ବାହାରିଲା ଓଜେଇଇ ପରୀକ୍ଷା ଫଳ : ଜୁଲାଇ ୧୫ ଓ ୧୬ରେ ସ୍ପେଶିଆଲ ଓଜେଇଇ
ଭୁବନେଶ୍ୱର : ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୫) ଫଳାଫଳ ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପରୀକ୍ଷା ଫଳ ଘୋଷଣା କରିବା ସହିତ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବି ଫାର୍ମାରେ ଯତୀନ ମେହେର, ଏଲଇ-ଟେକ ଡିପ୍ଳୋମାରେ ଗୌରବ ସ୍ୱାଇଁ, ଏଲଇ-ଟେକ ବିଏସସିରେ ସାକ୍ଷୀ କୁମାରୀ, ଏଲ-ଫାର୍ମାରେ ସାଗରିକା ଦାସ, ଏମବିଏରେ ଅନୁରାଗ ମିଶ୍ର, ଏମସିଏ/ଏମଏସସି (କମ୍ପୁ୍ୟଟର ଆପ୍ଳିକେସନ)ରେ ଏସ ଶିସେନ୍ଦ୍ରୀ, ଆଇଏନଟି ଏମବିଏରେ ଅଂଶୁମାନ ପତି, ବି.କ୍ୟାଟ୍ରେ ନେହା ପ୍ରିୟଦର୍ଶିନୀ, ଏମ ଫାର୍ମାରେ ହିତେଶ କୁମାର ଧଳ, ଏମ.ଆର୍କରେ ଅସ୍ମିତା ସୁବୁଦ୍ଧି, ଏମ.ପ୍ଳାନରେ ଉର୍ମିକାନ୍ତ ମଣିନନ୍ଦନ ସାହୁ ଓ ଏମଟେକରେ ମନ୍ମଥ ବେହେରା ଟପ୍ପର ହୋଇଛନ୍ତି ।
ଅପରପକ୍ଷରେ ଆସନ୍ତା ଜୁଲାଇ ୧୫ ଓ ୧୬ରେ ସ୍ପେଶିଆଲ ଓଜେଇଇ ପରୀକ୍ଷା ହେବ । ଏଥିପାଇଁ ଜୁନ୍ ୧୪ରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । କାଉନସେଲିଂ ପରେ ସ୍ପେଶିଆଲ ଓଜେଇଇରେ କୃତୀ ଛାତ୍ରଛାତ୍ରୀମାନେ ଖାଲିଥିବା ସ୍ଥାନରେ ନାମ ଲେଖାଇପାରିବେ । ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଚଳିତ ୧୭ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୦୩ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ ସର୍ବମୋଟ ୭୦ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏ ବର୍ଷ ସମୁଦାୟ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ର୍ୟାଙ୍କ ମିଳିଛି । ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଜଣେ ଜଣେ ସୁନାଗରିକ ହୋଇ ଓଡିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ବୈଷୟିକ ଶିକ୍ଷା ଏବଂ ତାଲିମ ନିଦେ୍ର୍ଦଶକ ସମର୍ଥ ବର୍ମା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ, ଅଧ୍ୟକ୍ଷ ଦେବ ପ୍ରକାଶ ଶତପଥି, ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସମ୍ପାଦକ ରଞ୍ଜନ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।