କଣ୍ଟାପଡା ବ୍ଲକ୍ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
ନିଆଳି: କଣ୍ଟାପଡା ବ୍ଲକ୍ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଲାଣି । ସ୍ଥାୟୀ ବିଓଙ୍କ ନିଯୁକ୍ତି ହୋଇନଥିବାରୁ ୨-୩ ଜଣ ଦଲାଲ୍ ବିଓ କାର୍ଯ୍ୟାଳୟ ଚଲାଇଛନ୍ତି । ଅନେକ ଶିକ୍ଷକଶିକ୍ଷୟିତ୍ରୀ ନିଜ ମନମାନିରେ ବିଦ୍ୟାଳୟ ଆସୁଛନ୍ତି ଓ ଛାଡୁଛନ୍ତି । ବାରଙ୍ଗ ଶିକ୍ଷା ଅଧିକାରୀ ସପ୍ତାହକୁ ୨ଦିନ କଣ୍ଟାପଡା ଆସୁଥିବାବେଳେ କର୍ମଚାରୀ ଅଭାବରୁ କେହି ତାଙ୍କୁ ସହଯୋଗ କରୁନାହାନ୍ତି । ଏମିତିକି ବିଦ୍ୟାଳୟ ତଦାରଖ କରିବା ନିମନ୍ତେ ଶିକ୍ଷାଧିକାରୀ ଯାଉନାହାଁନ୍ତି । ସପ୍ତାହକୁ ୨ ଦିନ ଆସିବା ଫଳରେ ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ପେନ୍ସନ୍ କାର୍ଯ୍ୟରେ ବାଧା ଉପୁଜୁଛି । ବ୍ଲକ୍ରେ ପଦ ରହିଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକପଦବୀ ଖାଲି ପଡିଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏମିତିକି ଆଦର୍ଶ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ଅଭାବ ଥିବାରୁ ପିଲାମାନଙ୍କ ପଢାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାର ଗୋଟିଏ ପଟେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ଅପରପକ୍ଷରେ କଣ୍ଟାପଡା ବ୍ଲକ୍ରେ ଏଭଳି ଅବ୍ୟବସ୍ଥା ଅଭିଭାବକ ମହଲରେ ଅସନ୍ତୋଷ ଆଣି ଦେଇଛି । ନିଆଳି ନିର୍ବାଚନ ମଣ୍ଡଳୀ ବିଧାୟକ କଣ୍ଟାପଡା ଶିକ୍ଷା ବିଭାଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।