"ବିକଶିତ ଗାଁ ବିକଶିତ ଓଡିଶା'ର ବୈଠକ 

 ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସଭାଗୃହରେ ସପ୍ତମ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ବିଡ଼ିଓ ସୁମନ ରାଜା ମହାନ୍ତି, ସାଂସଦଙ୍କ ପ୍ରତିନିଧି, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମଞ୍ଚାସୀନ ହୋଇଥିଲେ । ବିଡ଼ିଓ ସୁମନ ରାଜା ମହାନ୍ତି ଏହି ବୈଠକ ପରିଚାଳନା କରିଥିବା ବେଳେ ଏହି ସାଧାରଣ ପରିଷଦ ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ନୂତନ ସରକାର ଆସିବା ପରେ ଓଡିଶା ପ୍ରଶାସନର କାର୍ଯ୍ୟ ଶୈଳୀ ବଦଳୁଛି ଏବଂ ବିଭିନ୍ନ ପ୍ରକଳ୍ପ ମଧ୍ୟ ଲାଗୁ କରାଯାଉଛି । ତତ୍ସହିତ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକୁ ସଠିକ୍ ଦିଗରେ କାର୍ଯ୍ୟକାରୀ କରିବା ନିମନ୍ତେ ସରକାର ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ପ୍ରମୁଖ ଆଲୋଚନା ହୋଇଥିଲା । ଏହି ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସାମାଜିକ ମଙ୍ଗଳ ସୁରକ୍ଷା, ଉଦ୍ୟାନ କୃଷି, ବିଜୁଳି, ଜାତୀୟ ରାଜପଥ, ପ୍ରାଣୀଧନ, ଗମନାଗମନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା  । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବ୍ଲକର ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ ହେଲେ ବିଦୁ୍ୟତ ବିଭାଗ ଅଧିକାରୀ ଉପସ୍ଥିତ ନଥିବାରୁ ବିଡ଼ିଓ କ୍ଷୁବ୍ଧ ହୋଇଥିଲେ  । ପୂର୍ବ ସରକାରଙ୍କ ବ୍ୟବସ୍ଥା ଅନୁସାରେ ନୁହେଁ, ନୂତନ ସରକାର ଲୋକଙ୍କ ସରକାର ଏଣୁ ମନଗଢ଼ା କାର୍ଯ୍ୟ ହେବନାହିଁ । ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରକଳ୍ପ କାର୍ଯକାରୀ ହେବ, ଏଣୁ ଲୋକେ ଯେଉଁ କାର୍ଯ୍ୟକୁ ପ୍ରାଥମିକତା ଦେବେ ତାହାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରାଯିବ ବୋଲି ବିଧାୟକ କହିବା ସହିତ ପ୍ରତ୍ୟେକ ସମସ୍ୟା ଏବଂ ସମାଧାନ ପାଇଁ ବ୍ଲକ କତୃପକ୍ଷ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ବିଧାୟକ ମଳିତ ଭାବେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି ସର୍ବସମ୍ମୁଖରେ କହିଥିଲେ ବିଧାୟକ । ସେହିପରି ସରପଞ୍ଚ ଲୋକେଶ୍ୱର ନାଏକ, ବାବାଜୀ ସିଂ, ଭାନୁ ମୁଣ୍ଡାଙ୍କ ସହିତ ଅନ୍ୟାନ୍ୟ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତର ସମସ୍ୟାକୁ ଉପସ୍ଥାପନା କରିଥିଲେ । ଶିକ୍ଷା ବିଭାଗ ସବୁଠାରୁ ମାହାଳିଆ ଚାଲିଥିବା ଏବଂ କାରଣ ନଥାଇ ସ୍ୱାର୍ଥ ରଖି ଶିକ୍ଷକ ମାନଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯାଉଥିବା ପ୍ରତିନିଧି ମାନେ ଅଭିଯୋଗ ଆଣିଥିଲେ । ସେହିପରି ବିଇଓ ସବୁଦିନେ ମଦ୍ୟପାନ କରି କାର୍ଯ୍ୟାଳୟ ଆସୁଥିବା ବେଳେ, ସରକାରୀ କାର୍ଯ୍ୟ ପ୍ରତି ସେ ହେଳା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଖୁବ ଶୀଘ୍ର ବିଇଓଙ୍କ ଘଟଣା ଉପରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଓ ବିଡ଼ିଓ କହିଥିଲେ । ସେହିପରି ଆସନ୍ତା ଅନୁଦାନ ଗୁଡିକୁ ୩୫ ପ୍ରତିଶତ କାର୍ଯ୍ୟ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଉପରେ ପ୍ରାଥମିକତା ଦିଆଯିବ ବୋଲି ବିଡ଼ିଓ କହିଥିଲେ ।ତେବେ ଏହି ପଞ୍ଚାୟତ ସମିତି ବୈଠକରେ ଗଣମାଧ୍ୟମକୁ ଡକାଯାଇ ବସିବାକୁ ବ୍ୟବସ୍ଥା କରାଯାଇ ନଥିବା ବେଳେ ବିଧାୟକ ମଞ୍ଚରୁ ସଭିଁଙ୍କୁ ଚେୟାର ଦେବା ପାଇଁ କହିଥିଲେ । ବିଡ଼ିଓଙ୍କ ମିଡ଼ିଆ ବିରୋଧୀ ମନଭାବକୁ ଗଣମାଧ୍ୟମ ପ୍ରତିନିଧିମାନେ ନିନ୍ଦା କରିଛନ୍ତି ।