅଜଣା ହୋଇ ରହୁନାହିଁ । ଘରେ ବସି ରହି ସେ ଦୁନିଆର ଖବର କ୍ଷଣିକରେ ପାଇ ପାରୁଛି । ଗଣମାଧ୍ୟମ ନଥିଲେ ଲୋକେ ଆଖି ଥାଇ ଅନ୍ଧ ଓ କାନ ଥାଇ ବଧିର ହୋଇଯାଆନ୍ତେ । ପୂର୍ବକାଳରେ ଏ ସୁବିଧା ନଥିଲା । ତ୍ୱରିତ ଖବର ପଠାଇବାର କୌଣସି ମାଧ୍ୟମ ନଥିଲା । ତୁଣ୍ଡ ବାଇଦ ସହସ୍ରକୋଶ ବୋଲି ଲୋକମାନେ ଏବେବି କୁହନ୍ତି । ସେତେବେଳେ ତୁଣ୍ଡ ମାଧ୍ୟମରେ ଜଣକ ପାଖରୁ ଅନ୍ୟ ଜଣକ ପାଖକୁ ବା ବାଦ୍ୟଯନ୍ତ୍ର ସାହାଯ୍ୟରେ ବାଜା ବଜାଇ ଜନ୍ମମୃତ୍ୟୁ କି ମହୋତ୍ସବର ସୂଚନା ଜାଣିପାରୁଥିଲେ । ପୂର୍ବେ ହାତଗଣତି ସାମ୍ବାଦିକ ଥିଲେ । ସମ୍ବାଦପତ୍ର ସଂଖ୍ୟା ମଧ୍ୟ ବହୁତ କମ୍‌ ଥିଲା । ଏବେ କିନ୍ତୁ ସାମ୍ବାଦିକଙ୍କ ସଂଖ୍ୟା ଓ ସମ୍ବାଦପତ୍ରର ସଂଖ୍ୟା ଆଶାତୀତ ଭାବେ ବଢିଛି । ପ୍ରତିବର୍ଷ ନୂଆନୂଆ ଖବରକାଗଜ ବଜାରକୁ ଆସୁଛି । ଖବରକାଗଜ ଖବରକାଗଜ ମଧ୍ୟରେ ବିଭିନ୍ନ ଦିଗରୁ ପ୍ରତିଯୋଗିତା ଚାଲିଚି କଳେବରକୁ ନେଇ, ସଂଖ୍ୟାକୁ ନେଇ ନୂଆ ଢଙ୍ଗରେ ପରିବେଷଣକୁ ନେଇ । ପାଠକୀୟ ସ୍ୱୀକୃତିକୁ ମଧ୍ୟ ଚାଲିଛି ତୀବ୍ର ପ୍ରତିଯୋଗିତା । ପ୍ରତିଯୋଗିତା ହେବା ଭଲ, କିନ୍ତୁ ସକାରାତ୍ମକ ଭାବେ ହେବା ଦରକାର । ଏଥିସହିତ ସମାଜର ନିଚ୍ଛକ ଘଟଣା ଛୁଆ ବିକ୍ରି, ଅନାହାର ମୃତ୍ୟୁ, ଶିଶୁ ନିର୍ଯାତନା, ନାରୀ ନିର୍ଯାତନା, ଦୁର୍ନୀତି, ଭ୍ରଷ୍ଟାଚାର, ଶୋଷଣ, କଷଣ ଆଦି ପ୍ରସଙ୍ଗରେ ମଧ୍ୟ ପ୍ରତିଯୋଗିତା ହେବାର ଆବଶ୍ୟକତା ରହିଛି । ଗଣମାଧ୍ୟମ ଏସବୁ ଖବର ଦେଇ ଆମକୁ ସଚେତନ କରାଇବା ସହିତ ଆମ ଆଖି ଖୋଲି ଦେବାର ପ୍ରୟାସ କରିବା ଜରୁରି ହୋଇପଡିଛି । ଏହା ଏକ ସ୍ୱଚ୍ଛ, ନିର୍ମଳ ଦର୍ପଣ ସଦୃଶ । ସେଇଥିପଇଁ ଆଜି ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, କ୍ଷେତର ଚାଷୀଠାରୁ ଚା ଦୋକାନ, ପାନ ଦୋକାନ, ସେଲୁନ ଠାରୁ ଅରମ୍ଭ କରି ହୋଟେଲ, ରେଷ୍ଟୁରାଁ, ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ସମେତ ଛାତ୍ର, ଓକିଲ, ଶ୍ରମିକ ସକାଳ ହେଲେ ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ଖବରକାଗଜ ଦେଖିବାକୁ ପାଇବେ । ତେଣୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛି । 
