ବାଜି ରାଉତଙ୍କ ନାମରେ ହେବ ଯୋଜନା
- ଭୁବନେଶ୍ୱରରେ ଏକ ରାସ୍ତା ନାମିତ ହେବ
- ଶିଳ୍ପରେ ସମୃଦ୍ଧ ହେବ ଢେଙ୍କାନାଳ : ମୋହନ
- ବାଜି ରାଉତ ସ୍ପୋର୍ଟ୍ସ କମ୍ପେ୍ଳକ୍ସର ଶିଳାନ୍ୟାସ
ଭୁବନେଶ୍ୱର/ଢେଙ୍କାନାଳ : ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ୱ ବଖାଣେ । ମାତ୍ର ୧୨ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇଦେଇଥିଲେ । ବାଜି ରାଉତଙ୍କ ସାହସ ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ ଅନୁସରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଢେଙ୍କାନାଳ ଭୁବନର ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର ଠାରେ ଆୟୋଜିତ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଭୁବନେଶ୍ୱରରେ ଏକ ରାସ୍ତାକୁ ବାଜି ରାଉତଙ୍କ ନାମରେ ନାମିତ କରାଯିବା ସହ ବାଜି ରାଉତଙ୍କ ନାମରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ସ୍ମୃତି ପୀଠରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାଲୁକା କଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଦ୍ଭ ଉଦ୍ଘାଟନ କରିଥିଲେ । ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବାଜି ରାଉତଙ୍କର ଅସାଧାରଣ ଦେଶ ପ୍ରେମ, ସାହାସ ଓ ଅସୀମ ତ୍ୟାଗ ଆଜି ଓଡିଆ ଜାତି ପାଇଁ ମହାନ ଗର୍ବ ଓ ଗୌରବର ପ୍ରତୀକ । ସବୁବେଳେ ନିଜ ଜାତିର ସମ୍ମାନ ରଖିବା, ଏବଂ ସମୃଦ୍ଧ ଓଡିଶା, ବିକଶିତ ଭାରତ ଗଠନରେ ସହିଦ ବାଜି ରାଉତଙ୍କ ପଥକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟର ମହାପୁରୁଷ ଓ ମହାମନୀଷୀଙ୍କ ଜୟନ୍ତୀ କିମ୍ବା ବଳିଦାନ ଦିବସ ଭୁବନେଶ୍ୱର ନୁହେଁ, ତାଙ୍କ ଜନ୍ମମାଟିରେ ପାଳନ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ବାଜି ରାଉତଙ୍କ ଗାଁକୁ ବରପୁତ୍ର ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ଉନ୍ନତି କାର୍ଯ୍ୟ କରାଯାଉଛି । ବାଜି ରାଉତଙ୍କ ସ୍ମୃତିରେ ଢେଙ୍କାନାଳ ଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପେ୍ଳକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସମୃଦ୍ଧ ଜିଲ୍ଲା ହିଁ ହେବ, ସମୃଦ୍ଧ ଓଡିଶାର ମୂଳଦୁଆ । ଢେଙ୍କାନାଳ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏଥିରେ ୩୦ ହଜାର କୋଟି ଟଙ୍କାର ବ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ । ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମ ସରକାରର ଲକ୍ଷ୍ୟ । ଏହିସବୁ ପ୍ରକଳ୍ପ ଯୋଗୁଁ ୨୬ ହଜାର ୪୦୦ଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ଦାୟାଦ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଢେଙ୍କାନାଳ ଗଣସଂଗ୍ରାମର ଅମର ସହିଦ ବାଜି ରାଉତ ' ଓ ବାଜିରାଉତଙ୍କ ଫଟୋ ଉନ୍ମୋଚନ କରିଥିଲେ । ଯାହା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବଣ୍ଟନ କରାଯିବ । ସମାରୋହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଜି ରାଉତଙ୍କ ସାହସ, ବଳିଦାନକୁ ମନେପକାଇ ଏହା ଚିରଦିନ ଉଜ୍ଜିବିତ ରହିବ ବୋଲି କହିଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେଯେ, ୧୨ ବର୍ଷର ବାଳକର ବୀରତ୍ୱ, ସାହସ ଏ ଓଡ଼ିଆ ଜାତିକୁ ଗୌ ରବାନ୍ୱିତ କରିଛି । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ୱ ବଖାଣେ । ଦେଶର ସ୍ୱାଧୀନତା ସଂଗ୍ରାମରେ ସର୍ବାଧିକ ସଂଗ୍ରାମୀ ଓ ଯୋଗଦାନ ରହିଥିବା ରାଜ୍ୟ ଓଡ଼ିଶା ବୋଲି ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଧନ୍ୟବାଦ ଦେଇଥିଲେ ।