ବିକାଶ ମେଳା ଉଦ୍ଘାଟନ ୧୮ କାର୍ଯ୍ୟର ଶିଳାନ୍ୟାସ କଲେ ମନ୍ତ୍ରୀ
ବୁଗୁଡ଼ା : ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ବୁଗୁଡ଼ା ବଡଦାଣ୍ଡ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବିକାଶ ମେଳା ଏବଂ ବୁଗୁଡ଼ା ସହରରେ ୧୮ଟି କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ରାଜ୍ୟକୁ ପ୍ରଗତିର ନୂତନ ଶିଖରରେ ପହଞ୍ଚାଇବା ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧ ବର୍ଷର ସେବା, ସମର୍ପଣ ଏବଂ ଗରିବ କଲ୍ୟାଣ ଯୋଜନା ଲାଗୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା, ଆତ୍ମନିର୍ଭର କୃଷକ ପାଇଁ ଧାନର ସହାୟକ ମୂଲ୍ୟରେ ବୃଦ୍ଧି, ଓଡିଆ ଐତିହ ଓ ସଂସ୍କୃତି ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବା ଏବଂ ଶ୍ରୀମନ୍ଦିର ଓ ଓଡ଼ିଆ ଅସ୍ମିତା ପାଇଁ କର୍ପସ୍ ଫଣ୍ଡ ଭଳି କାର୍ଯର୍୍ୟ ପ୍ରଥମ ଦିନରୁ ଆଜିର ସରକାର କରିଛି । ଏହା ପରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଆୟୁଷ୍ମାନ ଯୋଜନା, ଉତ୍ତମ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଐତିହ୍ୟ ବିଦ୍ୟାଳୟ, ମାଧୋ ସିଂ ହାତ ଖର୍ଚ୍ଚ ଭଳି ଅନେକ ଯୋଜନାକୁ ଓଡିଶା ସରକାର ପ୍ରଣୟନ କରିଥିବା କହିଛନ୍ତି । ଅସହାୟକଙ୍କ ସାହାରା ସାଜିଥିବା ଏବଂ ଗୋପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବିଷେଶ ସୁବିଧା ରହିଥିବା କହିଥିଲେ । ଏହି ଅବସରରେ ମନ୍ତ୍ରୀ ମଲ୍ଲିକ ବିକାଶ ବାହନ ରଥର ଶୁଭ ଉଦଘାଟନ କରିବା ସହ ବୁଗୁଡ଼ାର ବିଭିନ୍ନ ୱାର୍ଡରେ ରାସ୍ତା, ଡ୍ରେନ, ଗୃହ ଆଦି ୧୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।