ବାଣପୁରର ଭଗବତୀ

ବାଣପୁରର ଭଗବତୀ
ମହାମେଘବାହନ 
ଐର ଖାରବେଳ ସ୍ୱାଇଁ
ମା'ଭଗବତୀ ହେଉଛନ୍ତି ଆଦ୍ୟାଶକ୍ତି ଓ ମହାଶକ୍ତି । ଝଙ୍କଡ଼ରେ ସାରଳା, କଟକରେ କଟକଚଣ୍ଡୀ, ଯାଜପୁରରେ ବିରାଜ, କାକଟପୁରରେ ମଙ୍ଗଳା, ସମ୍ବଲପୁରରେ ସମଲାଇ ଓ ବାଣପୁରରେ ମା'ଭଗବତୀ ନାମ ଗ୍ରହଣ କରି ବିଭିନ୍ନ ରୂପରେ ଆବହମାନ ସମୟରୁ ଶକ୍ତିପୂଜା ହୋଇ ଆସୁଅଛି । ବାଣପୁରର ଶାଳିଆ ନଦୀ କୂଳରେ ମା'ଭଗବତୀଙ୍କ ମନ୍ଦିର ରହିଛି । କିମ୍ବଦନ୍ତୀର ତଥ୍ୟ ଅନୁଯାୟୀ ମନ୍ଦିରଟି ତିନିଶହ ବର୍ଷ ତଳର । ବାଣାସୁର ମା'ଙ୍କୁ ପୂଜା ଆରାଧନା କରି କୃପା ପ୍ରାପ୍ତ ହୋଇଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ତକ୍ରଳୀନ ରାଠୋର ବଂଶୀୟ ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନଙ୍କ ଦ୍ୱାରା ମା'ଙ୍କ ମନ୍ଦିର ନିର୍ମିତ । 
ମା'ଙ୍କ ନିତ୍ୟ ଭୋଗ ବ୍ୟବସ୍ଥା ବର୍ଷ ବର୍ଷ ଧରି ନିୟମିତ ସମୟରେ ଅନୁଷ୍ଠିତ ହେଉଛି । ରାଜା ଜଗନ୍ନାଥ ହରିଚନ୍ଦନ ମନ୍ଦିରର ପରିଚାଳନା ଓ ଭୋଗରାଗ ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ ତଦନୁଯାୟୀ ଅବ୍ୟାବଧି ଭୋଗ ହେଉଅଛି । ପ୍ରଭାତରେ ମହାପ୍ରସାଦ, ଦିନ ୯ଟାରେ ଡାଲି, ଖେଚୁଡ଼ି, ମଧ୍ୟାହ୍ନରେ କ୍ଷୀରୀ ଖେଚଡ଼ି, ଆମିଷ ତରକାରି, ଭଜା, ଏଣ୍ଡୁରି ପିଠା, ଅପରାହ୍ନରେ ମାଠପୁଳି, ସନ୍ଧ୍ୟାରେ ଖଜା ସରପୁଳି, ଖେଇ, ରାତିରେ ଖେଚଡ଼ି, ମାଛ ଭଜା, ଡାଲି, ତରକାରି, କାନ୍ତି କାକରା, ଦେଉଳ ବନ୍ଦ ବେଳେ କାନ୍ତି ଓ ପଣା ଭୋଗ ପ୍ରତ୍ୟେହ କରାଯାଇଥାଏ । ମା'ଙ୍କ ପର୍ବପର୍ବାଣି ଗୁଡ଼ିକ ହେଉଛି ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ପର୍ବ ହେଲା ଭଳି ଭଗବତୀଙ୍କର ମଧ୍ୟ ନାନା ଉତ୍ସବ, ପର୍ବପର୍ବାଣି, ଯାନିଯାତ୍ରା ବର୍ଷସାରା ଚାଲିଥାଏ । ସେଗୁଡ଼ିକ ହେଲା - ଚନ୍ଦନଯାତ୍ରା, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣିମା, ରେଖା ପଞ୍ଚମୀ, ଜନ୍ମାଷ୍ଟମୀ, ମୀନମରା, ସପ୍ତପୁରୀ, ବିନାୟକ ଚତୁର୍ଥୀ, ଷଷ୍ଠୀବସା, ଶ୍ରୀ ଶ୍ରୀ ଦୁର୍ଗାଶୟନାଷ୍ଟମୀ, ସୁନିଆ, ଶ୍ରୀଦୁର୍ଗା