ବିଜେପି ଜିଲ୍ଲା ସଭାପତି ଦୌଡରେ ୧୦ପ୍ରାର୍ଥୀ 

 କେନ୍ଦୁଝର: ବିଜେପି ଜିଲ୍ଲା ସଭାପତି ପାଇଁ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ସଞ୍ଜୀବ ମହାନ୍ତି ଯାଂଚ କରି ପ୍ରାର୍ଥୀଙ୍କ ଠାରୁ ପ୍ରାର୍ଥୀପତ୍ର ଗ୍ରହଣ କରିଥିଲେ । ପ୍ରାର୍ଥୀପତ୍ର ଭୋଟର ତାଲିକାରେ ଥିବା ସର୍ବମୋଟ ସଂଖ୍ୟାର ୧୦ ପ୍ରତିଶତ ପ୍ରସ୍ତାବକ/ସମର୍ଥକ ରହିବେ । ନିର୍ବାଚନ ପାଇଁ ୧୯ତାରିଖ ଅପରାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଅନୁବ୍ରତ ବେହେରା, ଶୁକଦେବ ମହାନ୍ତ, ଗୋପୀନାଥ ରାମ, ଅଖିଳ କୁମାର ପାତ୍ର, ରାଧାକାନ୍ତ ମହାନ୍ତ, ମମିତା ନାୟକ, ଆଲୋକ ସେଠୀ, ଗଣେଶ୍ୱର ମହାନ୍ତ, ବିବେକାନନ୍ଦ ମହାନ୍ତ, ସସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ନୂଆ ସଭାପତି ଘୋଷଣା ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅନନ୍ତ ନାୟକଙ୍କ ଶୁଭଦୃଷ୍ଟିରେ ଥିବା ସଂଗଠନର ଯେ କୌଣସି ବ୍ୟକ୍ତିଙ୍କୁ ବିଜେପି ଜିଲ୍ଲା ସଭାପତି ପଦ ପ୍ରଦାନ କରାଯାଇପାରେ ବୋଲି ଆଲୋଚନା ହେଉଛି । ଜିଲ୍ଲା ସଭାପତି ଚୟନ ନେଇ କେହି ମୁହଁ ଖୋଲୁନଥିବାବେଳେ ଆସନ୍ତା କାଲି ଫଳାଫଳ ଜଣାପଡିବ । ସେହିପରି ରାଜ୍ୟ ପରିଷଦ ସଦସ୍ୟ ପାଇଁ ସୋମବାରୀ ମୁଣ୍ଡା ଏବଂ ଦଶରଥ ଜେନା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।