ଖଡଗପୁର ମଣ୍ଡଳର ନାକ ତଳେ ‘ବାରିପଦା :ରେଳ ଷ୍ଟେସନ’ ୭୨ ବର୍ଷ ହେଲା ହୋଇନି ଦୋହରୀକରଣ
ବାରିପଦାରୁ ପ୍ରୟାଗରାଜ କର : ୧୨୦ ବର୍ଷ ତଳେ ଯାହା ଥିଲା, ଏବେ ମଧ୍ୟ ସେଇଆ ଅଛି । ରାଜାରାଜୁଡା ସମୟରେ ଯେଉଁ ଗ୍ରେଡ୍ ରହିଥିଲା ସେହି ଗ୍ରେଡ ରହିଥିଲାବେଳେ ପଦୋନ୍ନତି ହୋଇପାରୁନି । ଯେଉଁ ଏକକ ରେଳପଥ ରେଳ ଷ୍ଟେସନରେ ରହିଥିଲା ତାହା ହିଁ ରହିଛି । ଯାହା ବଦଳିଛି କେବଳ ଚେୟାର ଟେବୁଲ ଓ କିଛି କର୍ମଚାରୀ । କିନ୍ତୁ ବଦଳି ପାରିନି ରାଜ୍ୟର ସର୍ବପୁରାତନ ରେଳପଥ କୁହାଯାଉଥିବା ବାରିପଦା ରେଳ ଷ୍ଟେସନ । ନିର୍ବାଚନ ଆଗରୁ ପ୍ରାୟ ୧୬ କୋଟି ଟଙ୍କାରେ ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ସାମିଲ ସିନା ହୋଇଛି କିନ୍ତୁ ରେଳ ଭିତ୍ତିଭୂମି ବଦଳିବାରେ ନାଁ ଧରୁନି । ଏହି ଯୋଜନାରେ କେବଳ ଷ୍ଟେସନର ସିନା ଉନ୍ନତିକରଣ ହେବ କିନ୍ତୁ ରେଳପଥର କୌଣସି ପରିବର୍ତ୍ତନ ହେବ ନାହିଁ । ସ୍ୱାଧୀନତା ପର ଠାରୁ ଏହି ରେଳପଥ ଓ ଷ୍ଟେସନ ଦୋହରୀକରଣ ଦେଖିନି । ରାଜା ରାଜୁଡା ଅମଳରୁ ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ରାଜ୍ୟ ଥିବା ସମୟରେ ୧୯୦୪ ମସିହାରେ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜେଦେଓଙ୍କ ଶାସନ କାଳ ସମୟରେ ମୟୂରଭଞ୍ଜବାସୀ ରେଳସେବା ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେତେବେଳେ ଏହା ବାଷ୍ପଚାଳିତ ଇଞ୍ଜିନ୍ ରାଜ୍ୟ ରାଜଧାନୀ ସହ କୋଲକାତାକୁ ଯୋଡୁଥିଲା ମୟୂରଭଞ୍ଜକୁ । ମୟୂରଭଞ୍ଜ ରାଜ୍ୟ କାଳରେ ଏହା ବିଏନ୍ଆର ମଣ୍ଡଳଅଧୀନରେ ରହିଥିବାବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନକୁ ଆସିଥିଲା । ଏହା ପ୍ରଥମେ ରୁପ୍ସାରୁ ବାରିପଦାକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଥିବାବେଳେ ପରେ ଏହା ସମ୍ପ୍ରସାରିତ ହୋଇ ବାରିପଦାରୁ ବାଙ୍ଗିରିପୋଷି ଏବଂ ପୁଣି ତାହା ବାଙ୍ଗିରିପୋଷିରୁ ତାଳବନ୍ଧ ପର୍ଯ୍ୟନ୍ତ ରେଳ ଚଳାଚଳର ବ୍ୟବସ୍ଥା କରାଯାଇଥିଲା । ପରେ ଏହା ନ୍ୟାରୋ ଗଜ୍ରୁ ବ୍ରଡଗଜ୍କୁ ରୂପାନ୍ତରିତ ହେବା ପାଇଁ ଜିଲ୍ଲାବାସୀ ଦୀର୍ଘ ବର୍ଷ ସଂଘର୍ଷ କରିବା ପରେ ୨୦୦୬ ଜାନୁଆରୀ ୨୪ ତାରିଖରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ୟାଦବଙ୍କ ସମୟରେ ଏହା ବ୍ରଡଗଜ୍ ହୋଇଥିଲା ସିନା କିନ୍ତୁ ଯେଉଁ ଗୋଟିଏ ପ୍ଲାଟଫର୍ମକୁ ସେହି ଗୋଟିଏ । ପୁଣି ଏହାର ସମ୍ପ୍ରସାରଣ ଓ ଦୋହରୀକରଣ ସହ ଦୁଇ ଥାକିଆ ରେଳପଥ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା ବେଳେ ଏହାକୁ ଦେଖି ଅଣଦେଖା କରିଚାଲିଛି ଖଡଗପୁର ରେଳ ମଣ୍ଡଳ । ମୟୂରଭଞ୍ଜକୁ ତିନି ନୂଆ ରେଳ ଲାଇନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ସହ ଶୁଭ ଉଦଘାଟନ କରିବାକୁ ରହିଥିବାବେଳେ ଏହି ତିନୋଟି ରେଳରୁଟ୍ ପାଇଁ ୬୨୯୫ କୋଟି ବ୍ୟୟ ଅଟକଳ ହୋଇଛି । ଏହାହେଲେ ବାରିପଦା ଷ୍ଟେସନର କଳେବର ବଢିବା କଥା । ଏହାକୁ ଜଙ୍ଗସନର ମାନ୍ୟତା ଦିଆଯିବାକୁ ଦାବି ହେଉଥିଲେ ଏହାକୁ ଶୁଣୁନି ଖଡଗପୁର । ତେବେ ବୁଡାମରା-ଚାକୁଳିଆ ୬୦ କିଲୋମିଟର ଦୈର୍ଘ୍ୟର ନୂତନ ବ୍ରଡଗଜ୍ ରେଳ ଲାଇନ ପାଇଁ ୧୬୩୯କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ରେଳ ଲାଇନ ନିର୍ମାଣ ପାଇଁ ୪୬୨,୫୨ହେକ୍ଟର ଜମି ଆବଶ୍ୟକ ରହିଥିବା ବେଳେ ଏହି ରୁଟରେ ନିୟମିତ ଦୁଇଟି ମେମୁ ଟ୍ରେନ ଚଳାଚଳ କରିବା ନେଇ ଯୋଜନା ରହିଛି ଏବଂ ୫ ବର୍ଷରେ ଏହି ରୁଟ ନିର୍ମାଣ ହେବ । ଏହି ରେଳ ଲାଇନ ଦ୍ୱାରା ରୁପ୍ସା-ବାଙ୍ଗରିପୋଷି ସେକ୍ସନର ବୁଡାମରା ଓ ଖଡଗପୁର-ଟାଟାନଗର ସେକ୍ସନ ହାଓଡା-ମୁମ୍ବାଇ ଟ୍ରଙ୍କ ରୁଟ୍କୁ ସଂଯୋଗ ହୋଇପାରିବ । ସେହିପରି ବାଙ୍ଗିରିପୋଷି-ଗୋରୁମହିଷାଣୀ ପାଇଁ ୮୬.୫ କିଲୋମିଟର ଦୈର୍ଘ୍ୟର ନୂତନ ବ୍ରଡଗେଜ ରେଳ ଲାଇନ ଉଦେ୍ଦଶ୍ୟରେ ୨୫୪୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ରେଳ ଲାଇନ ନିର୍ମାଣ ପାଇଁ ୫୬୭. ୪୫ହେକ୍ଟର ଜମି ଆବଶ୍ୟକ ରହିଥିବା ବେଳେ ଏହି ରୁଟରେ ଗୋଟିଏ ମେମୁ ଟ୍ରେନ ଚଳାଚଳ କରିବର ବ୍ୟବସ୍ଥା ରହିଛି । ଏହି ରୁଟି କାର୍ଯ୍ୟ ମଧ୍ୟ ୫ବର୍ଷ ମଧ୍ୟରେ ତିଆରି ହେବା ନେଇ ସମୟ ଧାର୍ଯ୍ୟ ହୋଇଛି । ବାଦାମପାହାଡ଼-କେନ୍ଦୁଝର ରେଳ ଲାଇନ ପାଇଁ ୮୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ପାଇଁ ୨୧୦୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ରେଳ ଲାଇନ ନିର୍ମାଣ ପାଇଁ ୫୦୬.୬୯ ହେକ୍ଟର ଜମି ଆବଶ୍ୟକ ରହିଥିବାବେଳେ ଏହି ରୁଟିରେ ଗୋଟିଏ ମେମୁ ଟ୍ରେନ ଚଳାଚଳ କରିବ ଏବଂ ଏହାର ରୁଟ୍ ମଧ୍ୟ ୫ ବର୍ଷ ମଧ୍ୟରେ ସରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଏହି ରେଳରୁଟ ସଂଯୋଗ ହେଲେ ବିଶେଷ କରି କେନ୍ଦୁଝର ଓ ମୟୂରଭଞ୍ଜ ଲୋକମାନେ ଅନେକ ଉପକୃତ ହେବେ । ଯାତାୟାତ, ବ୍ୟାପାର ବାଣିଜ୍ୟ ସହ ଅଞ୍ଚଳରେ ବିକାଶର ନୂଆ ସମ୍ଭାବନା ସୃଷ୍ଟି କରିବାରେ ସକ୍ଷମ ହେବ । ଖଡଗପୁର ଡିଆରଏମ କେ.ଆର ଚୌଧୁରୀ କହିଛନ୍ତି ଯେ, ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ଏହି ଷ୍ଟେସନକୁ ଉନ୍ନତିକରଣ କରାଯାଉଛି । ଆସନ୍ତାଦିନରେ ଏକାଧିକ ସମସ୍ୟା ନେଇ କେନ୍ଦ୍ରୀୟ ରେଳ ସଦନକୁ ଅବଗତ କରାଯାଇଛି । ସେଠାରୁ ଅନୁଦାନ ଆସିବା ପରେ ଏହାର ରୂପରେଖ ବଦଳିବ ବୋଲି ସେ କହିଛନ୍ତି ।