ପାଶ୍ୱର୍ପରିବର୍ତ୍ତନ, ଶ୍ରୀ ଦୁର୍ଗା ଉତଥାପନ, ସହସ୍ରକୁମ୍ଭାଭିଷେକ, ମଙ୍ଗଳାରୋପଣ, ମହାଷ୍ଟମୀ, ମହାନବମୀ, ଦଶହରା, ଦୁର୍ଗୋତ୍ସବ ଆଦି ଷୋହଳ ଦିନ ପର୍ବ, କୁମାର ପୂର୍ଣ୍ଣିମା, ନବାନ୍ନ, ଦୀପାବଳୀ ଅମାବାସ୍ୟା, ପ୍ରଥମାଷ୍ଟମୀ, ଓଢ଼ଣଷଷ୍ଠୀ, ବକୁଳ ଅମାବାସ୍ୟା, ଧନୁ ସଂକ୍ରାନ୍ତି, ପୁଷ୍ୟାଭିଷେକ, ମକର ସଂକ୍ରାନ୍ତି, ବସନ୍ତ ପଞ୍ଚମୀ, ଶିବରାତ୍ରି ଚାଚେରି, ଦୋଳ ପୂର୍ଣ୍ଣିମା, ଦହିଯାତ୍ରା, ପଞ୍ଚୁଦୋଳ ଓ ଅଶୋକାଷ୍ଟମୀ ।
ଏହି ଦେବୀପୀଠରେ ଛତିଶା ନିଯୋଗ ସେବା ପାଇଁ ରହିଛନ୍ତି । ଭଗବତୀ ମନ୍ଦିରରେ ଯେଉଁ ୩୬ ପ୍ରକାର ସେବାୟତ ଅଛନ୍ତି, ସେହି ବ୍ୟବସ୍ଥାକୁ ଛତିଶା ନିଯୋଗ କୁହାଯାଏ । ସେମାନେ ହେଲେ - ପରିଛା, ପୁରୋହିତ, ପୂଜକ, ମିଠା କାରିଗର, ସୁଆର, ମାଳିସେବକ, ଦଣ୍ଡସେଣା, ଗ୍ରହବିପ୍ର, ପଲେଇ, ଘଣ୍ଟୁଆ, କାହାଳିଆ, ଶ୍ରୀ ମହାପ୍ରସାଦ ଖଟଣିଆ, ବିଡ଼ିଆ, ମଶାଲତି, କାଠିନାୟକ, ବଳି ଯେନା, ପ୍ରହାରକ (ଛେଦକାର), ଲୁଗା ସେବାୟତ, ଚୌକି ପାଇକ, ପାଇକ, ଦେଉଳ ମାହାର, ବାଦ୍ୟକାରୀ, ମହୁରିଆ, ପତ୍ରୀ, ଗୋପାଳକ, ପଶୁଖୁଣ୍ଟାଳି, ସମର୍ଥା, ଗହଣସେବକ, ବିମାନବାହକ, କୁମ୍ଭକାର, କରଣ, ମହରଣା, ଭଣ୍ଡାର ମେକପ, ଟହଲ ବା ବ୍ୟବହାରୀ, ଛତିଧରା, ଆଜ୍ଞାମାଳ, ତନ୍ତୁବାୟ ବେହେରା  ମା'ଭଗବତୀଙ୍କ ମନ୍ଦିରଟି ଅତୀବ ଆକର୍ଷଣୀୟ ଜଗମୋହନ ମଣ୍ଡପ ସମ୍ମୁଖରେ ରହିଥିବାବେଳେ ନାଟ ମନ୍ଦିର ରହିଛି ଯେଉଁଥିରେ ଶ୍ରୀ ବିରାଜାଇ ଠାକୁରାଣୀଙ୍କ ବିଜେ ପ୍ରତିମା ପୂଜିତ ହେଉଛନ୍ତି । ସେହିପରି ମୁଖ୍ୟ ମନ୍ଦିରରେ ଅଷ୍ଟଭୁଜା ମା'ଭଗବତୀ ଦେବୀ ପୂଜା ପାଉଛନ୍ତି । ମନ୍ଦିରର ପାଶ୍ୱର୍  ଦେବତା ଭାବେ ଉତ୍ତରରେ ଶ୍ରୀ ଭୁବନେଶ୍ୱରୀ, ପୂର୍ବରେ ଶ୍ରୀ ଦୁର୍ଗା ଓ ଦକ୍ଷିଣରେ ଶ୍ରୀ ଗଣେଶ ରହିଛନ୍ତି । ଶାରଦୀୟ ଦୁର୍ଗାପୂଜା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତଜନଙ୍କ ଆଗମନ ହୋଇଥାଏ । ମା'ଭଗବତୀଙ୍କ ଦର୍ଶନ ନିମିତ୍ତ ବିଭିନ୍ନ ମାନସିକଧାରୀ ମାନେ ଏଠାରେ ବ୍ରତ ସଂକଳ୍ପ ରଖିଥାନ୍ତି । ମା'ଙ୍କ କୃପା ସମସ୍ତଙ୍କୁ ପ୍ରାପ୍ତ ହେଉ ଏହା ହିଁ କାମନା । 
ମୋ: ୭୩୨୫୯୦୪୯୨୭