ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବି

 ସୋନପୁର : ସୋନପୁର ମହାବିଦ୍ୟାଳୟ ଆଲୁମିନୀ ଏସୋସିଏସନ୍ (ପୁରାତନ ଛାତ୍ର ସଂଘ)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତ କରିବା ସହ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ନେତୃତ୍ୱରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ଏକ ଅଡିଟରିୟମ ନିର୍ମାଣ, ଛାତ୍ର ନିବାସ ନିର୍ମାଣ ସହ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ କଲେଜର ଭିତ୍ତିଭୂମିର ବିକାଶ ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ସହ ଛାତ୍ରଛାତ୍ରୀ ହଷ୍ଟେଲ ଏବଂ ଅଡିଟରିୟମ ନିର୍ମାଣ ପାଇଁ ପୂର୍ଣ୍ଣ ସହମତି ପ୍ରଦାନ କରିଥିବାବେଳେ ସରକାରୀ ମାନ୍ୟତା ପାଇଁ ଯୋଗ୍ୟତା ଭିତ୍ତିରେ ସରକାର ସହୃଦୟତାର ସହ ବିଚାର କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ସ୍ଥାନୀୟ ବିଧାୟକ ନିରଞ୍ଜନ ପୁଝାରୀଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା ହୋଇଥିଲା । ଆଲୁମିନୀ ସଂଘର ସଭାପତି ଡ. ପ୍ରଫୁଲ୍ଲ ରଥଙ୍କ ନେତୃତ୍ୱରେ ଉପସଭାପତି ଗତିକୃଷ ମିଶ୍ର, ସମ୍ପାଦକ ଭାରତ ଭୂଷଣ ମିଶ୍ର, ଆବାହକ ସୁଦାମ ଚରଣ ମିଶ୍ର, କୋଷାଧ୍ୟକ୍ଷ ବିଶ୍ୱ ରଞ୍ଜନ ପୂଜାରୀ, ଘନଶ୍ୟାମ ପାଣିଗ୍ରାହୀ, ଶ୍ରୀଧର ବାଗ, ସୁଧୀର କୁମାର ପଣ୍ଡା, ରାଜ କିଶୋର ତ୍ରିପାଠୀ, ଦୀପକ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ ।