ବିକଶିତ ଓଡ଼ିଶା ପାଇଁ ପରାମର୍ଶ କର୍ମଶାଳା
ବଲାଙ୍ଗିର : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟ ସହ ଜିଲ୍ଲାର ବିକାଶ ଘଟୁଛି ଏବଂ ବୁଦ୍ଧିଜୀବୀଙ୍କ ଉପଦେଶରେ ଅଧିକ ଆକାରରେ ଭିଜନକୁ ସାକାର କରିହେବ ବୋଲି କହିଥିଲେ । ତୃଣମୂଳସ୍ତରରୁ ବିକାଶ ହେଲେ ଯାଇ ସାମଗ୍ରିକ ବିକାଶ ସମ୍ଭବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ବିକାଶର ମୂଳଦୁଆ ଗ୍ରାମୀଣ କ୍ଷେତ୍ରରୁ ହୋଇଥାଏ ବୋଲି ମନ୍ତବ୍ୟ ରଖିଥିଲେ । ସଭାରେ ଉପସ୍ଥିତ ମୁଖ୍ୟକୃଷି ଅଧିକାରୀ ବାବୁଲି ଚରଣ ସେଠି ଜିଲ୍ଲାରେ କୃଷି, ଶିଳ୍ପ, ମତ୍ସ୍ୟ ଆଦି କ୍ଷେତ୍ରରେ ଥିବା ସମ୍ଭାବ୍ୟ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ଜିଲ୍ଲାର ବିକାଶ ପାଇଁ ଶିକ୍ଷା ବିଭାଗ ଅଧିକ ତତ୍ପର ଏବଂ ଆଗକୁ ଶିକ୍ଷା କ୍ଷେତ୍ର ନୂତନ ଶିକ୍ଷା ପଲିସି ଦ୍ୱାରା ଅଧିକ ଉନ୍ନତ ହେବ । ଏହା ପରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀମାନଙ୍କ ଦ୍ୱାରା ବିକାଶ ଓ ଓଡ଼ିଶାର ଭବିଷ୍ୟତ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆରମ୍ଭରୁ ଡେପୁଟି ଡାଇରେକ୍ଟର ପ୍ଲାନିଂ ସ୍ୱାଗତ ଦେଇଥିଲେ । ଆସିଷ୍ଟାଣ୍ଟ ଡାଇରେକ୍ଟର ସଞ୍ଜୟ ଦୀପ କାର୍ମଶାଳା ସଂଯୋଜନା କରିଥିଲେ ।