ପୁରାଣଯୁଗରେ ଦେବର୍ଷି ନାରଦ ତିନିପୁର ଭ୍ରମଣ କରି ଖବରମାନ ପହଞ୍ଚାଉଥିଲେ । ବର୍ତ୍ତମାନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆଉ ତିନିପୁର ଭ୍ରମଣ କରିବାକୁ ପଡୁନାହିଁ । ଏ ଯୁଗରେ ଗଣମାଧ୍ୟମ ଦ୍ରୁତଗତିରେ ଆଗେଇଚାଲିଛି । ଲୋକମାନେ ନ ଜାଣିଥିବା ବାର୍ତ୍ତା, ନଶୁଣିଥିବା ଖବର ଏପରି ଭାବେ ଗଣମାଧ୍ୟମ ପ୍ରଚାରିତ ହେଉଛି ଯେ ଏହାର ମୂଳ କେଉଁଠି କେହି ଟେର ମଧ୍ୟ ପାଆନ୍ତି ନାହିଁ । ମୋବାଇଲ୍‌, କମ୍ପ୍ୟୁଟର୍‌, ଇଣ୍ଟର୍‌ନେଟ୍‌, ଡିଜିଟାଲ୍‌ କ୍ୟାମେରା ଓ ହ୍ୱାଟସ୍‌ଆପ୍‌ ଯୁଗରେ ଗଣମାଧ୍ୟମର ପ୍ରତିନିଧିମାନେ ସହସା ଘଟଣା ଜାଗାରେ ପହଞ୍ଚି ସମ୍ବାଦ ଓ ଫଟୋଚିତ୍ର ସଂଗ୍ରହ କରିପାରୁଛନ୍ତି ତାହା ତତ୍‌କ୍ଷଣାତ୍‌ ସମ୍ବାଦପତ୍ର ମାଧ୍ୟମରେ ପ୍ରକାଶିତ ହୋଇପାରୁଛି । ତତ୍‌ସହିତ ଏହା ଯୁବ ସମାଜ ଉପରେ ବହୁତ ପ୍ରଭାବ ପକାଉଛି । ଆଜିର ଯୁବକମାନେ ଜୀବନ-ଜୀବିକା ପାଇଁ ରାହା ଖୋଜୁଥିବା ବେଳେ ସାମ୍ବାଦିକତା ତାଙ୍କ ପାଇଁ ଜୀବନ-ଜୀବିକାର ମାଧ୍ୟମ ହୋଇଛି ।
ସାଂପ୍ରତିକ ସମୟରେ ଜୀବନ-ଜୀବିକାର ଦାୟିତ୍ୱ ବଢିବାରେ ଲାଗିଛି । ବିଚାର ବିଭାଗ, ମାନବିକ ଅଧିକାର ସୁରକ୍ଷା କମିଶନ ଓ ଅନ୍ୟାନ୍ୟ ସଂସ୍ଥାର ଉପସ୍ଥିତି ସତ୍ତେ୍ୱ ଗଣମାଧ୍ୟମର ଭୂମିକା ଅଧିକ ପ୍ରଭାବଶାଳୀ ମନେ ହେଉଛି । ବର୍ତ୍ତମାନ ଦେଶରେ ଅର୍ଥନୈତିକ ଅପରାଧ ବହୁଗୁଣରେ ବୃଦ୍ଧି ପାଇଛି । ଲାଞ୍ଚ, ଦୁର୍ନୀତି, କଳାଧନ ସୃଷ୍ଟି, ଗରିବଙ୍କ ଅର୍ଥର ବାଟମାରଣା, ଆର୍ଥିକ ସହାୟତାରେ ପାତର ଅନ୍ତର ଘଟଣାମାନ ଘଟିଚାଲିଛି । କେତେକ କ୍ଷେତ୍ରରେ ଗଣମାଧ୍ୟମର ଉଦ୍ୟମ ଅତି ପ୍ରଶଂସନୀୟ ମନେହୁଏ । ବିଗତ ଦିନରେ ଭ୍ରଷ୍ଟାଚାର ବିରୋଧରେ ଆନ୍ନା ହଜାରେଙ୍କ ଆନ୍ଦୋଳନ ଓ ନିର୍ଭୟା ଗଣ ବଳାକ୍ରାର ଘଟଣାରେ ଗଣମାଧ୍ୟମର ଗୁରୁତ୍ୱକୁ କେହି ଅସ୍ୱୀକାର କରିବେନି । ଏହି ଭଳି ଅନେକ ଦୁର୍ନୀତି ଓ କେଳେଙ୍କାରୀର ଅବତାରଣା କରାଯାଇପାରେ। କିନ୍ତୁ ବେଳେ ବେଳେ ସମ୍ବାଦପତ୍ରର ମାଲିକ ସରକାର, ପୁଞ୍ଜିପତି, ଶିଳ୍ପପତି ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଗଲେ ସେଠାରେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ହୋଇପାରେ ନାହିଁ ଓ ଏଠାରେ ଗଣମାଧ୍ୟମର ସ୍ୱର ସଙ୍କୁଚିତ ହୋଇଯାଏ । ରାଷ୍ଟ୍ରପ୍ରହରୀ ଯଦି ରାଷ୍ଟ୍ର ପାଇଁ ବିଶ୍ୱସ୍ତ  ନହୁଏ ତାହେଲେ ଗଣତନ୍ତ୍ର ପ୍ରତି ବିପଦ ମାଡିଆସିବ ।
ଖାଲି ସେତିକି ନୁହେଁ ଅର୍ଥ ଉପାର୍ଜନ କରିବା ଲୋଭ ଆଜି ଗଣମାଧ୍ୟମକୁ କବଳିତ କରୁଛି । ଗଣତନ୍ତ୍ରର ମାଲିକ ଓ ସାମ୍ବାଦିକମାନଙ୍କ ପାଇଁ ଏହା ଏକ ବ୍ୟବସାୟିକ ପେଶା ହୋଇପଡିଛି । ବିଜ୍ଞାପନ ପାଇବା ଆଶାରେ ଓ ରୋଜଗାର ନିଶାରେ ଅପସଂସ୍କୃତିକୁ ଆମେ ଡାକି ଆଣୁଛେ । ବିଜ୍ଞାପନର ଅଶ୍ଳୀଳ ବାର୍ତ୍ତାରେ, ମନୋରଞ୍ଜନର କଦାକାର ରୂପରେ ଖବରକାଗଜର ପୃଷ୍ଠା ବଢିବାରେ ଲାଗିଛି । ଏହାର କୁପ୍ରଭାବ ଯୁବସମାଜ ଉପରେ ପଡୁଛି । ଏପରିକି ବ୍ଲାକମେଲ୍‌ କରି ଅର୍ଥ ଉପାର୍ଜନ କରିବା ନିଶା ଗଣମାଧ୍ୟମକୁ ଗ୍ରାସିଛି । ଫଳରେ ଏହା କେତେବେଳେ ଜଣକୁ ‘ଜିରୋ’ ରୁ ‘ହିରୋ’ କରିଦେଉଛି ତ ଆଉ କେତେବେଳେ ଜଣକୁ ‘ହିରୋ’ ରୁ ‘ଜିରୋ’ କରିଦେଉଛି । ନିରପେକ୍ଷ ସମ୍ବାଦ ପରିବେଷଣ ଦିନକୁ ଦିନ କମିବାରେ ଲାଗିଛି । ଗଣମାଧ୍ୟମ ଏବେ ସରକାରୀ କଳର ହାତବାରିସି ହେବାକୁ ଲାଗିଲେଣି । ଫଳରେ ଗଣମାଧ୍ୟମର ଗାରିମା କ୍ରମଶଃ ହ୍ରାସ ପାଇଲାଣି । ଏବେ ବି ସମୟ ଅଛି ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଗଣମାଧ୍ୟମ ଆଗଭର ହୋଇ ଆସିବା ଦରକାର । ଏଥିପାଇଁ ସ୍ୱାର୍ଥର ଲାଳସା ପରିହାର କରିବାକୁ ହେବ । କିଏ ବା ନଜାଣିଛି ଏକଥା - “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧାଥିଲେ ।” କିନ୍ତୁ ପ୍ରୟୋଗରେ ସବୁ ବ୍ୟତିକ୍ରମ । ଗଣମାଧ୍ୟମ ତାର ଉତ୍ତରଦାୟିତ୍ୱ ନିର୍ବାହ କଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇପାରିବ । 
ହିମାଂଶୁ ଶେଖର  ଆଚାର୍ଯ୍ୟ, ଜଗତସିଂହପୁର
ମୋ - ୯୩୩୭୨୨୧୯୨୪