ମତ୍ସ୍ୟସେବାରେ ୨୧୭ ଓ ଉଦ୍ୟାନ କୃଷିରେ ୬୭ ନୂଆ ପଦବୀ ସୃଷ୍ଟି

 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡର୍ର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି ସେବା କ୍ୟାଡରରେ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ମତ୍ସ୍ୟଚାଷ ସେବା କ୍ୟାଡରର ସମୁଦାୟ ପଦବୀ ସଂଖ୍ୟା ୮୩୫କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ପଦବୀ ସଂଖ୍ୟା ୬୧୮ ଥିଲା । ଏହାଦ୍ୱାରା ୨୧୭ଟି ନୂତନ ପଦବୀ ସୃଷ୍ଟି ହୋଇଛି । ମତ୍ସ୍ୟ ସେବା କ୍ୟାଡରର ଅଧିକାଂଶ ପଦବୀ ଗୁଡିକ କ୍ଷେତ୍ରସ୍ତରରେ ରହିଥାଏ । ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରି ୨୦୩୬ ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ୍ ଟନ ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ମତ୍ସ୍ୟ ସେବା କ୍ୟାଡରର ଏହି ପୁର୍ନବିନ୍ୟାସ ଫଳରେ କ୍ଷେତ୍ରସ୍ତରଠୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମତ୍ସ୍ୟଚାଷର ଅଭିବୃଦ୍ଧି ପାଇଁ  ଅଧିକ ଅଧିକାରୀ ଉପଲବ୍ଧ ହୋଇପାରିବେ । 
ସେହିଭଳି ଉଦ୍ୟାନ କୃଷି ବିଭାଗରେ ପୁର୍ନବିନ୍ୟାସ କରାଯାଇ ୬୭ଟି ପଦବୀ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ପଦବୀ ସଂଖ୍ୟା ୪୦୩ ଥିଲା, ପୁର୍ନବିନ୍ୟାସ ପରେ ଏହା ୪୭୦କୁ ବୃଦ୍ଧି ପାଇଛି । ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଉଛି ।