ନାୟମାତ୍ମା ପ୍ରବଚନେନ ଲଭ୍ୟ


ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଉପନିଷଦର ଅମୃତ ସନେ୍ଦଶ ହେଉଛି, ‘ନାୟମାତ୍ମା ପ୍ରବଚନେନ ଲଭ୍ୟ’  । ପ୍ରବଚନ ଦ୍ୱାରା କେହି ଆତ୍ମଜ୍ଞାନ ଲାଭ କରିପାରେ ନାହିଁ  । ଅଧ୍ୟାତ୍ମଚେତନା ଜାଗ୍ରତ ଓ ବିକାଶ ନିମିତ୍ତ ପ୍ରବଚନ ଏକ ପ୍ରଶସ୍ତ ରାଜମାର୍ଗ  । ଏହାଦ୍ୱାରା ଆତ୍ମଚେତନାର ଉନ୍ମେଷ ଘଟି ଆତ୍ମୋଲବଧିର ମାର୍ଗ ସରଳ, ସୁଗମ ଓ ସହଜ ହୋଇଥାଏ  । ଏହି ଦିବ୍ୟଦୃଷ୍ଟିରେ ସାଧୁ, ସନ୍ଥ, ମହାତ୍ମା, ସିଦ୍ଧ, ସାଧକ, ଜ୍ଞାନୀ, ବିଜ୍ଞ ଓ ପ୍ରାଜ୍ଞଙ୍କ ଦ୍ୱାରା ପ୍ରବଚନର ଧାରା ପ୍ରାଚୀନ ଯୁଗରୁ ଅବ୍ୟାହତ ରହିଆସିଛି  । କିନ୍ତୁ ପ୍ରବଚନ ଲବ୍ଧ ଜ୍ଞାନକୁ କର୍ମରେ ଉପଯୋଗ ନକଲେ ଆତ୍ମୋପଲବ୍ଧ ଅସମ୍ଭବ  । ମନୁଷ୍ୟ ସକଳ କର୍ମ, ଚିନ୍ତା, ଭାବନା ଓ ଅନୁଭୂତିରେ, ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ତା’ର କଥା ଓ କାର୍ଯ୍ୟରେ ଐଶ୍ୱରୀୟ ପ୍ରକୃତି ପ୍ରଦର୍ଶନ କଲେ ହେଁ ଆପଣା ବ୍ୟକ୍ତିତ୍ୱର ଆଭ୍ୟନ୍ତରୀଣ ସତ୍ୟକୁ ଉପଲବ୍ଧ କରିପାରିବ  । ଅହଂଭାବ ରହିତ ନିଃସ୍ୱାର୍ଥ ସେବା, ତ୍ୟାଗ ମୟ ଓ ଉତ୍ସର୍ଗୀକୃତ ପ୍ରେମର ଜୀବନ ଯାପନ କଲେ ମନୁଷ୍ୟ ହୃଦୟଙ୍ଗମ କରିପାରିବ ଯେ ତା’ର ପରିଚୟ ଶରୀର ବା ମନ ନୁହେଁ, ଏକ ଚିରନ୍ତନ ସ୍ୱଚ୍ଛ ପବିତ୍ର ଆଧ୍ୟାତ୍ମିକ ସତ୍ତା ଓ ସକଳ ବିଶ୍ୱରେ ସେହି ସତ୍ତା ହିଁ ବିଦ୍ୟମାନ  । ଏହି ଦିବ୍ୟଉପଲବ୍ଧ ପ୍ରବଚନ ଦ୍ୱାରା ସମ୍ଭବ ନୁହେଁ  । ତେଣୁ ବୈଦିକ ପ୍ରଚେତାବୃନ୍ଦ କହିଯାଇଛନ୍ତି “ପ୍ରବଚନ ଦ୍ୱାରା ଆତ୍ମଜ୍ଞାନ ଅସମ୍ଭବ  ।”
କଟକ ମାରୁତି ମଣ୍ଡପରେ ପ୍ରତିବର୍ଷ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ହୁଏ  । ଭାରତର ତଥା ଓଡ଼ିଶାର ପ୍ରସିଦ୍ଧ ସାଧୁସନ୍ଥ ଓ ବିଖ୍ୟାତ ପ୍ରବକ୍ତା ସେଠାରେ ପ୍ରବଚନ ଦିଅନ୍ତି  । ମୁଁ ନିୟମିତ ଭାବରେ ସେଠାରେ ପ୍ରବଚନ ଶୁଣେ  । ସେତେବେଳେ ଓଡ଼ିଶାରେ ତିନିଚାରିଗୋଟି ସ୍ଥାନରେ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ହୁଏ  । ପ୍ରଥମେ ଏହା କଟକରୁ ଆରମ୍ଭ ହୋଇଥିଲା ଓ ପରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ହେଲା  । ପୁରୀ ସାନଛତା ମଠର ମହନ୍ତ ଗଙ୍ଗା ଦାସ ଓଡ଼ିଶାରେ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନର ଆଦ୍ୟ ଉଦ୍ୟୋକ୍ତା ଓ ଦିଗ୍ଦର୍ଶକ ଥିଲେ  । ତାଙ୍କ ଠାରୁ ମୋ ବାପା ଓ ଜଗଦ୍ବନ୍ଧୁ ମହାପାତ୍ର ପ୍ରଭୃତି କେତେଜଣ ଶ୍ରୀରାମ ଚରିତ ମାନସ ଶିକ୍ଷା କରିଥିଲେ  । ଜଗଦ୍ବନ୍ଧୁୁ ମହାପାତ୍ର ଗଙ୍ଗା ଦାସଙ୍କ ଆଶୀର୍ବାଦରୁ ଶ୍ରୀରାମ ଚରିତ ମାନସର ଓଡ଼ିଆ ଅନୁବାଦ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି  । ଆମ ଢେଙ୍କାନାଳ ଧଳପୁର ଶାସନର ନିତାଇ ଚରଣ ଶତପଥୀ ବାବାଜୀ ହୋଇ ହିମାଚଳ ପ୍ରଦେଶରେ ସାଧନାରତ ଥିଲେ  । ବାବାଜୀ ହେବା ପରେ ତାଙ୍କ ନାମ ହୋଇଥିଲା ବଳରାମ ଦାସ  । ସେ ମଧ୍ୟ ଶ୍ରୀରାମ ଚରିତ ମାନସର ଓଡ଼ିଆ ପଦ୍ୟାନୁବାଦ କରିଥିଲେ, କିନ୍ତୁ ତାହା ବହୁଦିନ ପର୍ଯ୍ୟନ୍ତ ପ୍ରକାଶ ହୋଇପାରିନଥିଲା  ।  ସମାଜର ସୁଯୋଗ୍ୟ ସଂପାଦକ ପଦ୍ମଭୂଷଣ ରାଧାନାଥ ରଥ ଓ ଲକ୍ଷ୍ନୋ÷ର ଭୁବନବାଣୀ ଟ୍ରଷ୍ଟର ସଂସ୍ଥାପକ ନନ୍ଦକୁମାର ଅୱସ୍ତିଙ୍କ ମିଳିତ ପ୍ରଚେଷ୍ଟାରେ ସେହି ଗ୍ରନ୍ଥଟି ପ୍ରକାଶ ପାଇ ବହୁ ସଂସ୍କରଣ ହେଲାଣି । ଜଗଦ୍ବନ୍ଧୁ ମହାପାତ୍ରଙ୍କ ତୁଳସୀ ରାମାୟଣର ତିରିଶ ଗୋଟି ସଂସ୍କରଣ ହେଲାଣି । ଅନ୍ୟାନ୍ୟ ବହୁ ବ୍ୟକ୍ତି ମଧ୍ୟ ଶ୍ରୀରାମ ଚରିତ ମାନସର ଓଡ଼ିଆ ଅନୁବାଦ କଲେଣି  । ଏହାର ବ୍ୟାପକ ପ୍ରଚାର ଓ ପ୍ରସାରରେ ମହନ୍ତ ଗଙ୍ଗାଦାସଙ୍କ ଭୂମିକା ଉଲ୍ଲେଖନୀୟ  । କୋ÷ଣସି କାରଣବଶତଃ ଗଙ୍ଗା ଦାସ ଯାଇ ଅଯୋଧ୍ୟାରେ ନିବାସ କଲେ ଓ ପୁରୀ ପ୍ରତ୍ୟାବର୍ତ୍ତନ କଲେ ନାହିଁ  ।  