ପଞ୍ଚାୟତ ପ୍ରତିନିଧିଙ୍କ ମୃତୁ୍ୟ ହେଲେ ମିଳିବ ୨ ଲକ୍ଷ 


 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତୁ୍ୟ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ।
ନିଷ୍ପତ୍ତି ଅନୁଯାୟୀ, ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ । ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତୁ୍ୟ ଘଟିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ  । ସେହିଭଳି ଉଭୟ ଆଖି, ହାତ କିମ୍ବା ଗୋଡ ନଷ୍ଟ ହେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ୨ ଲକ୍ଷ ଟଙ୍କା ଏବଂ ଯଦି ଗୋଟିଏ ଆଖି କିମ୍ବା ଗୋଟିଏ ହାତ କିମ୍ବା ଗୋଡ ନଷ୍ଟ ହୁଏ ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ  ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସାମ୍ବିଧାନିକ ବ୍ୟବସ୍ଥାରେ ପଞ୍ଚାୟତ ପ୍ରତିନିଧିମାନେ ହେଉଛନ୍ତି ତୃଣମୂଳସ୍ତରରେ ନିର୍ବାଚିତ ପ୍ରତିନିଧି  । ସେମାନେ ସିଧାସଳଖ ଲୋକଙ୍କ ସହ ଯୋଡିହୋଇ ରହିଥାନ୍ତି  । ଲୋକଙ୍କ ସୁବିଧା ଅସୁବିଧାରେ ସେମାନଙ୍କୁ ସହାୟତା କରନ୍ତି  । ଗ୍ରାମାଞ୍ଚଳ ବିକାଶରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଥାଏ  । କିନ୍ତୁ, ସେମାନଙ୍କ କ୍ଷେତ୍ରରେ କୌଣସି ଦୁର୍ଘଟଣା ଘଟିଲେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।