ଭୁବନେଶ୍ୱର ଆଇଆଇଟିରେ ହେବ ସେମିକଣ୍ଡକ୍ଟର ଲ୍ୟାବ : ମୋଦି ଓ ଅଶ୍ୱିନୀଙ୍କୁ ମୋହନଙ୍କ କୃତଜ୍ଞତା

ଭୁବନେଶ୍ୱର ଆଇଆଇଟିରେ ହେବ ସେମିକଣ୍ଡକ୍ଟର ଲ୍ୟାବ : ମୋଦି ଓ ଅଶ୍ୱିନୀଙ୍କୁ ମୋହନଙ୍କ କୃତଜ୍ଞତା

ଭୁବନେଶ୍ୱର : କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଆଇଆଇଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା’ ସ୍ଥାପନକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପକୁ ସାଂସଦ ହାତ ପାଣ୍ଠି ଯୋଜନା ଅଧୀନରେ ପାଣ୍ଠି ଯୋଗାଇ ଦିଆଯିବ । ପ୍ରକଳ୍ପ ପାଇଁ ଆନୁମାନିକ ୪.୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ସଜ୍ଜିତ କରି ଭାରତର ଗଭୀର ପ୍ରତିଭା ପୁଲରେ ଯୋଗଦାନ ଦେବ । ଏହି ପ୍ରୟୋଗଶାଳା ଆଇଆଇଟି ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାନିତ କରିବ । ଏହା ସାରା ଭାରତରେ ଆସୁଥିବା ଚିପ୍‌ ନିର୍ମାଣ ଓ ପ୍ୟାକେଜିଂ ୟୁନିଟ୍‌ ପାଇଁ ପ୍ରତିଭା ବିକାଶ କରିବାରେ ସାହାଯ୍ୟ କରିବ । ଦ୍ଭ ନୂତନ ପ୍ରୟୋଗଶାଳା ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ଡିଜାଇନ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଆହୁରି ପ୍ରୋତ୍ସାହିତ କରିବ । ଏହା ଭାରତର ଦ୍ରୁତ-ବର୍ଦ୍ଧିଷ୍ଣୁ ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ଏକ ପ୍ରୋତ୍ସାହନକାରୀ ଭାବରେ କାର୍ଯ୍ୟ କରିବ । ଏହି ଅନୁମୋଦନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଭାରତରେ ବିଶ୍ୱର ୨୦% ଚିପ୍‌ ଡିଜାଇନ୍‌ ପ୍ରତିଭା ଅଛନ୍ତି । ଦେଶର ୨୯୫ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଶିଳ୍ପ ସଂସ୍ଥାଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ନୂଆ ଇଡିଏ ଉପକରଣ ବ୍ୟବହାର କରୁଛନ୍ତି । ୨୦ଟି ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ୨୮ଟି ଚିପ୍ସ ଏସସିଏଲ ମୋହାଲିରେ ଟେପ୍‌ କରାଯାଇଛି । ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ କିଛିଦିନ ପୂର୍ବେ ଅନୁମୋଦନ ମିଳିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ସିଲିକନ୍‌ କାର୍ବାଇଡ୍‌ (ଏସଆଇସି) ଆଧାରିତ ଯୌଗିକ ସେମିକଣ୍ଡକ୍ଟର ପାଇଁ ଏକ ସମନ୍ୱିତ ସୁବିଧା । ଦ୍ୱିତୀୟଟି ହେଉଛି ଏକ ଉନ୍ନତ ଥ୍ରୀଡି ଗ୍ଲାସ୍‌ ପ୍ୟାକେଜିଂ ସୁବିଧା । ଆଇଆଇଟି ଭୁବନେଶ୍ୱର ପୂର୍ବରୁ ସିଲିକନ୍‌ କାର୍ବାଇଡ୍‌ ଗବେଷଣା ଏବଂ ନବସୃଜନ କେନ୍ଦ୍ର  କାର୍ଯ୍ୟକାରୀ କରୁଛି । ନୂତନ ପରୀକ୍ଷାଗାର ପ୍ରତିଷ୍ଠାନର ବିଦ୍ୟମାନ କ୍ଲିନ୍‌ ରୁମ୍‌ ସୁବିଧାରେ ଯୋଡିବ । ଏହା ଭାରତରେ ସେମିକଣ୍ଡକ୍ଟର ଶିଳ୍ପକୁ ସମର୍ଥନ କରିବା ପାଇଁ ଗବେଷଣା ଓ ବିକାଶ ସୁବିଧା ପ୍ରଦାନ କରିବ । ପ୍ରସ୍ତାବିତ ପ୍ରୟୋଗଶାଳାରେ ସେମିକଣ୍ଡକ୍ଟର ତାଲିମ, ଡିଜାଇନ୍‌ ଓ ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ଏବଂ ସଫ୍ଟୱେର୍‌ ରହିବ । ଉପକରଣ ପାଇଁ ଆନୁମାନିକ ମୂଲ୍ୟ ୪.୬ କୋଟି ଟଙ୍କା ଓ ସଫ୍ଟୱେର୍‌ ପାଇଁ ୩୫ ଲକ୍ଷ ଟଙ୍କା ରହିଛି ।