ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ

 ଢେଙ୍କାନାଳ :  ଢେଙ୍କାନାଳ ଗଁଦିଆ ବ୍ଲକର ସୀମାନ୍ତରେ ଥିବା ଦଶମାଣପାଟଣା ଗ୍ରାମ ପଞ୍ଚାୟତର ବାଲିପସୀ ଗ୍ରାମ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ବର୍ଜ୍ୟବସ୍ତୁକୁ ନେଇ ଏକ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।  କିନ୍ତୁ ଉକ୍ତ ଶିବିର ଆରମ୍ଭରୁ ଉକ୍ତ ଗ୍ରାମ ପଂଚାୟତର ଅସନବାହାଳି, ବାଲିପସୀ, କରନ୍ଦା, ଦଶମାଣପାଟଣା ମଞ୍ଜୁରୀପଡ଼ା ରାଜସ୍ୱ ଗ୍ରାମର ଜନସାଧାରଣଙ୍କ ସମେତ ପାଖ ଯାଜପୁର ଜିଲ୍ଲାର କିଛି ଗ୍ରାମର ଜନସାଧାରଣ ମଧ୍ୟ ଏହି ଶିବିରରେ ଉପସ୍ଥିତି ରହି ଉକ୍ତ ପ୍ଲାଣ୍ଟ ଏଠାରେ ନ କରିବା ପାଇଁ ଦୃଢ ଦାବି ଜଣାଇଥିଲେ । ଯଦି ଏହି ଅସନବାହାଳୀ ମୌଜାର ଖତିୟାନ ୧୨୩/୧୨୪ରେ ଉକ୍ତ ପ୍ଲାଣ୍ଟଟି ନିର୍ମିତ ହୁଏ, ତାହାହେଲେ ବିଶେଷ ଭାବରେ ଉକ୍ତ ପଂଚାୟତର ଅସନବାହାଳୀ ଓ ବାଲିପସୀ ଗ୍ରାମର ଜନସାଧାରଣ ଓ ବସ୍ତିବାସିନ୍ଦା ବିଶେଷ ଭାବରେ କ୍ଷତି ଗସ୍ତ ହେବାର ଆଶଙ୍କା ଲୋକ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଏଠାରେ ଏହି ପ୍ଲାଣ୍ଟ ନିର୍ମାଣ ନ କରିବାକୁ ପଂଚାୟତବାସୀ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ଏକ ଲିଖିତ ଅଭିଯୋଗ ରାଜ୍ୟ ପ୍ରଦୁ୍ୟଷଣ ବୋର୍ଡÿକୁ ଦେଇଛନ୍ତି  । ଆଜି ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନର ଏତେ ବେପରୁଆ ମନଭାବ ଯେ ଗତକାଲି ୧୦ତାରିଖ ଦିନ ଜନସାଧାରଣଙ୍କର ଅବଗତି ନିମନ୍ତେ ନୋଟିସ୍ ଜାରି କରିଛି ଲୋକମାନେ କହିବା ସହ ଏହା ସିଧା ସଳଖ ସୂଚାଇ ଦେଉଛି ଯେ ଏଠାରେ ଉକ୍ତ ପ୍ଲାଣ୍ଟ ବସିବା ନେଇ ପ୍ରଶାସନର ସେପରି କୌଣସି ତତ୍ପରତା ନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଆଗରୁ କୌଣସି ଭାବରେ ଅବଗତ କରିନାହିଁ ଯାହାକୁ ନେଇ ଏକ ପ୍ରକାର ଉତେଜନା ମଧ୍ୟ କିଛି ଲୋକଙ୍କ ଠାରେ ଦେଖିବାକୁ ମିଳିଛି ।  ଏଠିକାର ଅଧିବାସୀମାନେ ସିଧା ସଳଖ ଅଭିଯୋଗ କରି କୁହନ୍ତି ଯେ ଉକ୍ତ ପ୍ଲାଣ୍ଟଟି ପ୍ରଥମେ ଯାଜପୁର ଜିଲ୍ଲାରେ ହେବାର ଥିଲା । ସେଠାରେ ପ୍ରବଳ ବିରୋଧ ହେବାରୁ ତାହାକୁ ଏଠାରେ କରିବା ପାଇଁ ଯୋଜନା ଚାଲିଛି । ଯଦି ଏଠାରେ ଉକ୍ତ ପ୍ଲାଣ୍ଟ ହୁଏ ତାହାଲେ ଆମମାନଙ୍କର ବହୁତ କ୍ଷୟକ୍ଷତି ହେବାର ସମ୍ଭାବନା ଜଳ ଜଳ କରି ଦିଶୁଚି, ମରିବୁ ପଛେ ଏହି ମାଟିରେ ଉକ୍ତ ପ୍ଲାଣ୍ଟ ବସାଇ ଦେବୁ ନାହିଁ ବୋଲି ଆଜିର ଶୁଣାଣି ଶିବିରରେ ଶାଣିତ ଭାବରେ ମିଳିତ ଶ୍ୱର ଶୁଣିବାକୁ ମିଳିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସତ୍ୟଜିତ ମହାପାତ୍ର, ଏସଡ଼ିପିଓ ରମେଶ ଚନ୍ଦ୍ର ଦୋରା, ଗଁଦିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ, ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲିକଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।