ମା’ ଭୁଦାରଚଣ୍ଡୀଙ୍କ ପୀଠରେ ଉଡ଼ାପର୍ବ : ଦେହରେ କଣ୍ଟା ଫୋଡି ଉଡ଼ିଲେ ଭକ୍ତ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ବହୁପୁରାତନ ପ୍ରତିଷ୍ଠିତ ଦେବୀ ମା’ ଭୁଦାରଚଣ୍ଡୀଙ୍କ ପୀଠରେ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ପାଳିତ ହୋଇ ଆସୁଥିବା ଶହଶହ ବର୍ଷ ପୁରାତନ ଉଡାପର୍ବ ଚଳିତବର୍ଷ ମଧ୍ୟ ମହାଧୁମଧାମରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ୭ଦିନ ପୂର୍ବରୁ ଏହି ପର୍ବପାଇଁ ଆୟୋଜନ ହୋଇଥାଏ । ଚଳିତବର୍ଷ ମଧ୍ୟ ୯ତାରିଖ ଦିନ ମା'ଙ୍କ ପୀଠରେ ଅଧିଷ୍ଠିତ ଦେବୀ ଅର୍ଦ୍ଧନାଗେଶ୍ୱର ମୂର୍ତ୍ତିକୁ ବିଧି ଅନୁଯାୟୀ ପୂଜା ପରେ ପରଦିନ ଠାରୁ ମା'ଙ୍କ କାଳସୀ, ଗଡବାସୁଳି ଭକ୍ତା, ଦେଶଭକ୍ତା, ପାଟଭକ୍ତାଙ୍କ ସମେତ ଅନ୍ୟାନ୍ୟ ମାନସିକ ଭକ୍ତାମାନେ ଗଡବାସୁଳିଙ୍କ ପାଟଖଣ୍ଡା ଧରି ବିଭିନ୍ନ ଗ୍ରାମକୁ ମା’ଙ୍କ ଉଡାପର୍ବ ପାଇଁ ନିମନ୍ତ୍ରଣ ଦେଇଥିଲେ । ଶନିବାର ମା'ଙ୍କ ପ୍ରମୁଖ ଯାତ୍ରା ନିଆଁପାଟ ଓ କଣ୍ଟାପାଟ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଭକ୍ତା ଜଳନ୍ତା ଅଗ୍ନି ଉପରେ ଚାଲିଥିଲେ । ଯାହା ସମ୍ପୂର୍ଣ୍ଣ ନିଆରା ପରମ୍ପରା । ଯାତ୍ରାର ଅନ୍ତିମପର୍ବ ରବିବାର ଦିନ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଭକ୍ତ ନିକଟସ୍ଥ ଚଣ୍ଡୀପୋଖରୀରେ ସ୍ନାନ କରି ଢୋଲ, ମହୁରୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ତାଳେତାଳେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଚଣ୍ଡୀମନ୍ଦିର ସମ୍ମୁଖସ୍ଥ ଉଡାପଡ଼ିଆରେ ସମ୍ମଳିତ ହୋଇଥିଲେ । ରାତ୍ରି ପ୍ରାୟ ୧୨ଟା ପରେ ମନ୍ଦିରର ପୂଜକ ବିଜୟ ପଣ୍ଡାଙ୍କ ନୀତି ସମାପନପରେ ମା'ଙ୍କ ସର୍ଦ୍ଦାର ଚକ୍ରଧର ଦାସବାବୁଙ୍କ ନିଦେ୍ର୍ଦଶରେ ପ୍ରାୟ ୩୫ଫୁଟ ଉଚ୍ଚତା ବିଶିଷ୍ଟ ଖୁମ୍ବରେ ପ୍ରଥମେ ଚଣ୍ଡୀଙ୍କ ଭକ୍ତା, ପରେ ଗଡବାସୁଳିଙ୍କ ଭକ୍ତା, ପରେ ଦେଶଭକ୍ତା ଏବଂ ମାନସିକ ଭକ୍ତା ଜଣେ ପରେ ଜଣେ ଶରୀରର ବିଭିନ୍ନ ସ୍ଥାନରେ ଲୁହାରେ ନିର୍ମିତ କଣ୍ଟା ଫୋଡ଼ି ଉଡ଼ିଥିଲେ । ଏହି ଅବସରରେ ନୀଳଗିରି, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଏବଂ ଦର୍ଶନାର୍ଥୀ ଏହି ପର୍ବକୁ ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା ।