‘ବହିଷ୍କୃତ ଲୋକ ନିଜକୁ କଂଗ୍ରେସର ଦାବି କରିବା ହାସ୍ୟାସ୍ପଦ'
ଭୁବନେଶ୍ୱର : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ନିର୍ବାଚନ ମଣ୍ଡଳୀର ଅଜୟ କୁମାର ପଣ୍ଡାଙ୍କର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଦଳ ବିରୋଧି ବିବୃତ୍ତି ପ୍ରଦେଶ କଂଗ୍ରେସ କମିଟିର ଦୃଷ୍ଟିଗୋଚର ହୋଇଛି । ଦଳୀୟ ଶୃଙ୍ଖଳାଭଙ୍ଗ କାରଣରୁ ତାଙ୍କର ଦଳୀୟ ପ୍ରାଥମିକ ସଦସ୍ୟତା ରଦ୍ଦ ହେବା ସଂଗେସଂଗେ କଂଗ୍ରେସ ଦଳରୁ ପଣ୍ଡାଙ୍କୁ ବହିସ୍କାର କରାଯାଇଥିଲା । ଅଜୟ ପଣ୍ଡା ଗତ ଦୁଇବର୍ଷ ତଳେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିବା ସତ୍ତ୍ୱେ ନିଜକୁ ଜଣେ କଂଗ୍ରେସ ସଭ୍ୟ ଭାବରେ ଦାବି କରିବାର ଅଧିକାର ନାହିଁ । ତାଙ୍କର କଂଗ୍ରେସ ଦଳରେ କୌଣସି ସଂପୃକ୍ତି ନଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା ସତ୍ତ୍ୱେ ଶ୍ରୀ ପଣ୍ଡା କିଛି କଂଗ୍ରେସବିରୋଧି ଶକ୍ତିଙ୍କ ପ୍ରରୋଚନାରେ ନିଜକୁ ଜଣେ କଂଗ୍ରେସ ଦଳର କର୍ମୀ ଭାବରେ ପରିଚୟ ଦେବା ସଂଗେସଂଗେ ରାଜ୍ୟ ନେତୃତ୍ୱ ବିରୋଧରେ ବିଷୋଦଗାର କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ନିନ୍ଦନୀୟ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ବର୍ତ୍ତମାନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ ଦଳୀୟ ଶୃଙ୍ଖଳା ବଜାୟ ରଖିବା ସଂଗେସଂଗେ ନାରୀ ନ୍ୟାୟ ପାଇଁ ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଥିବା ସମୟରେ ଏଭଳି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ କିଛି ବିରୋଧି ଦଳର ବ୍ୟକ୍ତିଙ୍କ ଦ୍ୱାରା ତାଙ୍କ ପ୍ରରୋଚନାରେ ଦଳବିରୋଧି ବିବୃତ୍ତି ଜାରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଆଗାମୀ ଦିନରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କୌଣସି କର୍ମୀ ଏଭଳି ଷଡ଼ଯନ୍ତ୍ରର ବଶବର୍ତ୍ତୀ ନହେବାକୁ ସଚେତନ କରାଯିବା ସଂଗେସଂଗେ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବାକୁ ଶ୍ରୀ ଦାସ ଆହ୍ୱାନ କରିଛନ୍ତି ।