କୃତି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସମ୍ବର୍ଦ୍ଧିତ କରିଛନ୍ତି । ରାଜଭବନରେ ନୁ୍ୟ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉସôବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ରାଜ୍ୟର କୃତି ପ୍ରତିଭା ତଥା ସେମାନଙ୍କ ଗର୍ବିତ ପିତାମାତାଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ ପାଟି ଓ ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ । ସମାବେଶକୁ ସମ୍ବୋଧନ କରି ରାଜ୍ୟପାଳ କହିଥିଲେ ଯେ “ଏହା କେବଳ ଏକ ସମ୍ବର୍ଦ୍ଧନା ଉସôବ ନୁହେଁ, ଏହା କଠିନ ପରିଶ୍ରମ, ଉକôର୍ଷତା, ଶୃଙ୍ଖଳା, ସୃଜନଶୀଳତା ଏବଂ ଜାତୀୟ ଗର୍ବ ଭଳି ମୂଲ୍ୟବୋଧର ଉସôବ” । ପଦ୍ମଶ୍ରୀ ବିଜେତାମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ସେମାନଙ୍କର ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ରାଜ୍ୟ ପାଇଁ ଅପାର ଗର୍ବ ଆଣିଛି ବୋଲି କହିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ସାହିତ୍ୟିକ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଅବଦାନ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଉକôର୍ଷତା ହାସଲ କରିଥିବା କ୍ରୀଡ଼ାବିତଙ୍କ ସଫଳତାକୁ ଶୃଙ୍ଖଳା ଏବଂ ଦେଶପ୍ରେମର ପ୍ରତୀକ ଭାବେ ଅଭିହିତ କରି ସେମାନଙ୍କର ସଫଳତା ଓଡିଶାକୁ ବିଶ୍ୱ କ୍ରୀଡା ମାନଚିତ୍ରରେ ସ୍ଥାନିତ କରିଛି ବୋଲି ରାଜ୍ୟପାଳ କହିଥିଲେ । ଓଡିଶାରୁ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷା- ୨୦୨୪ରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ଭାରତର ସବୁଠାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେମାନଙ୍କର ଉସôର୍ଗ ଓ ଦୃଢ଼ତାକୁ ପ୍ରଶଂସା କରିଥିଲେ ।