ବରପୁତ୍ର ଗ୍ରାମ ଯୋଜନାରେ ମଲ୍ଲିକାଶପୁର ସାମିଲ
ବାଲେଶ୍ୱର : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟରିୟମ କକ୍ଷରେ ବରପୁତ୍ର ଐତିହ୍ୟ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଐତିହାସିକ ଗ୍ରାମର ଗୁରୁତ୍ୱ ଏବଂ ସରକାରଙ୍କ ପ୍ରୟାସ ବିଷୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଥିବାବେଳେ ଅନ୍ୟ ଅତିଥିମାନଙ୍କ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ମଧୁସ୍ମିତା ସାମନ୍ତରାୟ, ଫକୀର ମୋହନ ସେନାପତି ସାହିତ୍ୟ ସଂସଦ ସଭାପତି ସୁବାସ ଚନ୍ଦ୍ର ପାତ୍ର ଫକୀର ମୋହନଙ୍କ ଜୀବନୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗଳ୍ପ ସାହିତ୍ୟର ଜନକ ଏବଂ ଏକ ସମାଜ ସଂସ୍କାରକ ବୋଲି ବର୍ଣ୍ଣନା କରିଥିଲେ ଏବଂ ମଲ୍ଲିକାଶପୁରକୁ ଏକ ବରପୁତ୍ର ଐତିହ୍ୟ ଗ୍ରାମ ଘୋଷଣା କରିବା ହେତୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ଯୋଗ ଦେଇଥିଲେ ।