ତେଣୁ କଟକ ମାରୁତି ମଣ୍ଡପରେ ପ୍ରଥମେ ମାନସ ପାରାୟଣ ଓ ପ୍ରବଚନ ଆରମ୍ଭ ହେଲା  । ଏହାର ବହୁ ବର୍ଷ ପରେ ପୁରୀ ସାନଛତା ମଠର ବାବାଜୀ ରାମରତନ ଦାସ ଗୋଟିଏ ଶ୍ରୀରାମ ଦୟା ପରିଷଦ ଗଠନ କରି ସିଂହଦ୍ୱାରାରେ ମାନସ ପାରାୟଣ ଓ ପ୍ରବଚନ ଆରମ୍ଭ କଲେ  । ବର୍ତ୍ତମାନ ଓଡ଼ିଶାରେ ପାଞ୍ଚଶହରୁ ଊଦ୍ଧ୍ୱର୍ ସ୍ଥାନରେ ମାନସ ପାରାୟଣ ଓ ପ୍ରବଚନ ହେଉଅଛି   । ଓଡ଼ିଶାରେ ଶହ ଶହ ପ୍ରବକ୍ତା ବାହାରିଲେଣି  । ପ୍ରବଚନର ଧାରା ମଧ୍ୟ ବଦଳିଗଲାଣି  । ପ୍ରବକ୍ତାମାନେ ତବଲା, ମୃଦଙ୍ଗ, ହାରମୋନି ପ୍ରଭୃତି ବାଦ୍ୟଯନ୍ତ୍ର ସହ ପାଳିଆମାନଙ୍କୁ ଧରି ପାଲା ଢଙ୍ଗରେ ପ୍ରବଚନ ଦେଲେଣି  । ଘରୋଇ ଦୂରଦର୍ଶନ ଚାନେଲମାନଙ୍କରେ ପ୍ରତିଦିନ ବିଭିନ୍ନ ପ୍ରବକ୍ତାମାନଙ୍କ ଦ୍ୱାରା ପ୍ରବଚନ  ଚାଲିଛି  । କିନ୍ତୁ ଏହାର କୋ÷ଣସି  ପ୍ରଭାବ ଲୋକଙ୍କ  ଉପରେ ପଡୁନାହିଁ  । ସଂପ୍ରତି ପ୍ରବଚନ ମନୋରଞ୍ଜନରେ ପରିଣତ ହୋଇଛି  । ଭାରତର ପ୍ରତିଷ୍ଠିତ ସାଧୁସନ୍ଥ ଓ ପ୍ରବକ୍ତା ଓଡ଼ିଶା ଆସି ମଧ୍ୟ ପ୍ରବଚନ ଦେଉଛନ୍ତି, କିନ୍ତୁ ଫଳ ଶୂନ୍ୟ  ।
ଅତିବଡି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିବା ପରେ ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ହୋଇଗଲା  । ଗ୍ରାମବାସୀମାନେ ଏହିସବୁ ଭାଗବତ ଟୁଙ୍ଗିରେ ଭାଗବତ ସପ୍ତାହ ପାଳନ କରୁଥିଲେ  । ସମଗ୍ର ଗ୍ରାମବାସୀ ଏହି ସାତଦିନ ସେଠାରେ ଭାଗବତ ଶୁଣନ୍ତି  । ସେତେବେଳେ ଭାଗବତର କୋ÷ଣସି ପ୍ରବଚନ ହେଉନଥିଲା, ଅଥଚ ନିରକ୍ଷର ଗ୍ରାମବାସୀ ଶୁଣି ଶୁଣି ଭାଗବତରେ ଶିକ୍ଷଣୀୟ ପଦସମୂହ ମନେ ରଖୁଥିଲେ ତଥା ତଦନୁଯାୟୀ ଭାଗବତ ଧର୍ମ ପାଳନ କରୁଥିଲେ  । ବର୍ତ୍ତମାନ ଅଗଣିତ ସ୍ଥାନରେ ଭାଗବତର ପ୍ରବଚନ  ହେଉଛି, ଅଥଚ ତହିଁରେ କୋ÷ଣସି ପ୍ରଭାବ ଲୋକଙ୍କ ଉପରେ ପଡୁନାହିଁ  । ସଂପ୍ରତି ପ୍ରବଚନର ରୂପ, ରଙ୍ଗ ଓ ରସରେ କିଛି ପରିବର୍ତ୍ତନର ସୂତ୍ରପାତ ହେବା ଦ୍ୱାରା ପ୍ରବଚନ ଦ୍ୱାରା ଚିରସ୍ଥାୟୀ ଆନନ୍ଦ ସୃଷ୍ଟି ନଦେଇ ସୁଖ ସୃଷ୍ଟି ହେଉଛି  । ପ୍ରବଚନ ହେଉଛି ପ୍ରକୃଷ୍ଟ ବଚନ  । ପ୍ରବକ୍ତା ସ୍ୱକୀୟ ସତ୍ୟାନୁଭୂତି ସମ୍ବଳିତ ପ୍ରକୃଷ୍ଟ ବଚନ ହିଁ ପରିବେଷଣ କରିଥାନ୍ତି  । ସେଥିରେ କିଛି କଳ୍ପନା, କଳ୍ପନା ସଂଯୋଜିତ ଗଳ୍ପ ଓ ମନୋମୁଗ୍ଧକର ସଙ୍ଗୀତ ପରିବେଷଣ କରାଗଲେ ତାହା ଆନନ୍ଦ ପରିବର୍ତ୍ତେ ସୁଖ ହିଁ ଦେବ  । ଆନନ୍ଦ ଚିରସ୍ଥାୟୀ ଏବଂ ସୁଖ କ୍ଷଣସ୍ଥାୟୀ  । ଅନେକ ପ୍ରବକ୍ତା ହରିକଥା ସହିତ ରସରସିଆ, ମନମତାଣିଆ, ହସ କୋ÷ତୁକିଆ କଥା ସଂଯୋଜନା କରି ଶ୍ରୋତାମାନଙ୍କର ମନୋରଞ୍ଜନ କରୁଛନ୍ତି  ।  କେତେକ ସ୍ଥାନରେ ପ୍ରତ୍ୟେହ ତିନିଚାରିଜଣ ପ୍ରବକ୍ତା ଦୀର୍ଘରାତ୍ରି ପର୍ଯ୍ୟନ୍ତ ପ୍ରବଚନ ପ୍ରଦାନ ପୂର୍ବକ ଶ୍ରୋତାମାନଙ୍କର ମନୋରଞ୍ଜନ କଲେଣି  । ଅବଶ୍ୟ କେତେକ ସ୍ଥଳରେ ସିଦ୍ଧମହାତ୍ମାଙ୍କ ଦ୍ୱାରା ଆତ୍ମାନୁଭୂତି ସଂପର୍କିତ ଯଥାର୍ଥ ପ୍ରବଚନ ହେଉଛି  ।
ମୁଁ କଟକ ମାରୁତି ମଣ୍ଡପ, ଗୋପାଳଜୀଉ  ମନ୍ଦିର, ରାସବିହାରୀ ମଠ, ପାରେଶ୍ୱର ସାହି ବୟାବାବାଙ୍କ ମଠ, ସଚ୍ଚିଦାନନ୍ଦ ମଠ ପ୍ରଭୃତିରେ ପ୍ରବଚନ ଶୁଣି ଏହା ପ୍ରତି ଅନୁରକ୍ତ ହେଲି  । ଏହି ସବୁ ସ୍ଥାନରେ ସାଧୁ, ସନ୍ଥ ଓ ବୈଷ୍ଣବଙ୍କ ସହିତ  ଅଧ୍ୟାପକ ରଙ୍ଗାଧର ଷଡଙ୍ଗୀ ଓ ପଣ୍ଡିତ ରାମକୃଷ୍ଣ ଶାସ୍ତ୍ରୀ ପ୍ରବଚନ ଦିଅନ୍ତି  । ସେମାନଙ୍କ ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି  । ‘ମୁଁ ଦିନେ ପ୍ରବଚନ ଦେବି’  ଏକଥା କଳ୍ପନା ବି କରିନଥିଲି  । ନାମାଚାର୍ଯ୍ୟ ବାୟାବାବା ଓ ତାଙ୍କ ଗୁରୁଭାଇ ବୈଷ୍ଣବ ଚରଣ ଦାସ ମୋତେ ପ୍ରବଚନ ଦେବା ପାଇଁ କହିଲେ  । ମୁଁ ମନା କରିବାରୁ ବାୟାବାବା କହିଲେ, ‘ବାବା ! ତୁମ ସଦୃଶ ଯୁବଗୋଷ୍ଠୀ ପ୍ରବଚନ ନଶିଖିଲେ ଏହି ଅନୁଷ୍ଠାନ ଗୁଡିକ ବଞ୍ଚôବ କେମିତି  । ତୁମେ ବୋଧ ହୁଏ ଭୟ କରୁଛ  । କିନ୍ତୁ ଲୋକଙ୍କୁ ଦି’ପଦ ହରିକଥା କହିବାର ଯୋଗ୍ୟତା ତୁମ ଭିତରେ ଅଛି ବୋଲି ବାୟା ହୃଦବୋଧ କରୁଛି  । ତାଙ୍କ ସଦୃଶ ଜଣେ ସିଦ୍ଧାଚାର୍ଯ୍ୟଙ୍କ କଥା ମୁଁ ଏଡେଇ ଦେଇପାରିଲି ନାହିଁ  । ତାଙ୍କ ସାଥୀରେ ପ୍ରବଚନ ଦେବାକୁ ମୁଁ କେନ୍ଦ୍ରାପଡା ନୃସିଂହ ଟିକିରି ମଠକୁ ଗଲି  । ଏହା ୧୯୬୭ ମସିହା କାର୍ତ୍ତିକ ମାସର କଥା  । ଏହି ମଠଟି ବାୟାବାବାଙ୍କର ଅନ୍ୟ ଏକ ଆଶ୍ରମ  । ବହୁ ପୂର୍ବରୁ ସେଠାରେ କ୍ଷୁଦ୍ର ନୃସିଂହ ମୂର୍ତ୍ତି ପୂଜା ପାଉଥିଲେ  । ତେଣୁ ବାୟାବାବା ମଠଟିର ନାମ ନୃସିଂହ ଟିକିରି ମଠ ରଖିଲେ  । ସନ୍ଧ୍ୟାବେଳକୁ ପ୍ରବଚନ ଆରମ୍ଭ ହେଲା  । କିଛି ମୂର୍ତ୍ତି ସାଧୁ ବୈଷ୍ଣବଙ୍କ ସହ ପ୍ରାୟ ଦୁଇଶହ ଶ୍ରୋତା ଉପସ୍ଥିତ ଥିଲେ  । ଶ୍ରୋତାଙ୍କ ମଧ୍ୟରେ ଅଖାବାବାଜୀ ବା ଅଧିକାରୀ କୃପାସିନ୍ଧୁ ଦାସ, ପଣ୍ଡିତ ବାଞ୍ଚାନିଧି ଦାଶ ଓ ପଣ୍ଡିତ ପ୍ରହଲ୍ଲାଦ ମିଶ୍ର ଉପସ୍ଥିତ ଥିଲେ  । ଏମାନେ ମୂର୍ଦ୍ଧନ୍ୟ ପଣ୍ଡିତ  । ତେଣୁ ମୋତେ ଭୟ ଲାଗିଲା  । କେବଳ ନାମାଚାର୍ଯ୍ୟ ବାୟାବାବା ମୋତେ ସାହସ ଓ ଶକ୍ତି ଦେଉଥାନ୍ତି  । ଦେବକୀ ନନ୍ଦନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ମୁଁ ମଞ୍ଚକୁ ଯାଇ ବାୟାବାବାଙ୍କ ନିକଟରେ ବସିଲି  । ପ୍ରଥମେ ଶ୍ରୀ ଗୁରୁ ସ୍ମରଣ, ଗଣେଶ ଓ ସରସ୍ୱତୀଙ୍କ ସ୍ତୋତ୍ର, ଶ୍ରୀକୃଷ୍ଣଙ୍କ ପ୍ରାର୍ଥନା ବୋଲି ନାମ ସଂକୀର୍ତ୍ତନ କଲି  । ସମବେତ ଶ୍ରୋତା ମଧ୍ୟ ପାଳି ଧରିଲେ  । ପ୍ରଥମରେ ଉପସ୍ଥିତ ଶ୍ରୋତାମାନଙ୍କୁ ପ୍ରଣାମ ଜଣାଇ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାମୃତ ବ୍ୟାଖ୍ୟାନ କରିବ ବୋଲି ସଂକ୍ଷିପ୍ତ ସୂଚନା