ବର୍ଷାରେ ବେହାଲ ସରକାରୀ ଦପ୍ତର : ସିଡିପିଓ ଓ କୃଷି ବିଭାଗ କାର୍ଯ୍ୟାଳୟରେ ପାଣି
ରାଜନଗର : ଲଘୁଚାପଜନିତ ଲଗାଣ ବର୍ଷାରେ ରାଜନଗର ବ୍ଲକରେ ଥିବା ବିଭିନ୍ନ ଦପ୍ତର ଅବସ୍ଥା ବେହାଲ ହୋଇଛି । କାର୍ଯ୍ୟାଳୟକୁ ଯିବା ପାଇଁ ହେଲେ ବର୍ଷା ପାଣିରେ ପଶି ଯିବାକୁ ପଡୁଛି । ଭିତରେ ମଧ୍ୟ ବର୍ଷାଜଳ ଲହଡି ମାରୁଛି । ଶିଶୁ ବିକାଶ ପ୍ରକଳ୍ପ (ସିଡିପିଓ) କାର୍ଯ୍ୟାଳୟ ଆଗରେ ଦୁଇରୁ ଅଢେଇ ଫୁଟ ପାଣି ଜମି ରହିବା ଫଳରେ ଭିତରକୁ ପ୍ରବେଶ କରିଛି । ଏହି କାର୍ଯ୍ୟାଳୟର ବିଭିନ୍ନ କୋଠରୀରେ ପାଣି ଜମି ରହିବା ଫଳରେ କର୍ମଚାରୀଙ୍କୁ କାମ କରିବା କାଠିକରପାଠ ହୋଇଛି । ସାମାନ୍ୟ କାଗଜଟିଏ ତଳେ ପଡିଗଲେ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସିଡିପିଓ କାର୍ଯ୍ୟାଳୟରେ ଏକ ପ୍ରକାର ସରକାରୀ କାର୍ଯ୍ୟ ଠପଯାଇଛି । ସେହିପରି ବ୍ଲକ କୃଷି କାର୍ଯ୍ୟାଳୟରେ ମଧ୍ୟ ବର୍ଷାଜଳ ଜମି ରହିବା ଫଳରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉଭୟ ସରକାରୀ ଦପ୍ତରରୁ ଅଗ୍ନିଶମ ବାହିନୀ ସାହାଯ୍ୟରେ ବର୍ଷାଜଳ ନିଷ୍କାସନ କରାଯାଇଥିଲା । ଉଭୟ ସରକାରୀ ଦପ୍ତର ଏଭଳି ନିର୍ମାଣ କରାଯାଇଛି ବର୍ଷା ହେଲେ ବର୍ଷାଜଳ ନିଷ୍କାସନ ହୋଇନପାରିବ ନାହିଁ । ସମସ୍ୟା ଲାଗି ରହିବ । ଏହାର ସ୍ଥାୟୀ ପ୍ରତିକାର କରାଯିବା ଆବଶ୍ୟକ ।