ବିଦୁ୍ୟତ୍ କାର୍ଯ୍ୟାଳୟ ଘେରିଲେ ଲୋକେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ର ମୋହନଗିରି, ମାଣିକେରା, ସିଂହପୁର ଓ ଦେଢଶୁଲି ପଂଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଶତାଧିକ ଗ୍ରାମବାସୀ  ମ.ରାମପୁରରେ  ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଓ ମଦନପୁର ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟାକୁ ନେଇ ଘେରାଉ କରିବା ସହ ଏକ ଦାବିପତ୍ର ଦେଇଛନ୍ତି । ଏହି ସବୁ ଅଂଚଳରେ ବାରମ୍ବାର ବିଦୁ୍ୟତ୍ ବିଭ୍ରାଟ ଘଟୁଥିବା ଯୋଗୁଁ କୌଣସି କାର୍ଯ୍ୟ ଠିକ୍ ଭାବରେ ହେଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଉନ୍ନତ ବିଦୁ୍ୟତ ସେବା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ । ତା ସହିତ ପଜିବାହାଲି ଛକ ଠାରୁ ମୋହନଗିରି ପର୍ଯ୍ୟନ୍ତ ନିର୍ମାଣଧୀନ ପୂର୍ତ୍ତ ବିଭାଗ ରାସ୍ତା କାମକୁ  ଠିକାଦାର କାମ ବନ୍ଦ କରିଥିବା ଯୋଗୁଁ ସେହି ରାସ୍ତାରେ ଦୁର୍ଘଟଣା ମାନ ଘଟୁଥିବା ବେଳେ, ଯାତାୟାତରେ ବାଧା ଉପୁଜୁଛି । ତେଣୁ ରାସ୍ତା କାମ ତୁରନ୍ତ ସମ୍ପୂର୍ଣ କରିବାପାଇଁ ମଧ୍ୟ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଘେରାଉ ରେ ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧାରୁଆ, ସମିତି ସଭ୍ୟ ଗକୁଳାନନ୍ଦ ବିଶ୍ୱାଳ, ସିଂହପୁର ସରପଞ୍ଚ ଉଛବ ପଧାନ, ଶୁକ ଦେବ ସାହୁ ନେତୃତ୍ୱ ନେଇଥିଲେ ।