ଗୋଚର ଜମିରେ ଗୃହ ନିର୍ମାଣ, ନିରବଦ୍ରଷ୍ଟା ପ୍ରଶାସନ


 କେନ୍ଦୁଝର: କେନ୍ଦୁଝର ସଦର ତହସିଲ ଅଞ୍ଚଳରେ ସରକାରୀ ଜମିର ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି । ଜବରଦଖଳକାରୀଙ୍କୁ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ସେମାନଙ୍କୁ ପ୍ରକାରନ୍ତେ ପ୍ରୋସôାହନ ମିଳୁଛି । ସରକାରୀ ଜମିକୁ ପ୍ରଭାବଶାଳୀମାନେ ମାଡି ବସୁଛନ୍ତି । ଅଭିଯୋଗ କଲେ କେବଳ ନୋଟିସ ଦେଇ ତହସିଲ ଚୁପ ବସୁଛି । ସଦର ତହସିଲ ମଣ୍ଡୁଆ ରାଜସ୍ୱ ସର୍କଲ ଅନ୍ତର୍ଗତ ଘୁଟୁରୁ ହୁଡି କୁ କେତେକ ଲୋକ ମୌଖିକ ଭାବେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି । ସଦର ତହସିଲ ଖାତା ନମ୍ବର ୧୧୪ ପ୍ଲଟ ନମ୍ବର ୧୯୧ ରେ ୪ ଏକର ୮୮ ଡିସିମିଲ ଜମି ରହିଛି । ଏହି ଜମିକୁ କିଛି ସ୍ଥାନୀୟ ଲୋକ ଡିସିମିଲ ପିଛା ୧ ଲକ୍ଷ ଟଙ୍କାରେ ମୌଖିକ ଭାବେ ବିକ୍ରୀ କରୁଛନ୍ତି । ଗୋଚର ଜମିରେ ଥିବା ମୂଲ୍ୟବାନ ଗଛ କାଟି ବେଧଡକ ଭାବେ ମାଫିଆ ଭାବେ ଜମିକୁ ବିକ୍ରୀ କରୁଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଗୋଚର ଜମିରେ ଗଛ କଟାଯାଉଛି । କେନ୍ଦୁଝର ସହରରେ ଜମି ଦର ଅଧିକ ରହୁଥିବାରୁ ଏହାର ସୁଯୋଗ ନେଇ ସ୍ଥାନୀୟ କିଛି ମାଫିଆ ଭବିଷ୍ୟତରେ ପଟ୍ଟା ହେବ ବୋଲି ପ୍ରଲୋଭିତ କରି ଜମି ମୌଖିକ ଭାବେ ବିକ୍ରି କରୁଛନ୍ତି । ଏ ସମ୍ପର୍କରେ ସଦର ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ନୋଟିସ କରାଯାଇଛି । ଏ ନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ ତହସିଲ ପ୍ରଶାସନ ନୀରବଦ୍ରଷ୍ଟା ରହୁଥିବାରୁ ଜବରଦଖଲକାରୀଙ୍କୁ ପ୍ରୋସôାହନ ମିଳୁଛି । ଉଚ୍ଛେଦ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉନଥିବାରୁ ଜବର ଦଖଲକାରୀଙ୍କୁ ସୁହାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେପଟେ ସରକାରୀ ଜମିରେ ଘର କରିବା ପରେ ସେହି ଘରକୁ ବିଦୁ୍ୟତ୍ ଓ ପାଣି ସଂଯୋଗ ଯୋଗାଇ ଦିଆଯାଉଛି । କେନ୍ଦୁଝରଗଡ ପୌରପାଳିକା ଏବଂ ଆଖପାଖ ଅଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ଓ କ୍ୱାର୍ଟର ପାଇଁ ଜାଗା ଅଭାବ ଥିବା ତହସିଲ ପକ୍ଷରୁ କୁହାଯାଉଥିବାବେଳେ ଜବରଦଖଲକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସରକାରୀ ଜମି ମାଡି ବସି ଘର କରି ଭଡାରେ ଦେଇ ଲାଭବାନ ହେଉଛନ୍ତି । ତହସିଲ ପକ୍ଷରୁ ଜବରଦଖଲକାରୀଙ୍କୁ ୁଚିହ୍ନଟ କରି ଉଚ୍ଛେଦ କରାଯାଉନଥିବାରୁ ସମାନଙ୍କର ଭୟ ରହୁନଥିବା ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି । ସରକାରୀ ଜମିର ସୁରକ୍ଷା ପାଇଁ ବାଡ ଘେରିବା ପାଇଁ ପ୍ରତ୍ୟେକ ବର୍ଷ ସରକାର ଅର୍ଥ ଦେଉଥିଲେ ମଧ୍ୟ ଏହାର ଠିକ୍ ବିନିଯୋଗ କରାଯାଉନାହିଁ । ପ୍ରଶାସନ ମୂଲ୍ୟବାନ ଜମିର ସୁରକ୍ଷା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏ ନେଇ ସଦର ଉପ ଜିଲ୍ଲାପାଳ ତ୍ରିଲୋଚନ ମହାନ୍ତିଙ୍କ ସହ ଯୋଗଯୋଗ କରିବାରୁ ଘଟଣାର ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।