ବିକାଶର ବିକଳ ଚିତ୍ର : ଶିଳ୍ପାଞ୍ଚଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣ
ଦାନଗଦୀ : ନବେ ଦଶକରୁ ଜନ୍ମଲାଭ କରିଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଶିଳ୍ପନଗରୀର ପରିଚୟ ଲାଭ କରିଛି । ବୃହତ ଠାରୁ ମଧ୍ୟମ ଶିଳ୍ପ କାୟା ଲମ୍ବାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା କଳିଙ୍ଗନଗର ବିକାଶର ସୋପାନରେ ପହଞ୍ଚôବ କ’ଣ ବର୍ଷା ପାଣିରେ ଅଞ୍ଚଳବାସୀ, ଶିଳ୍ପ ଶ୍ରମିକ/କର୍ମଚାରୀ, ଅଫିସରଙ୍କୁ ନାକେଦମ କରିଥିବାବେଳେ ମାନପୁର ଓଭରବ୍ରିଜ୍ ଚାଳକଙ୍କୁ ଅଣନିଶ୍ୱାସୀ କରିଛି । ପ୍ରଥମେ ଆସିବା ବର୍ଷା କିଭଳି ବିକାଶର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି । କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାକୁ ଯିବା ନିମନ୍ତେ ଭିନ୍ନଭିନ୍ନ ପଥ ରହିଛି । ଗୋଟିଏ ମିଲଟାରୀ ଛକରୁ ମାନପୁର ଦେଇ ତ ଗୋଟିଏ ମିଲଟାରୀ ଛକରୁ ପଙ୍କପାଳ ରାସ୍ତା ଦେଇ ଶିଳ୍ପକୁ ପଡ଼ିଛି ପଥ । ହେଲେ ଦୁଇପଥର ଓଭରବ୍ରିଜ ତଳେ ଲହଡ଼ି ମାରୁଛି ଆଣ୍ଠୁଏ ଉଚର ପାଣି । ଭିସା ଷ୍ଟିଲ ଠାରୁ ଆରମ୍ଭ କରି ଯଖପୁରା ଥାନା ଆଖପାଖରେ ଥିବା କାରଖାନାକୁ ଯିବା ପାଇଁ ସହଳ ରାସ୍ତା ହେଉଛି ମିଲଟାରୀ ଛକରୁ ପଙ୍କପାଳ ରାସ୍ତା । କିନ୍ତୁ ଯଖପୁରା ପୂର୍ବରୁ ରାସ୍ତାକୁ ଦୁଇଭାଗ କରିଥିବା ରେଳପଥ ଓଭରବ୍ରିଜ ତଳେ ବର୍ଷାପାଣ ଆଣ୍ଠୁଏ ଉପରେ ଜମି ରହିଛି । ଯେଉଁ ରାସ୍ତା ଗୁଡିକ ମରାମତି ହେଉଥିଲେ ହେଁ ଅଢେଇ ଦିନ ଯାଉନାହିଁ ପିଚୁ ଉଠି ଗାଡ଼ ହେଇ ମରଣ ଯନ୍ତା ପାଲଟିଯାଉଛି । ଉକ୍ତ ରାସ୍ତା ଦେଇ ହଜାର ହଜାର ଶିଳ୍ପ ଶ୍ରମିକ, କର୍ମଚାରୀଙ୍କ ସହ ଦାନଗଦୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଲୋକେ ଦୈନିକ ଯିବା ଆସିବା କରିଥାନ୍ତି । ହେଲେ ବିଡ଼ମ୍ବନା ପ୍ରତ୍ୟେକ ବର୍ଷ ବର୍ଷାପାଣି ଜମି ରହି ସମସ୍ୟା ସୃଷ୍ଟି କରୁଥିଲେ ହେଁ ଇଡ଼କୋ ପକ୍ଷରୁ ଏହାର କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନି । ସେହିପରି ଡ଼ୁବୁରୀ ରାଜ ରାସ୍ତାର ଜୀବନ ରେଖା କୁହାଯାଉଥିବା ମାନପୁରର ୱାନ ୱେ ଓଭର ବ୍ରିଜ ପାଖରୁ କେଜେ ଇସ୍ପାତ ଦେଇ ବିଭିନ୍ନ କାରଖାନାକୁ ପଡ଼ିଥିବା ଏହି କମନ କରିଡର ରାସ୍ତାଟିରେ ଆଣ୍ଠୁଏ ଉଚ୍ଚାର ପାଣିରେ ଭାସୁଛି । ଯେଉଁ ରାସ୍ତାରେ ଗାଡି ମଟର, ବାଇକ୍ ଯିବା କଷ୍ଟକର ହୋଇ ପଡିଛି । ଉକ୍ତ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ବି ବର୍ଷା ପରେ ବିକଳ ଚିତ୍ର ଦେଖିବାକୁ ମିଳିଛି । ମାନପୁର ଓଭରବ୍ରିଜ କଥା ନ କହିବା ଭଲ । କେହି ଯଦି କୌଣସି କାର୍ଯ୍ୟରେ ବାହାରି ସଅଳ ପହଞ୍ଚôବାକୁ ଚାହିଁବ, ତେବେ ତାହା କଷ୍ଟକର ବ୍ୟାପାର ହୋଇ ପଡ଼ିବ । ୱାନୱେ ଓଭର ବ୍ରିଜ ଏଭଳି ଯାମ ହୋଇପଡ଼ୁଛି ଯେ, ଘଣ୍ଟାଘଣ୍ଟା ଧରି ଗାଡ଼ିମୋଟର ଗଡ଼ିବା ସମ୍ଭବ ହେଉନି । ଯାହା ଫଳରେ ଚାଳକ ଅଣନିଶ୍ୱାସୀ ହେଇପଡ଼ୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଶିଳ୍ପାଞ୍ଚଳବାସୀ, ଶ୍ରମିକ/କର୍ମଚାରୀ ଭୋଗୁଥିବା ଦୁର୍ଦ୍ଦଶା ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ସମାଧାନ କରିବାରେ ଆନ୍ତରିକତା ଦେଖାଉନାହାନ୍ତି ।