ଦେଲି  । ତତ୍ପରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଶାନ୍ତ, ବାତ୍ସଲ୍ୟ, ସଖ୍ୟ, ଦାସ ଓ ମଧୁର ପଞ୍ଚଭାଗରେ ବିଭକ୍ତ କରି ଶ୍ରୋତାଙ୍କୁ ବୁଝାଇଲି  । ପ୍ରସଙ୍ଗ କ୍ରମେ  ଭାଗବତ, ଗୋପୀ ଭାଷା, ମଥୁରା ମଙ୍ଗଳ ପ୍ରଭୃତିର ପଦମାନ ବୋଲି ଶୁଣାଇଲି  । ଶ୍ରୋତା ସମାଜ ଆଗ୍ରହର ସହ ଶୁଣୁଥିବା ଲକ୍ଷ୍ୟ କରୁଥାଏ  । ପ୍ରବଚନର ଧାରା ମୁଁ ଚ୍ଛିନ୍ନ କରୁନଥାଏ  । ପରିଶେଷରେ ମୁଁ ପ୍ରଦାନ କରିଥିବା ପ୍ରବଚନ ବିଷୟରେ ସଂକ୍ଷେପରେ ସୂଚନା ଦେଇ ବାୟାବାବା, ବୈଷ୍ଣବ ବୃନ୍ଦ ଓ ଶ୍ରୋତାମାନଙ୍କୁ ପ୍ରଣତି ଯଥା ଧନ୍ୟବାଦ ଦେଇ ପ୍ରବଚନ ଶେଷ କଲି  । ମୋତେ ଘଣ୍ଟାଏ କହିବାକୁ ନିଦେ୍ର୍ଦଶ ଥିଲା  । ମୁଁ ଠିକ୍ ଘଣ୍ଟାଏକ କହିଲା ପରେ ବନ୍ଦ କଲି  । ତାହା ମୋର ପ୍ରଥମ ପ୍ରବଚନ ଥିଲେ ହେଁ ପିତାମାତା ଓ ସାଧୁସନ୍ଥଙ୍କ ଆଶୀର୍ବାଦରୁ  ଶ୍ରୋତାମାନଙ୍କର ଗ୍ରାହ୍ୟ ହେଲା ବୋଲି ଅନୁଭବ  କଲି  । ଶେଷରେ ନାମାଚାର୍ଯ୍ୟ ବାୟାବାବା ଓ ଅନ୍ୟାନ୍ୟ ବୈଷ୍ଣବ ବୃନ୍ଦଙ୍କୁ ପ୍ରଣତି ଜଣାଇ ମଞ୍ଚରୁ ତଳକୁ ଓହ୍ଲାଇଲି  । ତହିଁ ପରଦିନ ମୁଁ ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଗରାପୁର ଆଶ୍ରମରେ ଶ୍ରୀରାମ ଚରିତ ମାନସ ଉପରେ ପ୍ରବଚନ ଦେଲି  । ସେଠାରେ ତିନିଶହରୁ ଅଧିକ ଶ୍ରୋତା ଉପସ୍ଥିତ ଥିଲେ  । ବାଳକାନନ୍ଦ ଦାସ ଶ୍ରୀରାମ ସ୍ତୋତ୍ର ଓ ହନୁମାନ ଚାଳିଶା ବୋଲିବା ପରେ ପ୍ରବଚନ ଆରମ୍ଭ ହେଲା । ପ୍ରବଚନର ବିଷୟବସ୍ତୁ ଥିଲା “ରାମାୟଣ ଓ ଶ୍ରୀରାମ ଚରିତ ମାନସ ମଧ୍ୟରେ ପ୍ରଭେଦ”  । ମୁଁ ଗୁରୁବନ୍ଦନା, ଗଣେଶ ଓ ସରସ୍ୱତୀଙ୍କ ବନ୍ଦନା, ରାମଙ୍କ ବନ୍ଦନା, ଶିବ ପାର୍ବତୀ ବନ୍ଦନା ଓ ହନୁମାନ ବନ୍ଦନା ବୋଲିବା ପରେ ବାବାଙ୍କୁ  ସମ୍ମାନ ଜଣାଇ ପ୍ରବଚନ ଆରମ୍ଭ କଲି  । ପ୍ରବଚନରେ ମୋର ବକ୍ତବ୍ୟ ଥିଲା ରାମାୟଣ ହେଉଛି ମହର୍ଷି ବାଲ୍ମୀକିଙ୍କ ରାମଚରିତ ବିଷୟକ ସଂସ୍କୃତ ମହାକାବ୍ୟ ଓ ଶ୍ରୀରାମ ଚରିତ ମାନସ ହେଉଛି ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ରାମ ଚରିତ ବିଷୟକ ଅୱଧୀ ଭାଷାର ମହାକାବ୍ୟ  । ରାମାୟଣ ହେଉଛି ମନ୍ଦିର ଓ ଶ୍ରୀରାମଚରିତ ମାନସ ହେଉଛି ରାମ ଚରିତର ସରୋବର  । ମନ୍ଦିର ଓ ସରୋବର ମଧ୍ୟରେ ବହୁ ପାର୍ଥକ୍ୟ ରହିଛି  । ମନ୍ଦିର ପ୍ରବେଶ ଓ ଠାକୁର ଦର୍ଶନରେ ମୁଖ୍ୟତଃ ତିନିଗୋଟି ବାଧା ରହିଥାଏ  । ପ୍ରଥମ ବାଧା ଅସମୟରେ ଗଲେ ମନ୍ଦିର ବନ୍ଦ ଥାଏ, ଦ୍ୱିତୀୟ ବାଧା ପବିତ୍ର ଅବସ୍ଥାରେ ନଥିଲେ ମନ୍ଦିରକୁ ପ୍ରବେଶ କରିହୁଏ ନାହିଁ ଏବଂ ତୃତୀୟ ବାଧା ହେଉଛି ମନ୍ଦିରକୁ ପ୍ରବେଶ କଲେ ମଧ୍ୟ ଠାକୁରଙ୍କୁ ଛୁଇଁ ହୁଏ ନାହିଁ, କେବଳ ଦର୍ଶନ କରିହୁଏ  । କିନ୍ତୁ ସରୋବରରେ ଏହି ତିନି ମୁଖ୍ୟ ବାଧା ନାହିଁ  । ପ୍ରଥମତଃ ଅସମୟରେ ମନ୍ଦିର ସିନା ବନ୍ଦ ଥାଏ, କିନ୍ତୁ ସରୋବର ସର୍ବଦା ଉନ୍ମୁକ୍ତ  । ଦ୍ୱିତୀୟତଃ ପବିତ୍ର ଅବସ୍ଥାରେ ମନ୍ଦିରକୁ ଯାଇ ହୁଏ, କିନ୍ତୁ ସରୋବରକୁ କେହି ଅପବିତ୍ର ଅବସ୍ଥାରେ ଗଲେ ସ୍ନାନ ପରେ ପବିତ୍ର ହୋଇଯାଏ  । ତୃତୀୟରେ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ କେହି ଛୁଇଁ ପାରିବେ ନାହିଁ, ଅଥଚ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ଯିଏ ସରୋବରକୁ ଆସୁ ପଛେ ସେ ସରୋବରକୁ ଛୁଇଁ ପାରିବ  । ଅର୍ଥାତ୍ ରାମାୟଣର ବାଧାତ୍ରୟ ଶ୍ରୀରାମ ଚରିତ ମାନସରେ ଉପଲବ୍ଧ ହୁଏ ନାହିଁ  । ଶ୍ରୀରାମ ଚରିତ ମାନସକୁ ଏକ ସରୋବର ଭାବରେ ବର୍ଣ୍ଣନା କରି ତୁଳସୀ ଦାସ କହିଛନ୍ତି:-
ମୁଠି ସୁନ୍ଦର ସମ୍ବାଦ ବର ବିରଚେ ବୁଦ୍ଧି ବିଚାରି
