ବାରୁଣୀସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ

 ଆସିକା : ପବିତ୍ର ଋଷିକୂଲ୍ୟା ଏବଂ ବଡ଼ ନଦୀର ସଙ୍ଗମ ସ୍ଥଳରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି । ପୁଣ୍ୟତ୍ରୟା ଋଷିକୂଲ୍ୟା ନଦୀ ହେଉଛି  ଗଙ୍ଗା ନଦୀ ଠାରୁ  ହଜାରେ ବର୍ଷରୁ ବଡ ଏବଂ ବହୁ ପୁରାତନ  । ଏହି ନଦୀର ପବିତ୍ରତା ଅନ୍ୟତମ । ପୂର୍ବେ କାଳେ ପ୍ରଭୂ ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଏହି ନଦୀ ତଟଦେଇ ଯାଉଥିବା ସମୟରେ ନିଜ ପିତୃ ପୁରୁଷଙ୍କ ପିଣ୍ଡଦାନ କରିଥିଲେ  । ତେଣୁ ସେ ସବୁ ପୌରାଣିକ କିମ୍ୱଦନ୍ତିକୁ ଆଧାର କରି ଏଠାରେ ଲୋକେ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ କରିଥାନ୍ତି  । ସେହି ପ୍ରଥା ଓ ଗାଥା ଅନୁଯାୟୀ  ଆଜି ଭୋର ସମୟରୁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ପିତୃ ପୁରୁଷଙ୍କ ଅସ୍ଥିକୁ ବିସର୍ଜନ ସକାଶେ ସଙ୍ଗମ ସ୍ଥଳକୁ ଆସି ପଣ୍ଡିତଙ୍କ ଦ୍ୱାରା ହିନ୍ଦୁ ରୀତି ନୀତି ମୁତାବକ ଶ୍ରାଦ୍ଧ, ପିଣ୍ଡ ଦାନ, ବ୍ରାହ୍ମଣ ଭୋଜନ, ଅର୍ଣ୍ଣ ବସ୍ତ୍ର ଦାନ ଇତ୍ୟାଦି ପୂଜା ପାଠ କରିଥିଲେ । ଲୋକଙ୍କ ବିଶ୍ୱାସ ଏହି ଦୁଇ ନଦିର ସଙ୍ଗମ ସ୍ଥଳ ପୁଣି ଏହା ଉତ୍ତର ବାଙ୍କରେ ଥିବାରୁ ଏଠାରେ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ କଲେ ସେମାନଙ୍କ ଆତ୍ମା ସଦ୍ଗତି ଲାଭ କରିଥାଏ  । କେଉଁ ଆବହମାନ କାଳରୁ ଚାଲି ଆସିଥିବା ପ୍ରଥା ପ୍ରକାରେ ଗରିବ ଠାରୁ ଧନୀ ବ୍ୟକ୍ତିମାନେ ବର୍ଷର ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ସତବିଷା ନକ୍ଷତ୍ରରେ କୁମ୍ଭ ରାଶି ଯୋଗ ହେଲେ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଥାଏ  । ତେଣୁ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାନ୍ତି ଲୋକେ । ଏଥିପାଇଁ କମିଟି ଏବଂ ପ୍ରଶାସନ ପକ୍ଷରୁ ସଫା ସୁତରା, ଆଲୋକ, ପାନୀୟ ଜଳ ଏବଂ ସୁରକ୍ଷା କର୍ମୀ ନିୟୋଜିତ ସହ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ବାହିନୀ ନିୟୋଜିତ ରହିଥିଲେ  । ସନ୍ଧ୍ୟା ସମୟରେ ସଙ୍ଗମ ସ୍ଥଳରେ ଆରତୀ ଦର୍ଶନ ନିମନ୍ତେ ଅନେକ ଭକ୍ତ ରୁଣ୍ଡ ହୋଇଥିଲେ ।