କୋଷ୍ଟ କେନାଲ ପୁନରୁଦ୍ଧାର ନେଇ ସମୀକ୍ଷା

ବାଲେଶ୍ୱର:  ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିଗତ ପାଞ୍ଚ ବର୍ଷଧରି ନିରନ୍ତର ପ୍ରୟାସ ଯୋଗୁଁ କେନ୍ଦ୍ର ସରକାରଙ୍କ ଜଳ ପ୍ରାଧିକରଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲେଶ୍ୱର ଗସ୍ତରେ ଆସି ସଦର, ବାଲିଆପାଳ ଓ ଭୋଗରାଇ ବ୍ଲକରେ ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ବିଷୟରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ସଂଶ୍ଳିଷ୍ଟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ତତ୍ସହିତ ସହରର ଉପକଣ୍ଠରେ ଥିବା ନୁଣିଆଁଯୋଡ଼ି ଠାରେ ଏକ ଜଳ ବିନୋଦନ ସ୍ଥଳୀ ନିର୍ମାଣ ହେବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି । ପରିବହନର ଆଉ ଏକ ମାଧ୍ୟମ ସାଜିବ କୋଷ୍ଟ କେନାଲ । କୋଷ୍ଟ କେନାଲର ପୁନରୁଦ୍ଧାର ପରେ ଏହି ମାଧ୍ୟମରେ ରାଜ୍ୟରୁ ରାଜ୍ୟକୁ ଖୁବ୍ କମ୍ ଖର୍ଚ୍ଚରେ ପଣ୍ୟଦ୍ରବ୍ୟ ପରିବହନ କରି ହେବ । ବାଲେଶ୍ୱର, ଭଦ୍ରକ ସହିତ ଏହି କୋଷ୍ଟ କେନାଲ ପଶ୍ଚିମବଙ୍ଗକୁ ସଂଯୋଗ କରୁଛି । କୋଷ୍ଟ କେନାଲକୁ ୫ନଂ ଜାତୀୟ ଜଳପଥ ଭାବେ ମାନ୍ୟତା ମିଳିଥିବାବେଳେ ଏହା ପୋତି ଯାଇଥିବାରୁ ପରିବହନ ବନ୍ଦ ରହିଛି । ପୂର୍ବରୁ ଏହି କେନାଲ ମାଧ୍ୟମରେ ପରିବହନ ସହଜ ହୋଉଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ଉଦ୍ୟମ କ୍ରମେ ଆଜି କେନ୍ଦ୍ରୀୟ ଜଳ ଆୟୋଗ ରିଜିଓନାଲ ଅଫିସ ଭୁବନେଶ୍ୱରର ନିଦେ୍ର୍ଦଶକ ଅଜିତ ସିଂହ କୋଷ୍ଟ କେନାଲର ସ୍ଥିତି, ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ତରଫରୁ ତତ୍ପରତା ପ୍ରକାଶ କରାଯାଇଛି । ସଦର ବ୍ଲକର ନାଇକୁଲ୍ ଠାରୁ ଆରମ୍ଭ କରି ସୋଲପଟା, ରାଜଧାନୀ ଛକ, ମାନ୍ଧାତା, ଜାମକୁଣ୍ଡା ହୋଇ ଭୋଗରାଇ ବ୍ଲକର ଭୋଗରାଇ ଲକ୍ ପର୍ଯ୍ୟନ୍ତ ଥିବା କୋଷ୍ଟ କେନାଲକୁ ଅନୁଧ୍ୟାନ କରିଥିଲେ ।  ଅନ୍ୟପକ୍ଷରେ ଐତିହାସିକ କୋଷ୍ଟକେନାଲର ପୁନରୁଦ୍ଧାର ପାଇଁ ଆସିଥିବା ଆଇଡବ୍ଲୁଏଆଇର ଏକ ପ୍ରତିନିଧି ଦଳକୁ ବାଲେଶ୍ୱର ସର୍କିଟ୍ ହାଉସ୍ରେ କୋଷ୍ଟକେନାଲ୍ ପୁନରୁଦ୍ଧାର ମଞ୍ଚର ପ୍ରତିନିଧିମାନେ  ଭେଟିଛନ୍ତି ।  ମଞ୍ଚର ଅନ୍ୟତମ ଆବାହକ ଶୁଭଙ୍କର ମହାପାତ୍ରଙ୍କ ସମେତ ବାଲେଶ୍ୱରର ପ୍ରମୁଖ ସାମାଜିକ ଓ ଗଣ ସଂଗଠନମାନଙ୍କର ନେତୃବୃନ୍ଦ ପ୍ରତିନିଧିଦଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ସହ କୋଷ୍ଟକେନାଲ୍ ପୁନରୁଦ୍ଧାରର ଆବଶ୍ୟକତା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏହି କେନାଲର ପୁନରୁଦ୍ଧାର ହେଲେ ପୁନଶ୍ଚ ଉତ୍ତର ଓଡ଼ିଶାର ଜନସାଧାରଣ ଏହାର ସୁଯୋଗକୁ ବ୍ୟବହାର କରିପାରିବେ ବୋଲି କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀଙ୍କୁ ବିଭିନ୍ନ ସଂଗଠନର ନେତୃବୃନ୍ଦ ଅବଗତ କରାଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଇଂ. ବନମାଳୀ ନାୟକ, ନିରଞ୍ଜନ ପରିଡ଼ା, ସୁବ୍ରତ କର, ଦିବ୍ୟେନ୍ଦୁ ପାଣିଗ୍ରାହୀ, ଡ. କ୍ଷିତୀଶ୍ୱର ଦାଶ, ତି୍ରଭୂବନ ଦାସ, ଅନ୍ତର୍ଯ୍ୟାମୀ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ଇଂ. ଡ. ହୃଷିକେଶ ସାହୁ, ମମତା ମହାପାତ୍ର, ସିପ୍ରାରେଖା ମହାପାତ୍ର, ସଂଯୁକ୍ତା ମହାପାତ୍ର, ସବିତା ପାଣିଗ୍ରାହୀ, ଶିଳ୍ପୀ କେଶୁଦାସ, ଶିଲୀ ବେହେରା, ସୁବାସ ଚାନ୍ଦ, ରଞ୍ଜିତା ପରିଡ଼ା, ଗୋବିନ୍ଦ ଚନ୍ଦ୍ର ଦଳାଇ, ପ୍ରତାପ ଚନ୍ଦ୍ର ନାୟକ ଓ ଡ. ଅଦୈତ କୁମାର ପାତ୍ର ପ୍ରମୁଖ କେନ୍ଦ୍ରୀୟ ପ୍ରତିନିଧିଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।