ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ପାଳିତ
କାଳିଆପାଣି : ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ପାଳନ ହୋଇଯାଇଛି । କାଳିଆପାଣି ଖଣି ଅଂଚଳର ତାରିଣୀ ମାର୍କେଟ ଏବଂ ହନୁମାନ ବଜାରରେ ମା'ତାରିଣୀ ଏବଂ ବୀର ହୁନୁମାନଙ୍କ ପୂଜାର୍ଚନା କରାଯାଇଥିଲା । ଦୁଇଟିଯାକ ବଜାରରେ ସାଧାରଣ ଲୋକଙ୍କ ପାଇଁ ପଣା ସଂକ୍ରାନ୍ତି ଉପଲକ୍ଷେ ପଣାର ବ୍ୟବସ୍ଥା କରାଯାଇଥିଲା । ଉତପ୍ତ ଖରାରେ ଦୁଇଟି ବଜାରର ସଦସ୍ୟ ମାନେ ବାଟୋଇ ମାନଙ୍କୁ ମଧ୍ୟ ପଣା ବଣ୍ଟନ କରିଥିଲେ । ସୁପ୍ରସିଦ୍ଧ ଦେଓଗାଁ ଠାକୁରାଣୀ ପିଢରେ ମଧ୍ୟ ପୂଜାର୍ଚନା କରାଯାଇ ଓଡ଼ିଆ ନବ ବର୍ଷକୁ ସ୍ୱାଗତ କରାଯାଇଥିଲା ।
ଯାଜପୁର ଟାଉନ: ଯାଜପୁର ସହରରେ ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଯାଜପୁର ସହରର ରକ୍ଷାକାଳୀ ଜିମ୍ନାସିୟମ, ମହାବୀର ଜିମ୍ନାସିୟମ, ସରକାରୀ ବସ୍ଷ୍ଟାଣ୍ଡ (ଡ଼ିଏମ୍ଏସ୍), ହରପାର୍ବତୀ ଛକ, ରାଣିରାମଚନ୍ଦ୍ରପୁର, ରାଉତରାପୁର, ପଣସା, ବିରଜା ହାଟ, ଯାଉଁଳିବନ୍ଧ, କୁଆଁସରପୁର ଇତ୍ୟାଦି ସ୍ଥାନ ଗୁଡିକରେ ହନୁମାନ ମନ୍ଦିରରେ ଭକ୍ତମାନେ ଦର୍ଶନ କରିଥିଲେ । ବିରଜା ମନ୍ଦିର ନିକଟସ୍ଥ ମହାବୀର ଜିମ୍ନାସିୟମର ପୁରୋଧା ନିଳକଣ୍ଠ ମିଶ୍ର ଓ ଅନ୍ୟ କର୍ମକର୍ତାମାନେ ଏହି ପୂଜାକୁ ଆୟୋଜନ କରିଥିଲେ । ସେହିପରି ସହରର ବିଭିନ୍ନ ଛକ ବଜାର ମାନଙ୍କ ଠାରେ ଅବସ୍ଥିତ ହୋଇଥିବା ମହାବୀରଙ୍କ ପ୍ରତିମୂର୍ତିଙ୍କ ଠାରେ ରୀତିନିତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହିସବୁ ସ୍ଥାନରେ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ।