ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା
ନୂଆଦିଲ୍ଲୀ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ବାଂଲାଦେଶର ରାଜବରୀ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ କିଛି ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଡେଲି ଷ୍ଟାର ରିପୋର୍ଟ କରିଛି । ସତ୍ୟାସତ୍ୟ ପ୍ରମାଣିତ ନ ହେବା ପାଇଁ ୨୭ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯିବାର କିଛି ଦିନ ପରେ ଏହି ଘଟଣା ଘଟିଛି । ବୁଧବାର ରାତି ପ୍ରାୟ ୧୧ଟାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଡେଲି ଷ୍ଟାର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିଲା । ପୀଡିତଙ୍କ ନାମ ଅମୃତ ମଣ୍ଡଳ, ଯିଏ ସମ୍ରାଟ ନାମରେ ମଧ୍ୟ ଜଣାଶୁଣା, ସେହି ଗ୍ରାମର ବାସିନ୍ଦା । ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ପାଇ ପଙ୍ଗସା ଉପଜିଲା ସ୍ୱାସ୍ଥ୍ୟ କମ୍ପେ୍ଲକ୍ସକୁ ସ୍ଥାନାନ୍ତର କରିଥିଲା । ଯେଉଁଠାରେ ତାଙ୍କୁ ରାତି ପ୍ରାୟ ୨ଟାରେ ମୃତ ଘୋଷଣା କରାଯାଇଥିଲା । ଡେଲି ଷ୍ଟାର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ସମ୍ରାଟଙ୍କ ଜଣେ ସହଯୋଗୀ ମହମ୍ମଦ ସେଲିମଙ୍କୁ ଅଟକ ରଖିଛି ଓ ତାଙ୍କ ପାଖରୁ ପିସ୍ତଲ, ସ୍ଥାନୀୟ ଭାବରେ ତିଆରି ଏକ ସୁଟର ବନ୍ଧୁକ ସମେତ ଦୁଇଟି ବନ୍ଧୁକ ଜବତ କରିଛି ।
ପୁଲିସ ଅଧିକାରୀମାନେ କହିଛନ୍ତି ଯେ ସମ୍ରାଟଙ୍କ ବିରୋଧରେ ଏକ ହତ୍ୟା ମାମଲା ସମେତ ଅତି କମରେ ଦୁଇଟି ମାମଲା ରୁଜୁ ହୋଇଛି । ସ୍ଥାନୀୟ ଲୋକମାନେ ପୁଲିସକୁ କହିଛନ୍ତି ଯେ ସମ୍ରାଟ ଏକ ଅପରାଧୀ ଦଳ ପରିଚାଳନା କରୁଥିଲା ଓ ସେ ଦାଦାବଟି ଆଦାୟ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଜଡିତ ଥିଲା । ସେମାନେ ଦାବି କରିଛନ୍ତି ଯେ ସେ ବହୁତ ଦିନ ଧରି ଭାରତରେ ଲୁଚି ରହିଥିଲା ଏବଂ ସେ ନିକଟରେ ଗାଁକୁ ଫେରି ଆସିଥିଲା । ଗାଁ ଲୋକଙ୍କ ଅନୁଯାୟୀ, ସମ୍ରାଟ ସ୍ଥାନୀୟ ବାସିନ୍ଦା ଶାହିଦୁଲ ଇସଲାମଙ୍କଠାରୁ ଚାନ୍ଦା ଦାବି କରିଥିଲେ । ବୁଧବାର ରାତିରେ ସେ ଏବଂ ତାଙ୍କର ଅନେକ ସହଯୋଗୀ ଟଙ୍କା ଆଦାୟ କରିବାକୁ ଶାହିଦୁଲଙ୍କ ଘରକୁ ଯାଇଥିବା ଜଣାପଡ଼ିଛି । ପରିବାର ଲୋକେ "ଡ଼କାୟତ’ ବୋଲି ଚିତ୍କାର କରିବା ପରେ ଗାଁ ଲୋକେ ଏକାଠି ହୋଇ ସମ୍ରାଟଙ୍କୁ ଆକ୍ରମଣ କରିଥିଲେ । ବାଂଲାଦେଶର ମୈମନସିଂ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗରେ ଏକ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯିବାର କିଛି ଦିନ ପରେ ଏହି ଘଟଣା ଘଟିଛି । ପୁଲିସ କହିଛି ଯେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା, ତାଙ୍କ ମୃତଦେହକୁ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା । ପରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମୈମନସିଂ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା । ଏହାକୁ ନେଇ ଭାରତରେ ତୀବ୍ର ବିରୋଧ ଦେଖାଯିବା ସହ ଦିଲ୍ଲୀ ଓ କୋଲକାତା ସମେତ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Samir Kumar Rout