ପ୍ରାର୍ଥୀପତ୍ର ନାକଚ ପାଇଁ ଦାବି
ମିଥ୍ୟା ସତ୍ୟପାଠ ଦେଇଛନ୍ତି ଘାସିରାମ : ବିଜେପି
ଭୁବନେଶ୍ୱର/ନୂଆପଡ଼ା : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ହେଲେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଦାଖଲ କରିଥିବା ସତ୍ୟପାଠରେ କିନ୍ତୁ ତାହା ଉଲ୍ଲେଖ କରାଯାଇନାହିଁ । ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କର ପ୍ରାର୍ଥୀପତ୍ର ନାକଚ ପାଇଁ ବିଜେପି ଦାବି କରିଛି ।
ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଡକ୍ଟର ଯତୀନ ମହାନ୍ତି କହିଛନ୍ତିଯେ, ଗତ ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ । ଯାହାକି ବର୍ତ୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରାଧିନ ଅଛି । ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଉକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି । ଏହା ‘ଜନପ୍ରତିନିଧି ଆଇନ-୧୯୫୧ ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ । ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଉଚିତ୍ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ତରଫରୁ ଦାବି କରାଯାଇଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା ଏବଂ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ନୂଆପନାରେ ଜିଲ୍ଲା ସଭାପତ କମଳେଶ ଦୀକ୍ଷିତ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ବାଢ଼ିଛନ୍ତି । ସେ କହିଛନ୍ତିଯେ, ଘାସିରାମଙ୍କ ନାମରେ ୧୯ କେସ୍ ଥିବାବେଳେ ୧୨ କ୍ରିମିନାଲ କେସ୍ ଦର୍ଶାଇଛନ୍ତି ।