ପାହାଡ଼ରୁ ପଡ଼ି ହରିଣ ଗୁରୁତର 

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ କପିଳାସ ପାହାଡ଼ରୁ ପଡି ଏକ ମାଈ ହରିଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ପୀଠରେ ବାବା ଚନ୍ଦ୍ରଶେଖର ଜୀଉଙ୍କର ମନ୍ଦିର ସନ୍ନିକଟ ଥିବା ଶୌଚାଳୟ ଠାରେ ସକାଳ ୯ଟା ସମୟରେ କପିଳାସ ପାହାଡ଼ରେ ରହୁଥିବା ଏକ ଜଙ୍ଗଲୀ ମାଈ ହରିଣ ଭୁଲବଶତଃ ମନ୍ଦିର ଆଡକୁ ଚାଲି ଆସିଥିଲା । ସେଠାରେ ତା’ର ଗୋଡ ଖସିଯିବା କାରଣରୁ ସେ ପଡିଯାଇଥିଲା । ଏହି ଦୁର୍ଘଟଣାରେ ତାର ପଛ ଗୋଡ ଦୁଇଟି ଭାଙ୍ଗି ଯିବା ସହିତ ବେକରେ ମଧ୍ୟ ଆଘାତ ଲାଗିଛି । ଖବର ପାଇ କପିଳାସ ରେଞ୍ଜ ଅଧୀନ ବନ କର୍ମଚାରୀ ପହଂଚି ହରିଣକୁ ଉଦ୍ଧାର କରି ପ୍ରାଣୀ ଉଦ୍ୟାନରେ ତାର ଚିକିତ୍ସା ଜାରି ରହିଛି । ତେବେ ଏହା ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରେ କିଛି ହରିଣ ଏପରି ଭାବରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେଣୁ ଏଥିପ୍ରତି ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।