ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି : ହେବ ପ୍ରସାର ଅଭିଯାନ ଓ ବିକାଶ ମେଳା

 କେନ୍ଦୁଝର : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବା ପାଇଁ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ବିକାଶ ମେଳା ଓ ପ୍ରସାର ଅଭିଯାନର ଆୟୋଜିତ କରାଯିବ । କେନ୍ଦୁଝର ଜିଲାରେ ଏହାର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଦରବାର ହଲଠାରେ ଜିଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ନ୍ୟସ୍ତ ଥିବା ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି  । ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ରୂପରେଖ ଓ ପ୍ରାକ ପ୍ରସ୍ତୁତି ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ ବୈଠକର ବିଷୟ ଆଲୋଚନା କରିଥିଲେ । ଜୁନ୍ ୫ ରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ଷେତ୍ରୀୟ ସ୍ତର ଠାରୁ ଜିଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହ ଜୁନ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓରମାସ ପକ୍ଷରୁ ସ୍ଥାନୀୟ କାଳୀ ପଡିଆଠାରେ ବିକାଶ ମେଳା ଜରିଆରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ପରେ ମନ୍ତ୍ରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ପ୍ରକଳ୍ପ ନିଦେ୍ର୍ଦଶକ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ମିର୍ଦ୍ଧା ଟପ୍ପୋ, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର ପ୍ରଧାନ, ଆଇଏଏସ୍ ପ୍ରୋବେସନର ପବନ କୁମାରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।