ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରୁ ଅଙ୍କୁଶ ହଟିଲା
କଟକ: ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ପୂର୍ବରୁ ଜାରି ଅନ୍ତରୀଣ ଅଙ୍କୁଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଦ ପାଇଁ ନିଯୁକ୍ତିପତ୍ର ପ୍ରଦାନ ପ୍ରସଙ୍ଗରେ ଅଗେଇବାକୁ ସରକାରଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ବିଚାରାଧୀନ ଚାରିଟି ରିଟ୍ ଆବେଦନର ଫଇସଲା ପର୍ୟ୍ୟନ୍ତ ଚାରିଟି ପଦ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଯଦି ନିଯୁକ୍ତିପତ୍ର ପ୍ରଦାନ କରାଯାଏ ତେବେ ତାହା ଏହି ସବୁ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଆଜି ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ତୃତୀୟ ସପ୍ତାହରେ ଚାରି ମୂଳ ରିଟ୍ ଆବେଦନର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୨୭୪୯ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଦରେ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୩ରେ ହାଇକୋର୍ଟ ଗଙ୍ଗାମଣି ଜେନା ଓ ଅନ୍ୟ ତିନି ଜଣଙ୍କ ତରଫରୁ ଦାୟର ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ନିଯୁକ୍ତି ପ୍ରକ୍ରିୟା ଜାରି ରହିବ, କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗ ଚୂଡ଼ାନ୍ତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାମଲାରେ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଫେବ୍ରୁଆରି ୩ର ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ନିବେଦନ କରି ରାଜ୍ୟ ସରକାରଙ୍କ ତରଫରୁ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା।