ବସ୍ତି ଉଚ୍ଛେଦ ନକରିବା ପାଇଁ ଜିଲ୍ଳାପାଳଙ୍କୁ ଅନୁରୋଧ
ପୁରୀ : ସ୍ଥାନୀୟ ଦାମୋଦର ରୋଡ଼୍ ନିକଟରେ ଥିବା ବେଆଇନ ତ୍ରିନାଥ ବସ୍ତିର ବାସିନ୍ଦାମାନଙ୍କୁ ସରକାରୀ ଜାଗାରୁ ଉଠିଯିବା ପାଇଁ ତହସିଲ କର୍ତ୍ତୃପକ୍ଷ ମୌକ୍ଷିକ ଭାବେ କହୁଥିବାରୁ ବସ୍ତିବାସିନ୍ଦା ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଳାପାଳଙ୍କୁ ଶରତ ରାୟଗୁରୁ, ଜଗନ୍ନାଥ ଦେଓ ଏବଂ ଟୁନା ନାୟକଙ୍କ ନେତୃତ୍ୱରେ ଓଡ଼ିଶା ବସ୍ତୀ ସୁରକ୍ଷା ମଞ୍ଚ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ବସ୍ତିବାସିନ୍ଦାମାନେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘ ୩୦ବର୍ଷ ଧରି ସଂପୃକ୍ତ ସ୍ଥାନରେ ବସ୍ତି କରି ବାସିନ୍ଦାମାନେ ବସବାସ କରି ଆସୁଛନ୍ତି । ୨୦୨୦ ମସିହାରେ ହାଇକୋର୍ଟରେ ସେମାନଙ୍କ ସୁରକ୍ଷା ନିମନ୍ତେ ମାମଲା ରୁଜୁ କରାଯାଇଥିଲା । ମାମଲାର ବିଚାର କରି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ୨୦୧୭ ମସିହାର ଆଇନ ଅନୁସାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାର ନିୟମ ରହିଛି । ବର୍ତ୍ତମାନର ସରକାର ଭୂମିହୀନମାନଙ୍କୁ ଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆମ୍ଭମାନଙ୍କୁ ବସ୍ତିରୁ ଉଚ୍ଛେଦ କରାନଯାଉ ବୋଲି ସେମାନେ ଅନୁରୋଧ କରିଛନ୍ତି ।