ପଦୋନ୍ନତି ପରେ ବି ଛାଡୁନି ଟଙ୍କା ମୋହ : ରାସ୍ତା, କଲର୍ଭଟ ବ୍ରିଜ ନିର୍ମାଣରେ ଦୁର୍ନୀତି ଭିଜିଲାନ୍ସ ତଦନ୍ତ ଦାବି
କାକଟପୁର : କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନ କାକଟପୁର ନଂ ୧,୨ ଓ ଅସ୍ତରଙ୍ଗ ନଂ ୧,୨ ୪ଟି ସେକ୍ସନକୁ ନେଇ ଗଠିତ । ଏହି ସବ୍ଡିଭିଜନ୍ରେ ଗତ କିଛି ବର୍ଷ ଧରି ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏବଂ ବିଶେଷ କରି ଛୁଟିଦିନ ଏବଂ ରାତିରେ ବିଭିନ୍ନ ସେକ୍ସନରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା, କର୍ଲଭଟ, ଗାର୍ଡ ୱାଲ, ବ୍ରିଜ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ଏକାଧିକ ସ୍ଥାନରେ ରାସ୍ତା ମରାମତି, ବିଭିନ୍ନ ସରକାରୀ କ୍ୱାର୍ଟର ଓ ସରକାରୀ କାର୍ଯ୍ୟାଳୟ ମରାମତି ସାଙ୍ଗକୁ ରଙ୍ଗ ଦିଆ କାର୍ଯ୍ୟ ଚାଲିଛି । କାର୍ଯ୍ୟର ପ୍ରାକ୍ ଆକଳନ, ଇନସିଆଲ ଲେବୁଲ ଓ ଚୂଡାନ୍ତ ମାପ ନେବାରେ ବ୍ୟାପକ ଅନିୟମିତତାକୁ ଯନ୍ତ୍ରୀମାନେ ଆପଣେଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ବିଭାଗରେ ଅଧିକ ପିସି କାରବାର ହେଉଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବର୍ଷ ବର୍ଷ ଧରି ଶେଷ ହେଉନାହିଁ ।
ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ ସହ ଏହା ଅଧିନରେ ଥିବା ବିଭିନ୍ନ ସବ୍ଡିଭିଜନ ଗୁଡିକରେ ଅଧିକ ମହୁ ଝରୁ ଥିବାରୁ ଏଠାରେ ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପଦାଧିକାରୀଙ୍କ ପର୍ଯ୍ୟନ୍ତ କାହାର ବଦଳି କି ପଦୋନ୍ନତି ହେଲେ ମଧ୍ୟ ସେ ଏ ଯାଗା ଛାଡି ଯିବାକୁ ନାରାଜ । ଏଇ ଯେମିତି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇଙ୍କର ଆଜକୁ ୬ ମାସ ତଳୁ ପଦୋନ୍ନତି ପରେ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ଡିଭିଜନ୍ ଛାଡି ଯିବାକୁ ନାରାଜ । କାକଟପୁର ସବ୍ଡିଭିଜନର ଯନ୍ତ୍ରୀଙ୍କୁ ଅଧିକ୍ଷଣ ଯନ୍ତ୍ରୀ ସୁରକ୍ଷା ଦେଉଥିବା ବେଳେ, ଯନ୍ତ୍ରୀମାନେ ଏଠି ଠିକାଦାରଙ୍କୁ କାର୍ଯ୍ୟରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ଗୋଟିଏ ଲେଖାଏଁ ରାସ୍ତାର ଆର୍ଡି ବିଭାଗ ଏକାଧିକ ବାର ଓଲଟ ପାଲଟ କରି ରାସ୍ତା ମରାମତି ଓ ନିର୍ମାଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିବା ପରେ ପୁଣି ସେହି ରାସ୍ତା କାର୍ଯ୍ୟ ପାଇଁ ବଡ଼ ଟେଣ୍ଡର ଡକାଯାଉଛି ବୋଲି ନିର୍ବାଚିତ ଓ ପୂର୍ବତନ ଲୋକ ପ୍ରତିନିଧିମାନେ ଅଭିଯୋଗ କରୁଛନ୍ତି । ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଏହି ସବ୍ଡିଭିଜନର ଜନୈକ କନିଷ୍ଠ ଯନ୍ତ୍ରୀ । ସେ ଏହି ସବ୍ଡିଭିଜନ ଅଧିନ ବିଭିନ୍ନ ସେକ୍ସନରେ ୬ ବର୍ଷ ଧରି କୋଟି କୋଟି ଟଙ୍କାର କାର୍ଯ୍ୟ କରିସାରିବା ପରେ ଏବେ ଗତ ୧ ବର୍ଷ ଧରି ଏହି ସବ୍ଡିଭିଜନ ଅଧିନ ଅସ୍ତରଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ସେକ୍ସନ ନଂ-୨ କୁ ବଦଳି କରାଯାଇଛି । ଏହି ସେକ୍ସନରେ ବର୍ତ୍ତମାନ ୨ ଶହ କୋଟିରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟ ଚାଲୁଥିବା ବେଳେ, ପ୍ରାୟ ସମୟ କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ ହେଉଛି । ସରକାରଙ୍କ ନୀତି ନିୟମ ଠାରୁ ଏହି ଯନ୍ତ୍ରୀଙ୍କ ଆଦେଶ ଓ ନିଦେ୍ର୍ଦଶରେ ସବ୍ଡିଭିଜନରେ ସବୁ କାର୍ଯ୍ୟ ହେଉଛି ବୋଲି କେତେକ ଠିକାଦାର ଅଭିଯୋଗ କରୁଛନ୍ତି । ନିମ୍ନମାନର କାର୍ଯ୍ୟକୁ ନେଇ ଯଦି କିଏ ଅଭିଯୋଗ କରୁଛି ତେବେ ସଂପୃକ୍ତ ଯନ୍ତ୍ରୀ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପରେ ଚୁପ୍ ରହୁଛନ୍ତି । ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର ଟେଷ୍ଟିଙ୍ଗି ପାଇଁ କାର୍ଯ୍ୟକୁ ଠିକା ନେଇଥିବା ଠିକାଦାର ତାର ଟେଷ୍ଟିଙ୍ଗି ସରଞ୍ଜାମ ଯୋଗାଇ ଦେବାର ନିୟମ ଥିବା ବେଳେ, ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଜଣଙ୍କ ସବ୍ଡିଭିଜନର ଷ୍ଟୋର ରୁମ୍ରେ ଥିବା ବିଭିନ୍ନ ଟେଷ୍ଟିଙ୍ଗି ସାରଞ୍ଜାମକୁ ନିଜ ଜିପ୍ରେ ନେଇ ଠିକାଦାର ଠାରୁ ଗାଡି ଭଡା ସହ ଟେଷ୍ଟିଙ୍ଗି ସରଞ୍ଜାମ ବାବଦରେ ମୋଟା ଅଙ୍କର ଭଡା ଠିକାଦାର ଠାରୁ ଆଦାୟ କରୁଛନ୍ତି । ଏହି ସବ୍ଡିଭିଜନରେ ଯନ୍ତ୍ରୀମାନେ ଅଫିସ କାର୍ଯ୍ୟାଳୟରେ ରହି ସରକାରଙ୍କୁ ଅନ୍ୟତ୍ର ରହୁଥିବା ଦର୍ଶାଇ ଘରଭଡା ନେଉଛନ୍ତି । କାକଟପୁର ସବ୍ଡିଭିଜନରେ ବିଗତ ୩ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ସହ ଏହି ସବ୍ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ସହ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚ୍ଚିବଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବଦଳି ନିଦେ୍ର୍ଦଶକୁ ଅବମାନନା କରି ଅବସ୍ଥାପିତ ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ଦଳାଙ୍କୁ ପଚାରିବାରେ ସେ ପ୍ରଶ୍ନକୁ ଏଡାଇ ଯାଇଥିଲେ ।