୩ ଭାରତୀୟଙ୍କୁ ଆତଙ୍କବାଦୀଙ୍କ ଅପହରଣ : ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ


 ହିଞ୍ଜିଳିକାଟୁ: ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀମାନେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି  । ସାରା ଭାରତରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜାଣିବାକୁ ମିଳିଛି  ।
ମିଳିଥିବା ସୂଚନା ଅନୁଯାୟୀ, ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ରହିଛନ୍ତି  । ସେ ହେଉଛନ୍ତି ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପି. ନାରାୟଣ ଓ ପି. ନାର୍ସାମାଙ୍କ ପୁତ୍ର ପି. ଭେଙ୍କଟରମଣ (୨୮)  । ଘଟଣା ନେଇ ଅପହୃତଙ୍କ ମା ପି. ନାର୍ସାମା ଶନିବାର ରାତିରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମାଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ସୂତ୍ରରୁ ପ୍ରକାଶ  । 
ମିଳିଥିବା ସୂଚନା ଅନୁସାରେ, ଅପହୃତ ଭେଙ୍କଟରମଣ ଗତ ନଭେମ୍ବରରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶର ଏକ ଘରୋଇ ସିମେଣ୍ଟ କମ୍ପାନୀରେ ନିଯୁକ୍ତି ପାଇଥିଲେ  । ଗତ ୩୦ରେ ଭେଙ୍କଟରମଣଙ୍କୁ ସେଠାକାର ପୁଲିସ ଗିରଫ କରିଥିବା ନେଇ ସଂପୃକ୍ତ କମ୍ପାନୀ ପକ୍ଷରୁ ପରିବାର ସଦସ୍ୟଙ୍କୁ ଫୋନ୍ ଯୋଗେ ଜଣାଯାଇଥିଲା  । ପରିବାର ସଦସ୍ୟ ସଂପୃକ୍ତ ଫୋନ୍ କଲ୍ ପାଇବା ପରେ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ  । ପରବର୍ତ୍ତୀ ସମୟରେ ଆତଙ୍କବାଦୀମାନେ ସଂପୃକ୍ତ ସିମେଣ୍ଟ କାରଖାନା ଉପରେ ହାମଲା କରି ୩ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଯାଇଥିବା ନେଇ ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ପାଇଥିଲେ  । ଟିଭି ଚ୍ୟାନେଲରୁ ଘଟଣା ଜାଣିପାରି ଅପହୃତଙ୍କ ମା ପି. ନାର୍ସାମା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ସହ ପୁଅକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି  ।  ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ହିଞ୍ଜିଳି ବିଜେଡିର ଏକ ଟିମ୍ ଅପହୃତ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ନବୀନଙ୍କୁ ଅବଗତ କରାଯାଇଛି  । ଏନେଇ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା  ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି  । ଟିମରେ ବିଧାୟାକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ବି. ଗିତାଞ୍ଜଳି, ସମିତିସଭ୍ୟା ନର୍ମଦା ଦେବୀ, ସରପଞ୍ଚ ବାବାରାଓ ପ୍ରମୁଖ ଉପସ୍ଥିତ ଥିଲେ  । ପ୍ରକାଶ ଥାଉକି, ବିଗତ ଦିନରେ ଗଲଫ ଦେଶରେ ଏଭଳି ଅପହରଣ ଘଟଣା ଘଟୁଥିବା ନଜିର ରହିଛି  । ଏଭଳି ସମୟରେ ତକôାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳବିଳମ୍ବ ନକରି ପ୍ରଧାନମନ୍ତ୍ରୀ, ବୈଦଶିକ ମନ୍ତ୍ରୀ, ରାଷ୍ଟ୍ରଦୂତ ଓ କାର୍ଯ୍ୟାଳୟ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବା ସହ ଅପହୃତଙ୍କୁ ଖଲାସ କରିବାକୁ ଅହରତ କାର୍ଯ୍ୟ କରିବା ସହ ଏକ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଉଥିଲେ  । ଉଭୟ କେନ୍ଦ୍ର ଓ ରାଜ୍ୟ ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ଅପହୃତ ଭେଙ୍କଟରମଣଙ୍କୁ ଆତଙ୍କବାଦୀ କବଳରୁ ମୁକ୍ତ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି  ।