"ରାଷ୍ଟ୍ରସେବା ଥିଲା ବାଜପେୟୀଙ୍କ ଧର୍ମ'
-
‘ଆମ ସାଥି ୟୁନିଫାଏଡ୍ ଚାଟ୍ବଟ୍’ ଲୋକାର୍ପିତ
-
ସିଏମ୍ ଡ୍ୟାସବୋର୍ଡ, ଓସ୍ୱାସ୍ ବ୍ୟବସ୍ଥାର ସଂପ୍ରସାରଣ
ଭୁବନେଶ୍ୱର : ବାଜପେୟୀଜୀଙ୍କ ସୁଶାସନର ମନ୍ତ୍ର ଏବଂ ମୋଦୀଜୀଙ୍କ ପ୍ରଶାସନିକ ସଂସ୍କାରକୁ ପାଥେୟ କରି ଆମ ୧୮ ମାସର ସରକାର ଓଡିଶାର ସାଢେ ଚାରି କୋଟି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ରହିଛି ବୋଲି ଆଜି ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଏମ୍ ଡ୍ୟାସ୍ବୋର୍ଡ, ଓସ୍ୱାସ୍ ବ୍ୟବସ୍ଥାକୁ ଜିଲ୍ଲା ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ଉନ୍ନତମାନର ଚିକିତ୍ସା ସେବା ଓ ଜଳଯୋଗାଣ ତଥ୍ୟ ପାଇଁ ଜନସେବାରେ ସମର୍ପିତ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେଯେ, ସିଏମ୍ ଡ୍ୟାସବୋର୍ଡ ଜରିଆରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାଗୁଡିକର ରିଅଲ୍ ଟାଇମ୍ ମନିଟରିଙ୍ଗ୍ କରାଯାଇପାରିବ । ‘ଆମ ସାଥି ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ ଜରିଆରେ ୧୫୦ରୁ ଉର୍ଦ୍ଧ୍ୱ ଜରୁରୀ ସରକାରୀ ସେବା ଉପଲବ୍ଧ ହେବ ଏବଂ ଓସ୍ୱାସ୍ର ସଂପ୍ରସାରଣ ମାଧ୍ୟମରେ ଏଣିକି ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ସରକାରୀ କାର୍ଯ୍ୟଗୁଡିକ ପେପରଲେସ୍ ହେବ । ଏହା ମାଧ୍ୟମରେ ରାଜ୍ୟରେ ସୁଶାସନର ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭୁବନେଶ୍ୱର ଓୟୁଏଟି କୃଷିଶିକ୍ଷା ସଦନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେଯେ, ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ, କବି, ଲେଖକ ଏବଂ ଭାରତୀୟତାର ଦାର୍ଶନିକ। ରାଜନୈତିକ ନୀତି ଓ ଆଦର୍ଶର ସେ ଥିଲେ ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସଡର । ରାଜନୀତିକୁ କେବେ ହେଲେ ସେ ଏକ ପେସା ଭାବେ ଗ୍ରହଣ କରିନଥିଲେ । ଜନସେବା ଏବଂ ରାଷ୍ଟ୍ରସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରି ସାମାଜିକ ଜୀବନରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଶାସକ ପକ୍ଷ ହେଉ ଅଥବା ବିରୋଧୀ ପକ୍ଷ ରାଷ୍ଟ୍ରହିତକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଦେଶର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ସ୍ୱର୍ଣ୍ଣ ଚତୁର୍ଭୁଜ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ, ବିତ୍ତୀୟ ଅନୁଶାସନ ପାଇ ଏଫଆରବିଏମ ଆଇନ୍ ପ୍ରଣୟନ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱର୍ଗତ ବାଜପେୟୀଙ୍କ ପରିକଳ୍ପିତ । ବାଜପେୟୀଜୀଙ୍କ ଏହି ସବୁ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ତାଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କ ଜୟନ୍ତୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଶାସନ ଦିବସ ଭାବେ ଉତ୍ସର୍ଗ କରିଛନ୍ତି।
ଓଡିଶା ପ୍ରତି ସ୍ୱର୍ଗତ ବାଜପେୟୀଙ୍କ ପ୍ରମୁଖ ଅବଦାନ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଟଳଜୀଙ୍କ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱରରେ ଏମ୍ସ ଖୋଲାଯାଇଥିଲା। ଓଡିଶାରେ ପ୍ରତିଷ୍ଠା ପାଇଥିବା ଇଷ୍ଟକୋଷ୍ଟ ରେଲୱେ, ପାରାଦୀପ ତୈଳ ବିଶୋଧନାଗାର, ପାରାଦୀପ-ହରିଦାସପୁର ରେଳପଥ ପରି ମେଗା ପ୍ରକଳ୍ପମାନଙ୍କରେ ଅଟଳଜୀଙ୍କ ସ୍ୱାକ୍ଷର ରହିଛି । ସେ ପୁଣି କହିଥିଲେ, ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶ ସହିତ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଦେଶକୁ ନୂଆ ଭାରତର ଏକ ସଂଜ୍ଞା ଦେଇଛନ୍ତି । ମୋଦୀଜୀଙ୍କ ସୁଶାସନର ମନ୍ତ୍ର ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ୍’କୁ ପାଥେୟ କରି ସମାଜର ଚାରି ବର୍ଗ- ମହିଳା, ଗରିବ, ଯୁବ ଓ ଅନ୍ନଦାତାଙ୍କ ସର୍ବାଙ୍ଗିନ ବିକାଶ ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟରତ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ମୁଖମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ । ବିଭାଗ ପକ୍ଷରୁ ଅନୁଷ୍ଠିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେଯେ, ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ସୀମିତ ସମୟ ପାଇଁ ରହିଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ପ୍ରଣାଳୀ ଯୋଗୁ ଆମେ ଆଜି ସୁଖଦ ଅନୁଭବ କରୁଛୁ । ବାଜପେୟୀଙ୍କ କୀର୍ତ୍ତି ଓ କୃତିକୁ ଆଗାମୀ ପିଢି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । ଅନ୍ୟତମ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେଯେ, ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେଉଛି ସୁଶାସନର ପରିଭାଷା। ଅଭିବୃଦ୍ଧି ହାର ବଢାଇବା ପାଇଁ ସୁଶାସନ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ତଥା ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଥିଲେଯେ, ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ କରିବାରେ ସ୍ୱର୍ଗତ ବାଜପେୟୀଙ୍କ ବଳିଷ୍ଠ ଭୂମିକା ରହିଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ କହିଥିଲେଯେ, ସୁଶାସନ ଦିବସ ପାଳନ ଆମକୁ ସ୍ମରଣ କରାଇ ଦେଇଥାଏଯେ, ସରକାରୀ ସେବାକୁ ଆମକୁ ଆହୁରି ଅଧିକ ଜନାଭିମୁଖୀ କରିବାକୁ ପଡିବ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।
Samir Kumar Rout