ବାହୁଡ଼ିଲେ ଶ୍ରୀଜୀଉ : ଆଜି ସୁନାରେ ଝଲସିବେ


ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ମଧ୍ୟରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ବାହୁଡ଼ାଯାତ୍ରା  । ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି  । ସମସ୍ତ ପରମ୍ପରିକ ନୀତିକାନ୍ତି ସଂପନ୍ନ ହୋଇ ନୀତି ନିର୍ଘଣ୍ଟର ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲେ ମଧ୍ୟ ମାଉସୀ ମା’ମନ୍ଦିର ସମ୍ମୁଖରେ ପୋଡ଼ପିଠା ଭୋଗ ଓ ଶ୍ରୀନଅର ସମ୍ମୁଖରେ ଚିତ୍ତାକର୍ଷକ ଲକ୍ଷ୍ମୀନାରାୟଣ ଭେଟ ପରେ ଫ୍ଲଡ଼ ଲାଇଟ୍ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇ ରାତ୍ର ୯ଟା ୩୧ମିନିଟ୍ ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲଗାଯାଇଛି । ପ୍ରଭୁ ବଳଭଦ୍ରଙ୍କ  ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖରେ ସନ୍ଧ୍ୟା ୬ଟା ୨୩ ମିନିଟ୍ରେ ପହଞ୍ଚôଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସନ୍ଧ୍ୟା ୭ଟା ୨୦ ମିନିଟ୍ରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚôଥିଲା  । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ୭ଟା ୫୦ ମିନିଟ୍ରେ ପହଞ୍ଚôବା ପରେ ଅଟକି ରହିଥିଲା  । 
ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସିଥିବା ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କୁ ଭେଟ କରାଇଥିଲେ । ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଏ । ରାତ୍ର ୯ଟାରେ ଲକ୍ଷ୍ମୀନାରାୟଣ ଭେଟ ଶେଷ ହେବା ପରେ ପୁ୍ନଶ୍ଚ ନନ୍ଦିଘୋଷ ରଥକୁ ଟଣାଯାଇ ସିଂହାଦ୍ୱାର ସମ୍ମୁଖରେ ଲଗାଯାଇଛି । ଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାରକୁ ରଥ ଗଡ଼ିବା ସମୟରେ ପରମ୍ପରା ଅନୁଯାୟୀ ମାଉସୀମା’ ମନ୍ଦିର ନିକଟରେ ରଥ ପହଞ୍ଚôବା ପରେ ଠାକୁରମାନଙ୍କୁ ପୋଡ଼ପିଠା ଭୋଗ କରାଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁ ଉତ୍ତରାଭିମୁଖ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ ବାହୁଡ଼ାଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିଭଳି ଫଳ ମିଳିଥାଏ  । ଆଜି ରାତିରେ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପରେ ପ୍ରଶାସନ ପକ୍ଷରୁ ଆସନ୍ତା କାଲି ରଥ ଉପରେ ହେବାକୁ ଥିବା ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରସ୍ତୁତି ଚାଲିଛି । ରବିବାର ଦିନ ଅନୁଷ୍ଠିତ ହେବ ଠାକୁରମାନଙ୍କ ବଡ଼ତଢାଉ ବା ସୁନାବେଶ । ଏହାପରେ ଅଧରପଣା ନୀତି ଓ ଶେଷରେ ଠାକୁରମାନେ ଆସନ୍ତା ମଙ୍ଗଳବାର ଦିନ ନୀଳାଦ୍ରି ବିଜେ କରିବେ । ଆଜି ସକାଳ ୯ଟା ୫୫ ମିନିଟ୍ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି  । ୧୨ଟା ୩୦ମିନିଟ୍ରେ ପହଣ୍ଡି ଶେଷ ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ଶୂନ୍ୟ ପହଣ୍ଡିରେ ସେବାୟତମାନେ ଆଡ଼ପମଣ୍ଡପରୁ ଆଣି ଦେବୀ ସୁଭଦ୍ରାଙ୍କ ରଥରେ ବିଜେ କରାଇଥିଲେ  । ଘଣ୍ଟଘଣ୍ଟା ଓ ଭେରି ତୁରୀର ନିର୍ଘୋଷ ମଧ୍ୟରେ ପରେ ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇ ତାଳଧ୍ୱଜ ରଥରେ ବିଜେ କରାଯାଇଥିଲା  । ଏହା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି  । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସି ନନ୍ଦିଘୋଷ ରଥରେ ବିଜେ କରିଥିଲେ । ଶ୍ରୀବିଗ୍ରହମାନେ ଜଗମୋହନ ଦ୍ୱାର ନିକଟରେ ପହଞ୍ଚôବା କ୍ଷଣି ରାଘବ ଦାସ ମଠ ଦ୍ୱାରା ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବା ସହିତ ପତିମହାପାତ୍ର ପ୍ରସାଦ ବନ୍ଦାପନା, କର୍ପୁର ଆଳତି, ସାତବତୀ ସଞ୍ଜ କାହାଳୀ ଓ ଘଷାବିଡ଼ିଆ ମଣୋହି କରିଥିଲେ । ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢାଇଥିଲେ । ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥିଲେ । ପହଣ୍ଡି ବିଜେ ପରେ ଠାକୁରମାନଙ୍କୁ ରଥ ଉପରେ ରୁନ୍ଧା ଯାଇଥିଲା  । ରଥ କର୍ଡ଼ନ ଭିତରେ ସାଧୁମାନେ ପ୍ରାୟ ୬ଫୁଟ୍ ଉଚ୍ଚର ଧୂପକାଠି ଜାଳିଥିଲେ  । ଠାକୁରମାନେ ରଥାରୁଢ ହେବା ପରେ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣଙ୍କୁ ଅଣାଯାଇ ରଥାରୁଢ କରାଯାଇଥିଲା  । ମଦନମୋହନ ନନ୍ଦିଘୋଷ ଓ ରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ କରିଥିଲେ  । ରଥ ଉପରେ ଠାକୁରମାନଙ୍କୁ ବେଶ କରାଯାଇଥିଲା । ଖବର ଯିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ କାର୍ ଯୋଗେ ଆସି ବଡ଼ଶଙ୍ଖ ଠାରେ ପହଞ୍ଚôଥିଲେ  । ସେଠାରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ତାମଯାନରେ ବସି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚôଥିଲେ । ତିନି ରଥରେ ଗଜପତି ମହାରାଜା ସୁନା ଖଡ଼ିକାରେ ଛେରାପହଁରା କରିବା ସଙ୍ଗେସଙ୍ଗେ ଚନ୍ଦନକର୍ପୂର ମିଶ୍ରିତ ଜଳ ସିଞ୍ଚନ କରିଥିଲେ  । ୨ଟା ୪୦ମିନିଟ୍ରେ ଛେରାପହଁରା ଶେଷ ହୋଇଥିଲା । ଛେରାପହଁରା ପରେ ଘଟିଥିଲା ସମବେତ ଅଗଣିତ ଭକ୍ତଙ୍କ ଅପେକ୍ଷାର ଅନ୍ତ ।  ତିନି ରଥରୁ ଭୋଇ ସେବକମାନେ ଚାରମାଳ ଖୋଲିବା ସଂଗେସଂଗେ ରୂପକାର ସେବକମାନେ ରଥରେ ଘୋଡ଼ା ବାନ୍ଧିଥିଲେ । ମହାରଣା ଓ ଭୋଇ ସେବକମାନେ ରଥ ଦଉଡ଼ି ଲଗାଇବା ପରେ ରଥ ନିଦେ୍ର୍ଦଶକ ଦଳଙ୍କ ପରାମର୍ଶରେ ରଥ ଟଣା ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥ ଅତିରିକ୍ତ ଜିଲ୍ଳାପାଳ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆରକ୍ଷୀ ଅଧିକ୍ଷକ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜିଲ୍ଲାପାଳଙ୍କ ନେତୃତ୍ୱରେ ଟଣାଯାଇଥିଲା  । ୨ଟା ୫୨ମିନିଟ୍ରେ ବିଜେ କାହାଳୀ ବାଜି ଉଠିଥିଲା ଓ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ରଥଟଣା । ୩ଟା ୪୦ମିନିଟ୍ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ଅପରାହ୍ନ ୪ଟା ୫ମିନିଟ୍ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା  । ପୋଲିସ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ, ଅତିରିକ୍ତ ଡ଼ି.ଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅମିତାଭ ଠାକୁର, ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରାର ତ୍ରୁଟି ସୁଧାରିବା ପାଇଁ ପ୍ରୟାସ କରାଯାଇଥିଲା । ବରିଷ୍ଠ ଅଧିକାରୀମାନେ ନିଜେ ଉପସ୍ଥିତ ରହି କର୍ଡ଼ନରେ ଶୃଙ୍ଖଳା ରକ୍ଷା କରିଥିଲେ । କର୍ଡ଼ନ ଭିତରେ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ରଖାଇ ଦିଆଯାଇନଥିଲା । ଏପରିକି ରଥଟଣା ବେଳେ କର୍ଡ଼ନ ପାସ୍ ଥିବା ଗଣମାଧ୍ୟମ ପ୍ରତିନିଧି ଓ ଫଟୋ ସାମ୍ବାଦିକମାନଙ୍କୁ ଘେର ଭିତରୁ କାଢି ଦିଆଯାଇଥିଲା ।