ପରିବହନ ବ୍ୟବସାୟ ଆଳରେ ଠକେଇ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅଂଚଳରେ ପରିବହନ ବ୍ୟବସାୟ ଆଳରେ ୨ ଜଣ ଯୁବତୀ ଟ୍ରକ ମାଲିକ ଓ ଚାଳକଙ୍କୁ ପ୍ରଲୋଭିତ କରି ଠିକଣା ସ୍ଥାନରେ ମାଲ ପହଞ୍ଚାଇଦେବାକୁ କହି ଠକେଇ କରୁଥିଲେ । ଦୁଇ ଜଣ ନିଜକୁ ଏକ ଟ୍ରାନସ୍ପୋର୍ଟ କମ୍ପାନୀର ପରିଚୟ ଦେଇ ଜାଲ୍ କାଗଜପତ୍ର ବ୍ୟବହାର କରି ପ୍ରଥମେ ମାଲିକମାନଙ୍କୁ ପ୍ରଲୋଭନ ଦେଖାଇ ଚୁକ୍ତି କରୁଥିଲେ । ପରେ କୌଣସି ସଂସ୍ଥାରୁ ମାଲ ଲୋଡକରି ଟ୍ରକରେ ପରିବହ ନ କରି ତାକୁ ବାଟରେ ବିକ୍ରି କରୁଥିଲେ । ଫଳରେ ମାଲିକମାନେ ଠକାମୀର ଶିକାର ହୋଇ ଶେଷରେ ପୁଲିସରେ ଅଭିଯୋଗ କରଥିଲେ । ପୁଲିସ୍ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ୨ ଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳୁ ଜିଲ୍ଲା ତାଳଚେର ଟାଉନ ଅଂଚଳର ସନ୍ତୋଷୀ ମହାନ୍ତି ଓ ଯାଜପୁର ଜିଲ୍ଳା ବରିଥାନା ଥାନା ଅଂଚଳର ଜଗନ୍ନାଥ ପ୍ରଧାନଙ୍କ ସ୍ତ୍ରୀ ରଶ୍ମିତା ଜେନା । ରସ୍ନୀତା ଅନୁଗୁଳ ଜିଲ୍ଲା ତାଳଚେର ସେଂଟ୍ରାଲ କଲୋନୀ ଅଂଚଳରେ ରହୁଥିବା ବେଳେ ତାଙ୍କର ଏକ ବିୟୁଟି ପାର୍ଲର ରହିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ସୁମନ୍ତ କୁମାର ସାହୁ ଓରଫ ସିଲୁ ଫେରାର ରହିଛନ୍ତି । ପରିବହନ ବ୍ୟବସାୟ ଆଳରେ ଏହି ୨ଜଣ ଅଭିଯୁକ୍ତ ପ୍ରାୟ ୫୦ ଲକ୍ଷ ଟଙ୍କାର ଠକେଇ କରିଥିବା ପୁଲିସ୍ କହିଛି । ସେମାନଙ୍କ ନାମରେ ଅଭିଯୋଗକୁ ଭିତ୍ତିକରି ବାଲିମୀ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏସ୍ପିଙ୍କ ନିଦେ୍ର୍ଦଶରେ ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ସନ୍ତୋଷୀ ଏବଂ ରଶ୍ମିତା ପରିବହନ ବ୍ୟବସାୟ କରୁଥିବା ଗାଡି ମାଲିକମାନଙ୍କୁ ବିଶ୍ୱାସ ଜନ୍ମାଇ ପରିବହନ ବ୍ୟବସାୟ ଆଳରେ ଜାଲ କାଗଜପତ୍ର, ଚାଲାଣ ରିସିପ୍ଟ, ଜାଲ ଏଗ୍ରିମେଂଟ କରି ଆଇରନ, କୋଇଲା ଆଦିରେ ଠକେଇ କରୁଥିଲେ । ସେମାନେ ଏକ ଜାଲ୍ ଟ୍ରାନସ୍ପୋର୍ଟ କଂପାନୀ ଗଠନ କରି ବିଭିନ୍ନ ସଂସ୍ଥାରୁ ମାଲ ଲୋଡ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେମାନଙ୍କ ଠାରୁ ୨ଟି ମୋବାଇଲ ଏବଂ ଚାଲାଣ ଜବତ କରାଯାଇଥିଲା । ଚୋରୀ ହୋଇଥିବା ଆଇରନ ପାଲାଟ ସମେତ ଅନ୍ୟାନ ସାମଗ୍ରୀ ୫୦ ଲକ୍ଷରୁ ଉଦ୍ଧ୍ୱର୍ ହେବ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସଠାରୁ ପ୍ରକାଶ ।