ତେଲ ଏହି ପାବନ ସୁଭଗ ସର ଘାଟ ମନୋହର ଚାରି  । ଶିବ ପାର୍ବତୀ ସମ୍ବାଦ, କାକାଭୂଷଣ୍ଡୀ ଗରୁଡ଼ ସମ୍ବାଦ, ଯାଜ୍ଞବଲ୍କ୍ୟ ଭରଦ୍ୱାଜ ସମ୍ବାଦ ଓ ତୁଳସୀ ଦାସ ତଥା ଅଗଣିତ ଶ୍ରୋତାଙ୍କ ସମ୍ବାଦ ହେଉଛି ଏହି ସରୋବରର ଚାରିଘାଟ  । ସପ୍ତପ୍ରବନ୍ଧ ହେଉଛି ସପ୍ତପାବଚ୍ଛ, ଶ୍ରୀରାମଙ୍କ ମହିମା ହେଉଛି ଅଗାଧ ଜଳ, ସୀତାରାମଙ୍କ ଯଶ ହେଉଛି ଅମୃତବାରି, ଉପମା-ବିଳାସ ହେଉଛି ତରଙ୍ଗ, ଛନ୍ଦ ଓ ସୋରଠା ହେଉଛି ବହୁବିଧ ପଦ୍ମ, ସୁନ୍ଦର ଚୋ÷ପାଇ ଗୁଡିକ  ମଣି ଓ ଶାମୁକା ସଦୃଶ ଓ ନବରସ ହେଉଛନ୍ତି ଜଳଚର  । ଏହିପରି ଭାବରେ ମୁଁ ଏକ ଘଣ୍ଟା ତିରିଶ ମିନିଟ୍ ପ୍ରବଚନ ଦେଲି  । ଶେଷରେ ବାବା ଓ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରବଚନ ଶେଷ କଲି  । ଶ୍ରୀଜଗନ୍ନାଥଙ୍କ କରୁଣା, ସାଧୁସନ୍ଥଙ୍କ ଆଶୀର୍ବାଦ ଓ ପିତାମାତାଙ୍କ ପୁଣ୍ୟ ପ୍ରଭାବରୁ ମୁଁ ୧୯୬୭ରୁ ପ୍ରବଚନ ଦେଉଛି  । ଚଳିତ ଶକ୍ତି ବିହୀନ ହୋଇ ମଧ୍ୟ ଓଡ଼ିଶାର ସବୁ ସ୍ଥାନକୁ ଯାଇପାରୁଛି  । ଏପରିକି ଓଡ଼ିଶା ବାହାରେ କଲିକତା, ଖଡଗ୍ପୁର, ମେଦିନୀପୁର, ପୁରୁଲିଆ, ଷଢେଇକଳା, ଟାଟା, ରାଞ୍ଚô, ବାଙ୍କୁଡା, ଗୋ÷ହାଟୀ, ଧାନବାଦ, ଗୟା, ବାରଣାସୀ, ଉଜ୍ଜୟିନୀ, ଦିଲ୍ଲୀ ପ୍ରଭୃତି ସ୍ଥାନରେ ପ୍ରବଚନ ଦେଇ ଶ୍ରୋତାଙ୍କର ଶ୍ରଦ୍ଧାଭାଜନ ହୋଇପାରିଛି  । ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ପ୍ରବଚନ ଦେଇଛି ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଛି  । ପ୍ରବଚନ ନିମିତ୍ତ, କେବେ ହେଁ ମୁଁ କୋ÷ଣସି ଅନୁଷ୍ଠାନ ବା ବ୍ୟକ୍ତିଠାରୁ ପାରିଶ୍ରମିକ ଗ୍ରହଣ କରିନାହିଁ  । କୋ÷ଣସି ଘରୋଇ ଟିଭି ଚାନେଲରେ ମୁଁ ପ୍ରବଚନ ଦେବାକୁ ଅନିଚ୍ଛୁକ  । ମୁଁ ପ୍ରବଚନ ଦେବା ୫୮ ବର୍ଷ ହେଲାଣି  । ଏହି ପରିଣତ ବୟସରେ ତଥା ଅସୁସ୍ଥତା ସତ୍ତ୍ୱେ ମୁଁ ପ୍ରବଚନ ଦେଇପାରୁଛି  । ସବୁ ସେହି ବଳୀୟାର ଭୁଜ ଶ୍ରୀଜଗନ୍ନାଥଙ୍କ କରୁଣା  ।
ଆନନ୍ଦବଜାର, କାଠଗଡା
ମୋ-୮୮୯୫୨୩୦୭୨୨