ବିକାଶ ରଥକୁ ସ୍ୱାଗତ

 ନୂଆପଡା : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକଙ୍କୁ ସରକାରଙ୍କ ଜନ କଲ୍ୟାଣକାରୀ ନୀତି ଉପରେ ସଚେତନ କରିବା ପାଇଁ ବିକାଶ ରଥ ବୁଲୁଛି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ମଧ୍ୟ ଏହି ରଥ ୩୨ଟି ଗ୍ରାମ ପଞ୍ଚାୟତ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଲଖନା ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଥିଲା । ପରେ ଆୟୋଜିତ ସଭାରେ  ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନନ୍ଧର ବର୍ଗର୍ତୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ କୋମନା ଏବିଡ଼ିଓ ଭକ୍ତ ବନ୍ଧୁ ବୁଡେକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତୁଳସ ପଟେଲ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀମାନେ ନିଜ ନିଜ ବିଭାଗରେ ମିଳୁଥିବା ସୁବିଧା ସୁଯୋଗ ଉପରେ ଲୋକଙ୍କୁ ଅବଗତ କରିଥିଲେ । ସୁଭଦ୍ରା ଯୋଜନା, ଧାନର ମୂଲ୍ୟ ବୃଦ୍ଧି,ଗୋପବନ୍ଧୁ, ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ବୃଦ୍ଧି ଆଦି ଉପରେ ଆଲୋଚନା କରାଯାଇଥିଲା । ଏ ଅବସରରେ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା । ଆୟୋଜିତ ସଭାରେ ସ୍ଥାନୀୟ ସମିତି ସଭ୍ୟ, କୃଷି ଗ୍ରାମସେବକ, ଗ୍ରାମ ରୋଜଗାର ସେବକଙ୍କ ସମେତ ମିଶନ ଶକ୍ତି ମହିଳା, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଗାଁ ସାଥି ପ୍ରମୁଖ ଯୋଗ ଦେଇଥିଲେ ।