ଗଙ୍ଗୁଆନାଳ ଓ ଦୟା କେନାଲ ବୁଲିଲେ ସଚିବ : ଜବରଦଖଲ ଉଚ୍ଛେଦକୁ ଗୁରୁତ୍ୱ

 ଭୁବନେଶ୍ୱର  : ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଆଜି ବିଏମ୍ସି ଏବଂ ବିଡିଏ ଅଧୀନରେ ଥିବା ଗଙ୍ଗୁଆନାଳ ଓ ଦୟା ପଶ୍ଚିମକେନାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସହରାଞ୍ଚଳ ବନ୍ୟା ଆହ୍ୱାନର ମୁକାବିଲା କରିବା ଏବଂ ଭୁବନେଶ୍ୱରରେ ଜଳାଶୟ ଗୁଡ଼ିକର ସ୍ଥାୟୀ ପରିଚାଳନାକୁ ସୁଦୃଢ଼ କରିବାକୁ ଆଖି ଆଗରେ ରଖି ଆଜି ସଚିବ ଦୁଇଟି ସ୍ଥାନ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ବିଏମ୍ସି କମିଶନର ରାଜେଶ ପ୍ରବାକର ପାଟିଲ, ବିଡିଏ ଉପାଧ୍ୟକ୍ଷ ଡ. ଏନ୍. ତିରୁମାଲା ନାୟକ, ଅତିରିକ୍ତ ସଚିବ ଶତ୍ରୁଘ୍ନ କର ଏବଂ ବିଏମ୍ସି ଏବଂ ବିଡିଏର ବରିଷ୍ଠ ଯନ୍ତ୍ରୀଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ସହରର ଜଳ ପରିଚାଳନା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଜଳ ନିଷ୍କାସନ ଚ୍ୟାନେଲ ଏବଂ ସମ୍ପୃକ୍ତ ଜଳାଶୟଗୁଡ଼ିକର ସ୍ଥିତିକୁ ଆକଳନ କରିବା ଏହି ଗସ୍ତର ପ୍ରମୁଖ ଉଦେ୍ଦଶ୍ୟ ଥିଲା । ଏହି ଚ୍ୟାନେଲଗୁଡ଼ିକର ପ୍ରାକୃତିକ ପ୍ରବାହକୁ ସହଜ କରିବା, ଅବରୋଧମୁକ୍ତ କରିବା ଏବଂ ପୁନରୁଦ୍ଧାର କରିବା ପାଇଁ ତୁରନ୍ତ ଏବଂ ଦୀର୍ଘକାଳୀନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ସେହିପରି ଜବରଦଖଲ ସମସ୍ୟା, ଢାଞ୍ଚାଗତ ପ୍ରତିବନ୍ଧକ ଏବଂ ଏହି ସହରାଞ୍ଚଳ ଜଳସ୍ରୋତର ଜଳ ପରିବହନ କ୍ଷମତା ଏବଂ ପରିବେଶ ସନ୍ତୁଳନ ପାଇଁ ସମନ୍ୱିତ ଯୋଜନାର ଆବଶ୍ୟକତା ଉପରେ ମଧ୍ୟ ସମୀକ୍ଷା କରିଥିଲେ ସଚିବ । ନିର୍ଦ୍ଦିଷ୍ଟ ସମୟସୀମା ସହିତ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।