ବିପଦଜନକ ଅବସ୍ଥାରେ ଚାଲିଛି ଗୋପ ହାଟ
କେନ୍ଦ୍ରାପଡ଼ା: ପାରାଦ୍ୱୀପ ଚଣ୍ଡିଖୋଲ ରାସ୍ତାର ଗୋପ ଛକ ଠାରେ ଜାତୀୟ ରାଜପଥ କଡକୁ ଲାଗି ବିପଦ ଶଙ୍କୁଳ ଅବସ୍ଥାରେ ଗୋପ ହାଟ ଚାଲୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ପ୍ରଶସ୍ତିକରଣ ଚାଲୁଥିବା ବେଳେ ଭାରୀଯାନ ଗୁଡିକ ଓ ମାଲ ବୋଝେଇ ଯାନ ଗୁଡିକ ସହିତ ତେଲ ଟ୍ୟାଙ୍କର ଶହ ଶହ ସଂଖ୍ୟାରେ କ୍ରମାଗତ ଭାବେ ଯାତାୟତ କରୁଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟବସାୟୀ ମାନେ ପସରା ଖୋଲି ବସି ରହୁଥିବାରୁ ଯେକୈାଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ବଢି ଚାଲିଛି । ପ୍ରକାଶ ଥାଉକି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଦ୍ୱାରା କରା ଯାଇଥିବା ହାଟଗୃହ ଭିତରେ ଜାବତୀୟ ଅଳିଆ, ଆବର୍ଜନା, ଆଣ୍ଠୁଏ ପାଣି, କାଦୁଅ ଓ ପଚାସଢା ଜିନିଷ ପଡି ରହିଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି । ଯାହା ଫଳରେ ବ୍ୟବସାୟୀ ମାନେ ହାଟ ଭିତରକୁ ଯିବାକୁ ରାଜି ହେଉ ନାହାଁନ୍ତି । ନିୟନ୍ତ୍ରିତ ବଜାର କମିଟି ଏହି ହାଟ ଗୃହ ଗୁଡିକୁ ଗୁରୁତ୍ୱ ଦେଉନାହିଁ କିମ୍ବା କେବେବି ସଫାସୁତରା କରୁ ନଥିବାରୁ ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି ।