ବିଜେପିର ଅଭିନନ୍ଦନ ବ୍ୟାନରରେ ତ୍ରୁଟି!

 ସାଲେପୁର: ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ବିଜେପି ଦଳର ନେତାମାନେ ଓଡ଼ିଆ ଭାଷାକୁ କିଭଳି କଦାର୍ଥ କରି ଏକାଧିକ ସ୍ଥାନରେ ଶୁଭେଚ୍ଛା ବ୍ୟାନର ଲଗାଇଛନ୍ତି, ତାହାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ସାଲେପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ । ସାଲେପୁରରୁ  ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ବିଜେପି ନେତା ଅରିନ୍ଦମ ରାୟ ଇଂରାଜୀ ନବବର୍ଷର ଅଭିନନ୍ଦନ ନିମନ୍ତେ ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଭେଚ୍ଛା ବ୍ୟାନର ଲଗାଇଛନ୍ତି । ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେ.ପି. ନଡା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବିଶେଷ କରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ସମେତ ନିଜର ଫଟୋ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଫଟୋ ରହିଛି । କିନ୍ତୁ ଏହି ବ୍ୟାନରରେ ଓଡ଼ିଆ ଭାଷାଗତ ତ୍ରୁଟି ଦେଖିବାକୁ ମିଳିଛି । ଉକ୍ତ ଅଭିନନ୍ଦନ ବ୍ୟାନରରେ ‘ଭାରତୀୟ ଜନତା ପାର୍ଟି’ ପରିବର୍ତ୍ତେ ‘ଭରତୀୟ ଜନତା ପାର୍ଟି’ ଉଲ୍ଲେଖ ରହିଛି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।