ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ୩୦% ମାର୍କ ରଖିଲେ ପାସ୍ : ଗାଇଡ ଲାଇନ ଜାରି କଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ଗାଇଡ ଲାଇନ ଜାରି କଲା ଗଣଶିକ୍ଷା ବିଭାଗ । ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ହେବ ମୂଲ୍ୟାୟନ । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷାରେ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି ସହ ତ୍ରିସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍ଟି ଆଣ୍ଡ ଏସ୍ସି ଉନ୍ନୟନବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍ ବୁକ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି । ଟିଇ ଆଣ୍ଡ୍ ଏସ୍ ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।
ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ (ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ । ପ୍ରଶ୍ନପତ୍ରଗୁଡ଼ିକ ଟିଇ ଆଣ୍ଡ୍ ଏସ୍ ସିଇଆରଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ । ଡିଇଓମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ । ପରୀକ୍ଷାର ୭ ଦିନ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ବିଇଓମାନେ ବ୍ଲକସ୍ତରରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମ୍ରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ । ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗଠିତ ଦଳ ପରୀକ୍ଷାର ତିନି ଦିନ ପୂର୍ବରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ ଏବଂ ସେମାନଙ୍କର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ । ପ୍ରାଥମିକ ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲରେ ରଖିବେ । ସିଆରସିସିମାନେ ଏହି ଦଳର ନେତୃତ୍ୱ ନେବେ । ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ୱାରା ଗଠିତ ଦଳ କଡ଼ା ସୁରକ୍ଷା ସହ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ ।
ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା ଦେବେ । ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍ ମେଣ୍ଟ-୧ ପୂର୍ବରୁ ପଠାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଠାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ । ୩୦% ସହଜ, ୪୦% ହାରାହାରି ଓ ୩୦% କଷ୍ଟକର ପ୍ରଶ୍ନ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦% ଅର୍ଥାତ୍ ୩୦ ମାର୍କର ଓ ଦୀର୍ଘ ଉତ୍ତରମୂଳକ ୪୦% ଅର୍ଥାତ୍ ୨୦ ମାର୍କର ରହିବ । ସ୍କୁଲ ସ୍ତରରେ ବିଷୟଭିତ୍ତିକ ଶିକ୍ଷକଙ୍କ ଦ୍ୱାରା ଉତ୍ତରଖାତାଗୁଡିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ । ଫେବ୍ରୁଆରିରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ । ୩୦% ମାର୍କ ରଖିଲେ ପିଲା ପାସ୍ କରିବେ । ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରି ପରୀକ୍ଷା କରାଯିବ । ତା’ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ରେମେଡିଆଲ ଟିଚିଂ ବ୍ୟବସ୍ଥା ହେବ ।