ହଜାରେ କୋଟିର କଳା ସାମ୍ରାଜ୍ୟ !
ଭୁବନେଶ୍ୱର: ବିଜେଡ଼ି ବେକ ପାଖରେ ସାଇଁସାଇଁ ଘୂରୁଛି ରାଜା ଚକ୍ର । କେତେବେଳେ କେଉଁ ନେତାଙ୍କ ପାଖକୁ ମାଡ଼ିଯିବ ସେଇ ଚିନ୍ତା ଏବେ ଦଳକୁ ଘାରିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସ୍ଥିତି ହେଲାଣି । ହଠାତ୍ ଇଓଡବ୍ଳୁ୍ୟର ଚଢ଼ଉ ଅନେକ ନେତାଙ୍କ ନିଦ ହଜାଇ ଦେଇଛି । ହଜାରେ କୋଟିର କଳା ସାମ୍ରାଜ୍ୟରୁ ବିଜେଡ଼ି ହିଁ ଉପକୃତ ହେଉଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡି ରାଜନୀତିରେ ବେଶ ଦବଦବା ରଖୁଥିବା କେନ୍ଦୁଝର ଜିଲ୍ଲାର ଯୁବ ନେତା ତଥା ଖଣି ବ୍ୟବସାୟୀ ରାଜା ଚକ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସୋମବାର ଇଓଡବ୍ଲୁ୍ୟ କାର୍ଯ୍ୟାଳୟରେ ରାଜାଙ୍କୁ ପ୍ରାୟ ୧୧ ଘଣ୍ଟାରୁ ଊର୍ଦ୍ଧ୍ୱ ମାରାଥନ ଜେରା କରାଯାଇଛି । ଆଜି ରାଜ୍ୟର ବ୍ୟବସାୟିକ ଲିଙ୍କ ଥିବା ବିଭିନ୍ନ ସ୍ଥାନରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚଢ଼ଉ କରାଯାଇଛି । ରାଜାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଥିବା ସମ୍ବଲପୁର, କେନ୍ଦୁଝର, ଗୋପାଳପୁର, ସୁନ୍ଦରଗଡ ଓ ଭୁବନେଶ୍ୱର ପାହାଳ ପାଖରେ ଥିବା ଆପାର୍ଟମେଣ୍ଟ ଓ ଅଫିସ ଘରେ ଇଓଡବ୍ଲୁ୍ୟ ପକ୍ଷରୁ ଚଢ଼ଉ କରାଯାଇଛି । ଖାଲି ସେତିକିନୁହେଁ ରାଜା ଓ ତାଙ୍କ ସହଯୋଗୀଙ୍କ ନାମରେ ଥିବା ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲୁ୍ୟ ପକ୍ଷରୁ ଯାଞ୍ଚ କରାଯିବା ସହ ରାଜାଙ୍କ ନାମରେ ୨୦ଟି ୧୮ ଚକିଆ ଗାଡି ଥିବା ଜଣାପଡିଛି । ଏପରିକି ରାଜା ନିଜ ଖଣି ବ୍ୟବସାୟରେ ପ୍ରାୟ ଶହେରୁ ଉଦ୍ଧ୍ୱର୍ ୧୮ ଚକିଆ ବ୍ୟବହାର କରୁଥିଲେ ମଧ୍ୟ ଏହା ବେନାମୀ ଲୋକଙ୍କ ନାମରେ ଥିବା ଜଣାପଡିଛି । ଏହି ମାମଲାରେ ଇଓଡବ୍ଲୁ୍ୟ ପ୍ରଥମ ଦିନରେ ୫୦ କୋଟି ଟଙ୍କାର ହେରଫେରରୁ ତଦନ୍ତ ଆରମ୍ଭ କରିଥିବା ବେଳେ, ବର୍ତ୍ତମାନ ସମୟରେ ଏହା ୧ ହଜାର କୋଟିର ସ୍କାମ ବୋଲି ସ୍ପଷ୍ଟ ହୋଇଛି । କ୍ରାଇମବ୍ରାଞ୍ଚର ଇଓଡବ୍ଲୁ୍ୟ ମାମଲାର ଅଧିକ ଛାନଭିନ କରୁଥିବା ବେଳେ ମଙ୍ଗଳବାର ଏସଟିଏଫ୍ ମଧ୍ୟ ସମାନ ତରିକାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଇଓଡବ୍ଲୁ୍ୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ରାଜାଙ୍କ ସହ ଏକାଧିକ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଏବଂ ସେମାନଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ତେଣୁ ଖୁବ୍ଶୀଘ୍ର ଏହି ବିଜେଡି ନେତାମାନଙ୍କୁ ମଧ୍ୟ ଜେରା ପାଇଁ ହାଜର ହେବାକୁ ନୋଟିସ ଜାରି କରାଯିବ । ଏହି କ୍ରମରେ ମଙ୍ଗଳବାର ରାଜାଙ୍କର ୩ ପ୍ରମୁଖ ସହଯୋଗୀ ଇଓଡବ୍ଲୁ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିବା ବେଳେ ସେମାନେ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି ।